୯ରୁ ରାଜଧାନୀରେ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ରଘୁନାଥ ବେଶ

ଭୁବନେଶ୍ବର : ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ରଘୁନାଥ ବେଶ ପ୍ରତ୍ୟକ୍ଷ କରିବାର ସୁଯୋଗ ମିଳିବ। ଶେଷଥର ପାଇଁ ୧୯୦୫ରେ ଏହି ବେଶ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୯ ତାରିଖରେ ଶ୍ରୀଜଗନ୍ନାଥଙ୍କ ଏହି ଦୁର୍ଲଭ ରଘୁନାଥ ବେଶ ପ୍ରତୀକାତ୍ମକ ଭାବେ ଦେଖିବାର ଅବସର ଆଣିଦେବ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ୍‌ ଓ ନାଲ୍‌କୋ ନଗର ମନ୍ଦିର କମିଟି। ନାଲ୍‌କୋ କମ୍ୟୁନିଟି ସେଣ୍ଟର ଓ ଦୁର୍ଗାପୂଜା ପଡ଼ିଆରେ ପ୍ରଭୁଙ୍କୁ ଏହି ବେଶରେ ସୁସଜ୍ଜିତ କରାଯିବ। ୩ ଦିନ ପର୍ଯ୍ୟନ୍ତ ଏହି ବେଶ ପ୍ରଦର୍ଶନ ସହ ଆଲୋଚନାଚକ୍ର ଅନୁଷ୍ଠିତ ହେବ।

ପ୍ରଭୁ କେବେ ସିଂହାସନରେ ତ କେବେ ରଥ ଉପରେ ବିଭିନ୍ନ ବେଶରେ‌ ଦେଖିବାକୁ ମିଳୁଥିଲେ ହେଁ ଇତିହାସ, ଶ୍ରୀମନ୍ଦିର ରେକର୍ଡରୁମ୍‌ ଓ ମାଦଳା ପାଞ୍ଜି ଅନୁସାରେ ରଘୁନାଥ ବେଶ ହେଉଛି ସବୁଠୁ ବିରଳ ବେଶ। ଏହି ବେଶରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସମେତ ବହୁ ପାର୍ଶ୍ବଦେବାଦେବୀ, ରାମ ଦରବାର, ମୁନିଋଷି, ବାନରସେନା ବେଶ ହୋଇଥାଆନ୍ତି। ତେଣୁ ଏହିଭଳି ଏକ ପ୍ରଦର୍ଶନ ଆକର୍ଷଣ ସାଜିବ ବୋଲି ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି। ଏଥିସହ ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ସଂସ୍କୃତି ଭିତ୍ତିକ ଆଲୋଚନା, ପାରମ୍ପରିକ ଭକ୍ତି ସଂଗୀତ, ଓଡ଼ିଶୀ ନୃତ୍ୟ ପରିବେଷିତ ହେବ। ଭାରତର ପ୍ରସିଦ୍ଧ ଓ ପୁରାତନ ମନ୍ଦିରରେ ବେଶ ପରମ୍ପରା ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ବନାରସ, ତିରୁପତି, ମୁମ୍ବାଇ, କୋଲକାତା, ଗୁଜୁରାଟ ଓ ଓଡ଼ିଶାର ବହୁ ବିଦ୍ବାନ ଗବେଷକମାନେ ଯୋଗଦେଇ ପ୍ରବନ୍ଧ ଉପସ୍ଥାପନ କରିବେ। ଏହି ବେଶ ପ୍ରଦର୍ଶନୀରେ ଯୋଗଦେବା ପାଇଁ ମହୋତ୍ସବର ଉପାଧ୍ୟକ୍ଷ ନନ୍ଦ କିଶୋର ଜେନା ଓ ଅନ୍ୟ କର୍ମକର୍ତାମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର