ଇଭ୍‌ ଏନ୍ସଲର୍‌ଙ୍କ ‘ଦି ଭାଜିନା ମନୋଲୋଗ୍‌ସ’ ପ୍ରଦର୍ଶନ ଆଜି

ପରିବେଷଣ କରିବେ ତନୟା ଓ ଗ୍ରୁପ୍‌

ଭୁବନେଶ୍ୱର: ଇଭ୍‌ ଏନ୍ସଲର୍‌ଙ୍କ ବହୁଚର୍ଚିତ ନାଟକ ‘ଦି ଭାଜିନା ମନୋଲୋଗ୍‌ସ’ ବୁଧବାର ହୋଟେଲ ମେ ଫେୟାରରେ ପ୍ରଦର୍ଶିତ ହେବ। ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ଓ ତାଙ୍କ ଗ୍ରୁପ୍‌ ପକ୍ଷରୁ ଏହି ନାଟକ ପରିବେଷଣ କରିବେ। ପ୍ରାଚୀ ଅଗ୍ରଓ୍ଵାଲ ମହାଜନ ଏହାର ନିର୍ଦେଶନା ଦେଇଥିବା ବେଳେ ଏଥିରେ ତନୟା, ଗାର୍ଗୀ, ବିନୀତା ଘୋଷାଲ, ଧୃବାଣୀ ମିଶ୍ର, ଫ୍ଲୋରା ସ୍ୱାଇଁ ଓ ସ୍ନେହ ଅଗ୍ରଓ୍ଵାଲ ପ୍ରମୁଖ ଅଭିନୟ କରିବେ। ମହିଳାଙ୍କ ଜନନେନ୍ଦ୍ରିୟ ଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ଏହି ନାଟକ ଆଧାରିତ ହୋଇଥିବାବେଳେ ରାଜଧାନୀର ଲୋକଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ନାଟକ ସଂପର୍କରେ ସୂଚନା ଦେଇ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଭୁବନେଶ୍ୱରରେ ଏହି ନାଟକ ୭/୮ବର୍ଷ ତଳେ ପ୍ରଦର୍ଶିତ ହୋଇଥିଲା। ଭୋଡାଫୋନ୍‌ କମ୍ପାନି ରାଜଧାନୀରେ ନିଜର ମୋବାଇଲ ସେବା ଆରମ୍ଭ କରିବା ଅବସରରେ ୩୦ଜଣ ଲୋକଙ୍କୁ ନେଇ ଏହା ଏକ ଘରୋଇ ମହୋଲରେ ପ୍ରଦର୍ଶିତ ହୋଇଥିଲା। ମୋଡି କୋଟଓ୍ଵାଲ ଓ ତାଙ୍କ ଗ୍ରୁପ୍‌ ଏହି ନାଟକ ଏହାକୁ ପ୍ରଦର୍ଶନ କରିଥିଲେ। ତେବେ ରାଜଧାନୀର ଅଧିକାଂଶ ଲୋକଙ୍କୁ ଏ ସଂପର୍କରେ ଜଣାନାହିଁ। ବ୍ରିଟେନ୍‌ରେ ପଢ଼ୁଥିବା ସମୟରେ ଏଭଳି ନାଟକ ତାଙ୍କୁ ଦେଖିବାର ସୁଯୋଗ ମିଳିଥିଲା। ଯାହାକି ତାଙ୍କ ମନରେ ଗଭୀର ରେଖାପାତ କରିଥିଲା। ଗତବର୍ଷ ଭୁବନେଶ୍ୱର ଓପନ ମାଇକ୍‌ କାର୍ଯ୍ୟକ୍ରମ ‘ଅନଗ୍ରିପ୍‌’ ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଯୌନ ଶୋଷଣ ଓ ହିଂସାର ଶିକାର ହୋଇଥିବା ମହିଳାମାନଙ୍କୁ ନିଜ ଆଡ଼ୁ ଏ ସଂପର୍କରେ କାର୍ଯ୍ୟକ୍ରମରେ ମତ ରଖିବା ପାଇଁ ସୁଯୋଗ ମିଳିଥିଲା। ଏହାର ସଫଳତା ପରେ ଚଳିତ ବର୍ଷ ‘ଭାଜିନା ମନୋଲୋଗ୍‌ସ’ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ସ୍ଥାନୀୟ ଲୋକଙ୍କୁ ଏହି ପ୍ରଦର୍ଶନରେ ସାମିଲ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀମତୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଆରମ୍ଭରୁ ଏଭଳି ଏକ ସମ୍ବେଦନଶୀଳ ବିଷୟରେ କେହି ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିଲେ। ଲୋକଙ୍କୁ ବୁଝାଇବା ବେଶ କଷ୍ଟକର ହୋଇଥିଲା। ଏପରିକି ୫ଘଣ୍ଟାର ଅଡିସନ୍‌ ପରେ ମଧ୍ୟ ଜଣେ ଏଥିରୁ ଓହରି ଯାଇଥିଲେ। ସେଥିପାଇଁ ନିଜେ ଏହି ନାଟକରେ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲି। ମୋର ଜଣେ ସହକର୍ମୀ ନିର୍ଦେଶକ ଦାୟିତ୍ୱ ତୁଲାଇଥିଲେ। ଓଡ଼ିଆ ଲୋକଙ୍କ ଆଗରେ ଏଭଳି ଏକ ନାଟକର ପ୍ରଦର୍ଶନ ପାଇଁ ମନରେ ଅନେକ ଉତ୍କଣ୍ଠା ରହିଛି। ଏଥିପାଇଁ ସମସ୍ତ ସିଟ୍‌ ବୁକିଂ ହୋଇଥିବା ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର