୧୦ ଶିଶୁଙ୍କ ମଧ୍ୟରେ ୪ ଜଣଙ୍କ ଉଚ୍ଚତା କମ୍‌

ଚନ୍ଦ୍ରଶେଖରପୁର: ‌ଦେଶର ୫ ବର୍ଷରୁ କମ୍‌ ଶିଶୁମାନଙ୍କ ଭିତରେ ଏକ ତୃତୀୟା˚ଶ ସେମାନଙ୍କ ବୟସ ତୁଳନାରେ କମ ଉଚ୍ଚତା ବିଶିଷ୍ଟ। ଖାଦ୍ୟ ଓ କୃଷି ସଙ୍ଗଠନ(ଏଫ୍‌ଏଓ)ର ତଥ୍ୟ ଅନୁଯାୟୀ, ଅପପୁଷ୍ଟିକୁ ମୁକାବିଲା କରିବା ଦିଗରେ ଭାରତ ଆଖିଦୃଶିଆ ଅଗ୍ରଗତି ହାସଲ କରିଛି। ୨୦୦୫-୦୭‌ରେ ଦେଶରେ ଅପପୁଷ୍ଟିରେ ଆକ୍ରାନ୍ତ ଲୋକମାନଙ୍କ ସ˚ଖ୍ୟା ୨୦ କୋଟି ୪୧ ଲକ୍ଷ ରହିଥିଲା। ୨୦୧୫-୧୭ରେ ତାହା ୧୯ କୋଟି ୫୯ ଲକ୍ଷକୁ ଖସିଆସିଛି। ଓଡ଼ିଶାରେ ୫ବର୍ଷରୁ କମ୍‌ ବୟସର ପ୍ରତି ୧୦ଜଣ ଶିଶୁଙ୍କ ଭିତରେ ୪ଜଣ ବୟସ ତୁଳନାରେ କମ୍‌ ଉଚ୍ଚତା ବିଶିଷ୍ଟ। ଶତକଡ଼ା ୩୫ରୁ ଅଧିକ ସ˚ଖ୍ୟକ ଶିଶୁ ସ୍ବଳ୍ପ-ଓଜନ ସମସ୍ୟାର ସମ୍ମୁ୍ଖୀନ ହୁଅନ୍ତି। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ତୁଳନାରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମହିଳା ଓ ବାଳିକାଙ୍କ ମଧୢରେ ଅପପୁଷ୍ଟିର ସମସ୍ୟା ଅଧିକ ବୋଲି କେୟାର ଇଣ୍ଡିଆ ପକ୍ଷରୁ ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ ଏକ କର୍ମଶାଳାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ‘ଜଳବାୟୁ ଅନୁକୂଳିତ ପୌଷ୍ଟିକତା-ଆଧାରିତ କୃଷି ପ୍ରଣାଳୀ: ଓଡ଼ିଶାରେ ପୌଷ୍ଟିକ ସୁରକ୍ଷା ହାସଲର ଏକ ପ୍ରଶସ୍ତ ମାର୍ଗ’ ଶୀର୍ଷକ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହି‌ଲେ ଅର୍ଥ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ନିଜର ଉତ୍ପାଦନକୁ ବିକ୍ରି କରି ଦେଉଛନ୍ତି। ତେଣୁ ନିଜ ପରିବାରର ପୁଷ୍ଟି ଆବଶ୍ୟକତା ପୂରଣ ହୋଇପାରୁ ନାହିଁ। ରାଜ୍ୟ ସରକାର କୃଷି ଓ କୃଷକ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ସେଗୁଡ଼ିକର ସଫଳ ରୂପାୟନ ହୋଇ ପାରିଲେ, ପାରିବାରିକ ପୋଷଣ ଆବଶ୍ୟକତା ପୂରଣ ହୋଇପାରିବ ବୋଲି ସେ କହିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସୌରଭ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବେସରକାରୀ ସ˚ଗଠନ, ରାଜ୍ୟର ବୁଦ୍ଧିଜୀବୀ ଓ ବିଭିନ୍ନ ଗବେଷଣାରତ ଅନୁଷ୍ଠାନଙ୍କ ମିଳିତ ସହଯାଗ ଓ ଯୋଜନ ପ୍ରସ୍ତୁତ ଉପରେ ଆଲୋକପାତ କରିଥିଲେ। ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଯୋଗଦେଇ ପାଣିପାଗ ଓ ଜଳବାୟୁ ପରିବର୍ତନର ପ୍ରଭାବ କୃଷି ଉପରେ କିଭଳି ପଡ଼ୁଛି ସେନେଇ ମତ ରଖିଥିଲେ। ତରିନାର ଉପଦେଷ୍ଟା ଅବସରପ୍ରାପ୍ତ ଆଇଏଏସ୍‌ ଅରବିନ୍ଦ ବେହେରା, ନିର୍ଦେଶକ ନିଖିଲ୍‌ ରାଜ, ସିଆଇଏସ୍‌ଏସ୍‌ଡିର ଆରପିଡି ଶାନ୍ତାମୟ ଚାଟାର୍ଜୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର