ନିଶାଦିଆ ଲୁଟେରାଙ୍କ ଲୁଟ୍‌ତରାଜ

୩ ବର୍ଷରେ ୪ଶହ ଜଣ ହେଲେଣି ଶିକାର, ସ୍ଥାଣୁ ପାଲଟିଛି ରେଳବାଇ ଓ କମିସନରେଟ୍‌ ପୁଲିସ

ଭୁବନେଶ୍ବର: ବିଗତ ୧୦ ବର୍ଷ ହେବ ରାଜଧାନୀରେ ନିଶାଦିଆ ଲୁଟେରା ସକ୍ରିୟ। ପ୍ରତି ମାସରେ ୮ରୁ ୧୦ ଜଣ ଯାତ୍ରୀ ଲୁଟ୍‌ର ଶିକାର ହେଉଛନ୍ତି। କାହାକୁ ଚା’ରେ ନିଶା ଦେଇ ଲୁଟ କରାଯା‌ଉଛି ତ ଆଉ କାହାକୁ ମୃଦୁ ପାନୀୟ, ପାଣି ବୋତଲ ଓ ବିସ୍କୁଟ ଆଦି ଖାଇବାକୁ ଦେଇ। ରେଳଷ୍ଟେସନ ଓ ବରମୁଣ୍ଡା ବସଷ୍ଟାଣ୍ଡ ନିଶାଦିଆ ଲୁଟେରାଙ୍କ ଆଡ଼ାସ୍ଥଳରେ ପରିଣତ ହୋଇଛି। କେତେକ ଅଟୋ ଚାଳକ ଏହି ନିଶାଦିଆ ଗ୍ୟାଙ୍ଗରେ ମଧ୍ୟ ସଂପୃକ୍ତ ଅଛନ୍ତି। ନିଶା ଖାଇବା ପରେ ଅଚେତ ହୋଇ ପଡ଼ୁଛନ୍ତି ଯାତ୍ରୀ। ଲୁଟେରାମାନେ ସେମାନଙ୍କୁ ନେଇ ରାଜଧାନୀରେ ବିଭିନ୍ନ ସ୍ଥାନରେ ଫିଙ୍ଗୁଛନ୍ତି। ପୁଲିସ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତି କରୁଛି। ଦିନେ ଦୁଇ ଦିନ ଚିକିତ୍ସା ପରେ ଘରକୁ ସେମାନେ ଫେରି ଯାଉଛନ୍ତି। ଥାନା କିମ୍ବା କୋର୍ଟ କଚେରି ଧନ୍ଧାରେ ପଡ଼ିବା ଭୟରେ ଥାନାରେ ଅଭିଯୋଗ କରୁନାହାନ୍ତି। ଅଭିଯୋଗ ହେଉ ନ ଥିବା କାରଣରୁ ପୁଲିସ ନିଶରେ ଘିଅ ମାରି ଲୁଟେରାମାନଙ୍କୁ ଲୁଟ୍‌ କରିବାକୁ ଛାଡ଼ି ଦେଇଛି। ଫଳରେ ଏବେ ନିଶାଦିଆ ଲୁଟେରାଙ୍କ ଲୁଟତରାଜ ଗତ କିଛି ବର୍ଷ ହେବ ବଢ଼ି ଯାଇଛି। ମୋବାଇଲ୍‌ ଫୋନ୍‌ଠାରୁ ସୁନାଗହଣା, ଟଙ୍କା, ବ୍ୟାଗପତ୍ର ଆଦି ପ୍ରତ୍ୟେକ ଦିନ ଲୁଟପାଟ ହେଉଛି। ବଡ଼ ଆଶ୍ଚର୍ଯ୍ୟ କଥା ହେଉଛି ରାଜଧାନୀରେ ଏଭଳି ଲୁଟତରାଜ ବଢ଼ି ଚାଲିଥିଲେ ମଧ୍ୟ ରେଳବାଇ ଥାନା ଓ କମିସନରେଟ ପୁଲିସ ଏଭଳି ଅପରାଧକୁ ଏତେଟା ଗୁରୁତ୍ବ ଦେଉନାହାନ୍ତି। ଫଳରେ ୩ ବର୍ଷ ମଧୢରେ ରାଜଧାନୀରେ ୪ଶହ ଜଣ ଟ୍ରେନ୍‌ ଓ ବସଯାତ୍ରୀ ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡ଼ି ଲୁଟର ଶିକାର ହୋଇଛନ୍ତି। ଚଳିତ ବର୍ଷ ଏବେ ସୁଦ୍ଧା ୮୮ ଜଣ ଲୁଟର ଶିକାର ହୋଇ ସାରିଲେଣି। ରାଜଧାନୀରେ ଏଭଳି ୮୮ଟି ଲୁଟପାଟ ଘଟଣା ଘଟିଥିଲେ ମଧ୍ୟ ପୁଲିସ ୮ଟି ମାମଲା ମଧ୍ୟ ରୁଜୁ କରିନାହିଁ। ଏପରିକି ଗ୍ୟାଙ୍ଗର ଜଣେ ହେଲେ ବି ସଦସ୍ୟଙ୍କୁ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇନାହିଁ ପୁଲିସ। ବରଂ ଏ ଥାନା ଅଞ୍ଚଳରେ ଘଟଣା ଘଟିଛି ସେଠାକୁ ଯାଅ, ସେ ଥାନା ଅଞ୍ଚଳରେ ଘଟିଛି ସେଠାକୁ ଯାଅ କହି ଅଭିଯୋଗକାରୀଙ୍କୁ ଘଉଡ଼ାଉଛି। ଅନେକ କ୍ଷେତ୍ରରେ ଲୁଟ୍‌ର ଶିକାର ହେଉଥିବା ଯାତ୍ରୀମାନେ ମଧ୍ୟ ଚେତା ଫେରିବା ପରେ ଘଟଣା ସମ୍ପର୍କରେ କିଛି କହି ପାରୁନାହାନ୍ତି। ଫଳରେ କଥା ଥାନା ଯାଏ ପହଞ୍ଚି ପାରୁନାହିଁ। ଯାହାର ଫାଇଦା ଉଠାଉଛନ୍ତି ନିଶାଦିଆ ଲୁଟେରା। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୧୫ ମସିହାରେ ୯୯ଜଣ ନିଶା ଦିଆ ଲୁଟେରାଙ୍କ ହାବୁଡରେ ପଡ଼ି ସର୍ବସ୍ବ ହରାଇଥିବା ବେଳେ ୨୦୧୬ରେ ୧୧୯ ଜଣ, ୨୦୧୭ରେ ୧୮୨ ଜଣ ଓ ଚଳିତ ବର୍ଷ ଏବେ ସୁଦ୍ଧା ୮୮ ଜଣ ନିଆ ଦିଆ ଲୁଟେରାଙ୍କ ହାବୁଡରେ ପଡ଼ି ସର୍ବସ୍ବ ହରାଇଛନ୍ତି।

ବରମୁଣ୍ଡା ବସଷ୍ଟାଣ୍ଡ ଏବେ ନୂଆ ଆଡ଼ା
କିଛି ବର୍ଷ ତଳେ ଭୁବନେଶ୍ବର ଷ୍ଟେସନ ଥିଲା ନିଶାଦିଆ ଲୁଟେରାଙ୍କ ଆଡ଼ା। କିନ୍ତୁ ମଝିରେ ରେଳବାଇ ଥାନା ପୁଲିସ ଧରପଗଡ଼ କରିବା ପରେ ଏବେ ବରମୁଣ୍ଡା ବସଷ୍ଟାଣ୍ଡ ସେମାନଙ୍କ ନୂଆ ଆଡ଼ା ପାଲଟିଛି। ପ୍ରତ୍ୟେକ ଦିନ ବସ ଯାତ୍ରୀମାନେ ଲୁଟ୍‌ପାଟର ଶିକାର ହେଉଛନ୍ତି। ବି‌ଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ରାଜଧାନୀକୁ ଆସୁଥିବା ବସ୍‌ର ଯାତ୍ରୀମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି ନିଶାଦିଆ ଲୁଟେରା।

ଔଷଧ ଦୋକାନୀ ବି ସାମିଲ: ଡାକ୍ତର
ନିଶାଦିଆ ଲୁଟେରାମାନେ ଯାତ୍ରୀଙ୍କୁ ଲୁଟ କରିବାକୁ ଚା’ ଓ ବିସ୍କୁଟରେ ନିଶା ବଟିକା ମିଶାଉଛନ୍ତି। ଯାହାକୁ ଲୁଟେରାମାନେ ଔଷଧ ଦୋକାନରୁ କିଣୁଛନ୍ତି। କିନ୍ତୁ ଔଷଧ ଦୋକାନୀମାନେ ଏହାକୁ ବିନା ପ୍ରେସକ୍ରିପସନ୍‌ରେ ଦେବାର ନିୟମ ନାହିଁ। ଲୁଟେରାମାନେ ଏତେ ପରିମାଣର ଔଷଧ ଆଣୁଛନ୍ତି କେମିତି? ଲୁଟେରା ଗ୍ୟାଙ୍ଗ୍‌ ସହିତ କେତେକ ନିର୍ଦିଷ୍ଟ ଔଷଧ ଦୋକାନୀ ସ˚ପୃକ୍ତ ଥିବା ସ୍ପଷ୍ଟ ହେଉଛି ବୋଲି କ୍ୟାପିଟାଲ୍‌ ହସ୍ପିଟାଲ୍‌ର ବରିଷ୍ଠ ଭେଷଜ କହିଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଭଳି ନିଦ ବଟିକା ବେଳେବେଳେ ଅତ୍ୟନ୍ତ ମାରାତ୍ମକ ସାବ୍ୟସ୍ତ ହୋଇଥାଏ। ଯାତ୍ରୀଙ୍କ ମୃତ୍ୟୁ ଘଟିବାର ମଧୢ ଆଶଙ୍କା ଥାଏ।

ଅଚେତ ଯାତ୍ରୀଙ୍କ ଲାଗି ‘ସହାୟ’ ସ˚ଗଠନ
ପୁଲିସ କ୍ୟାପିଟାଲ୍‌ ହସ୍ପିଟାଲରେ ଛାଡ଼ି ଦେଇ ଆସିବା ପରେ ସହାୟ ନାମକ ଏକ ସ୍ବେଚ୍ଛାସେବୀ ସ˚ଗଠନର କାମ ଆରମ୍ଭ ହୋଇ ଯାଇଥାଏ। ଯାତ୍ରୀ ଜଣକ ଅଚେତ ଥିବାରୁ ତାଙ୍କ ନାଁ ଗାଁ ଠିକଣା ସେ କିଛି ବି କହି ପାରେ ନାହିଁ। ବାଉଳା ଚାଉଳା ହୋଇଥାନ୍ତି। ଏହି ସମୟରେ ସେମାନଙ୍କୁ ସହାୟର କର୍ମକତାର୍ମାନେ ଦିନ ରାତି ୨୪ ଘଣ୍ଟା ଜଗି ରହିଥାନ୍ତି। ସହାୟ ମୁଖ୍ୟ କୈଲାସ ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ ଗତ ୩ ବର୍ଷ ମଧୢରେ ୪୦୦ ଯାତ୍ରୀ ନିଶା ଦିଆଲୁଟେରାଙ୍କ ହାବୁଡ଼ରେ ପଡି କାଙ୍ଗାଳ ହୋଇଛନ୍ତି।

ଟାର୍ଗେଟ୍‌ରେ ପ୍ରଶାନ୍ତି ଏକ୍ସପ୍ରେସ
ମିଳିଥିବା ସୂଚନା ମୁତାବକ, ବେଙ୍ଗାଲୁରୁରୁ ଆସୁଥିବା ପ୍ରଶାନ୍ତି ଏକ୍ସପ୍ରେସର ଯାତ୍ରୀମାନଙ୍କୁ ଏହି ଲୁଟେରା ଗ୍ୟାଙ୍ଗ୍‌ ଟାର୍ଗେଟ୍‌ କରିଥାନ୍ତି। ବିଶେଷକରି ଶ୍ରମିକ ଶ୍ରେଣୀର ଯାତ୍ରୀ ଯେଉଁମାନେ ରାଜ୍ୟ ବାହାରେ ରହୁଛନ୍ତି ସେମାନଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା। ଭୋର‌୍‌ରୁ ପ୍ରଶାନ୍ତି ଏକ୍ସପ୍ରେସ ଭୁବନେଶ୍ବର ଷ୍ଟେସନ୍‌ରେ ପହଞ୍ଚିଥାଏ। ଯାତ୍ରୀମାନଙ୍କ ଆଖିରେ ନିଦ ଥାଏ। ରାତି ପାହିଲେ ଗାଁକୁ ଯିବା ଲାଗି ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଲକ୍ଷ୍ୟ ରଖିଥାଏ ଷ୍ଟେସନ ଆଖପାଖରେ ବୁଲାବୁଲି କରୁଥିବା ଲୁଟେରା। କଥାଛଳରେ ବନ୍ଧୁତା କରି ଚା’ ପିଇବା ଲାଗି ନିକଟ ଦୋକାନକୁ ଡାକି ନେଇଥାଏ। ତା’ ପରେ ଚା’ କିମ୍ବା ବିସ୍କୁଟରେ ନିଶା ମିଶାଇ ଦେଇ ଯାତ୍ରୀଙ୍କୁ ଖାଇବାକୁ ଦେଇଥାଏ।

ବେଙ୍ଗାଲୁରରୁ ଉଠୁଛନ୍ତି ଲୁଟେରା
ଆଉ କିଛି ଲୁଟେରା ଗ୍ୟାଙ୍ଗ ବେଙ୍ଗାଲୁରରୁ ଉଠିଥାନ୍ତି। ସାଧାରଣ ବର୍ଗରେ ଯାତ୍ରୀ ହୋଇ ଆସିଥାନ୍ତି। ବର୍ଗରେ ଥିବା ଯୁବ ଯାତ୍ରୀ ବିଶେଷକରି ଯେଉଁମାନେ ଏକୁଟିଆ ଥାନ୍ତି, ସେମାନଙ୍କୁ ଟାର୍ଗେଟ କରିଥାନ୍ତି। କଥା ହୋଇ ସେମାନଙ୍କ ନାଁ ଗାଁ ଓ ଠିକଣା ବୁଝି ନିଅନ୍ତି। ଆଉ ନିଜର ଠିକଣା ଯାତ୍ରୀଙ୍କ ଜିଲ୍ଲାର ବୋଲି କହିବା ସହିତ ସମ୍ପର୍କ ବଢ଼ାଇଥାନ୍ତି। ଯାତ୍ରା ସମୟରେ ଯାତ୍ରୀଙ୍କ ସହିତ ମିଶି ଯାଇଥାନ୍ତି। ଷ୍ଟେସନ୍‌ରେ ଓହ୍ଲାଇବା ପରେ ଉଭୟ ମିଶି କରି ଗାଁକୁ ଯିବା କହିଥାଏ ଲୁଟେରା। ଏଥିପାଇଁ ଅଟୋ କିମ୍ବା କାର ଭଡ଼ା କରିଥାନ୍ତି। ଏହି ସମୟ ମଧୢରେ ଲୁଟେରାଜଣକ ନିଦ ଆସିବାର ଅଭିନୟ କରି ଷ୍ଟେସନ ନିକଟରୁ ଚା’ କିମ୍ବା ବିସ୍କୁଟ ଧରି ଆସିଥାଏ। ଲୁଟେରା ଜଣକ ନିଜେ ମଧୢ ଚା’ ପିଏ, ବିସ୍କୁଟ ଖାଏ। ଚା’, ବିସ୍କୁଟ ଖାଇବା ପରେ ଯାତ୍ରୀକୁ ନେଇ ଅଟୋରେ ବସାଇଥାନ୍ତି। କିଛି ସମୟରେ ପରେ ଅଚେତ ହୋଇଗଲା ପରେ ତାଠାରୁ ସମସ୍ତ ଜିନିଷପତ୍ର ଲୁଟି ତାକୁ ରାସ୍ତାକଡ଼ରେ ଫିଙ୍ଗି ଦେଇଥାଏ ଲୁଟେରା।

ସମ୍ବନ୍ଧିତ ଖବର