ଭୁବନେଶ୍ବର: କାହିଁ କେଉଁ ଅମଳର କଥା। ନୂଆପଲ୍ଲୀ ଅଞ୍ଚଳର ଜନବସତିକୁ ଛାଡ଼ିଦେଲେ ଆଖପାଖ ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଜଙ୍ଗଲ ଭିତରେ ବିଶାଳକାୟ ବରଗଛଟିଏ ଥିଲା। ବେହେରା ସାହିର ବାସିନ୍ଦାମାନେ ନିଜ ଘରେ ଗାଈ ରଖୁଥିବାରୁ ଦୋଳ ପୂର୍ଣ୍ଣମୀ ବେଳେ ଏଇ ବରଗଛ ତଳେ ଗୋ ବନ୍ଦାଣ ପର୍ବ ପାଳନ କରୁଥିଲେ। ବାଡ଼ି ଖେଳଠୁ ଆରମ୍ଭ କରି ଦୋଳପର୍ବକୁ ଏଇଠି ବେହେରାମାନେ ଧୁମ୍ଧାମରେ ପାଳୁଥିଲେ। ଫକୀର ବେହେରା ନାମକ ଜଣେ ବ୍ୟକ୍ତି ବେହେରା ସାହିର ଏକ ବେଲଗଛଠାରୁ କିଛି ଦୂରରେ ଏକ ମୂର୍ତି ଦେଖିବାକୁ ପାଇଲେ। ପରେ ସେ ତାକୁ ଆଣି ସେହି ଜଙ୍ଗଲ ମଧୢରେ ଥିବା ବରଗଛ ତଳେ ସ୍ଥାପନ କଲେ। ଦୋଳ ପୂର୍ଣ୍ଣମୀରେ ଗୋ-ବନ୍ଦାଣ କରାଯାଉଥିବାରୁ ଏଠାରେ ସ୍ଥାପିତ ମା’ କାଳକ୍ରମେ ‘‘ମା’ ବନ୍ଦାଣ ବର’’ ନାମରେ ପ୍ରତିଷ୍ଠିତ ହେଲେ। ସେହିଦିନଠାରୁ ମା’ ରୀତିମତ ପୂଜା ପାଇ ଆସୁଛନ୍ତି ବୋଲି କହିଛନ୍ତି ଯଦୁମଣି ବେହେରା। ସ୍ଥାନୀୟ ଅଞ୍ଚଳବାସୀ ମା’ଙ୍କୁ ପ୍ରତ୍ୟକ୍ଷ ଦେବୀ ମାନି ଆସିଛନ୍ତି। ଯେବେ ୧୯୮୨ ମସିହାରେ ଏଠାରେ ଆଇଆର୍ସି ଗ୍ରାମ ପାଇଁ ଯୋଜନା ହେଲା, ଏଠାରୁ ଜଙ୍ଗଲ ସଫା ପାଇଁ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ବ ନେଇଥିଲା। ଜଙ୍ଗଲ ସିନା ସଫା ହୋଇଥିଲା, କିନ୍ତୁ କୌଣସି ଏକ ଅଲୌକିକ ଶକ୍ତିର ପ୍ରଭାବ ଯୋଗୁଁ ଏହି ବରଗଛ ପ୍ରଶାସନ କାଟି ପାରିନଥିଲା ବୋଲି ବାସିନ୍ଦାମାନଙ୍କ ବିଶ୍ବାସ।
Sambad is now on WhatsApp
Join and get latest news updates delivered to you via WhatsApp
ମା’ଙ୍କ ଷୋଳପୂଜା କରୁଥିବା ଉମାକାନ୍ତ ନନ୍ଦଙ୍କ କହିବା ଅନୁଯାୟୀ, ଏଠି ସ୍ଥାପିତ ମା’ ପ୍ରତ୍ୟକ୍ଷ ଦେବୀ। ମା’ଙ୍କୁ ପୂଜା କରିବା ସମୟରେ ସେହି ଜାଗାକୁ ଆସିଲେ ଦେହ ଶୀତେଇ ଯାଏ। ପୁଷ୍ପାଞ୍ଜଳି ଦେବା ବେଳେ ଆଖିରେ ଲୁହ ଜକେଇ ଆସେ ବୋଲି ସେ କହିଛନ୍ତି। ଏଠି ରୀତିମତ ପୂଜା ଚାଲିଥିବା ବେଳେ ୧୯୮୭ ମସିହାରେ ଆଡ଼ମ୍ବରପୂର୍ଣ୍ଣ ପୂଜା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇ ମୃଣ୍ମୟୀ ମୂର୍ତି ପୂଜା ଆରମ୍ଭ କରିଥିଲେ। ସେବେଠାରୁ ଏଠାରେ ଜାକଜମକରେ ପୂଜା ଅନୁଷ୍ଠିତ ହୋଇ ଆସୁଛି। ଏହି ପୀଠର ଆଉ ଏକ ବିଶେଷତ୍ବ ହେଉଛି ଯେ ଏଠାରେ ଏକ ସୁଡ଼ଙ୍ଗ ରହିଛି। ସ୍ଥାନୀୟ କର୍ପୋରେଟର ନବକିଶୋର ବେହେରା ଜନଶ୍ରୁତିକୁ ଆଧାର କରି କୁହନ୍ତି, ଏଠାରୁ ଏକ ସୁଡ଼ଙ୍ଗ ଖଣ୍ତଗିରି ପର୍ଯ୍ୟନ୍ତ ଏବ˚ ଖଣ୍ତଗିରିରୁ ବଡ଼ଗଡ଼ ପର୍ଯ୍ୟନ୍ତ ଯାଇଥିବା ବିଶ୍ବାସ। ଯାହା ଏବେ ରାଜ୍ୟ ଅଭିଲେଖାଗାରରେ ଦୃଶ୍ୟମାନ ହୁଏ। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଗ୍ରାମର ଶଙ୍କର ବେହେରା ନାମକ ଜଣେ ବ୍ୟକ୍ତି ମଧୢ ସୁଡ଼ଙ୍ଗକୁ ଖୋଳି କିଛି ବାଟ ଯାଇଥିଲେ। ମାତ୍ର ଅଳ୍ପ ବାଟ ଯାଇ ସେ କୌଣସି କାରଣରୁ ଫେରି ଆସିଥିଲେ ବୋଲି ସେ କହିଛନ୍ତି। କିନ୍ତୁ ଏ ସମ୍ବନ୍ଧରେ ଏଯାଏ ଗବେଷଣା ହୋଇପାରିନଥିବାରୁ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିନି।