ମୁଁ ତେବେ ଇଣ୍ଡଷ୍ଟ୍ରିର ସବୁଠୁ ଭଲ ମା…

ଦିନେ ଅନିତା ମଜାରେ କହିଥିଲେ

ଭୁବନେଶ୍ୱର(ସତ୍ୟନାରାୟଣ ରାଉତରାୟ): ମହମ୍ମଦ ମହସିନ୍‌ଙ୍କ ଚଳଚ୍ଚିତ୍ର ‘ଜନନୀ’ର ସୁଟିଂ ଚାଲିଥାଏ। ଅଗଣାରେ ଛୁଆଟିଏ ଖେଳୁଥିବା ବେଳେ ଚଳଚ୍ଚିତ୍ରର କାହାଣୀ ଦୃଷ୍ଟିରୁ ଗୋଟେ ସାପକୁ ଛଡ଼ା ଯାଇଥିଲା। ସମସ୍ତେ ଠିଆ ହୋଇ ଏ ଦୃଶ୍ୟ ଦେଖୁଥାନ୍ତି। କିନ୍ତୁ ସାପଟି ଛୁଆ ଆଡ଼କୁ ମାଡ଼ିମାଡ଼ି ଯାଉଥିବା ଦେଖି ଦୂରରେ ଠିଆ ହୋଇଥିବା ଅନିତାଙ୍କ ମନ ଆଉ ସମ୍ଭାଳିଲାନି। ସେ ତୁରନ୍ତ ସାପ ପାଖକୁ ଦୌଡ଼ି ଯାଇ ନିଜ ହାତରେ ସାପକୁ ଦୂରକୁ ଫୋପାଡ଼ି ଦେଲେ। ଏହା ସେ ଚଳଚ୍ଚିତ୍ରର ଲିଖିତ ଦୃଶ୍ୟ ନଥିଲା, ବରଂ ଅନିତାଙ୍କ ଭିତରେ ଥିବା ମାତୃ ସୁଲଭ ମମତାର ଏ ବାସ୍ତବ ନିଦର୍ଶନ ସେଦିନ ପୂରା ଫିଲ୍ମ ୟୁନିଟ୍‌କୁ ସ୍ତମ୍ଭୀଭୂତ କରିଦେଇଥିଲା। ପ୍ରଥିତଯଶା ଅଭିନେତ୍ରୀ ଅନିତା ଦାସ ଆଉ ନାହାନ୍ତି ସତ କିନ୍ତୁ ତାଙ୍କ ବାତ୍ସଲ୍ୟର ଏହି ଅଭୁଲା ସ୍ମୃତିକୁ ଦୋହରାଇବା ବେଳେ ଛଳଛଳ ହୋଇଯାଇଥିଲେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି। ଦିନ ଥିଲା, ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବନଜା, ଅନିତା ଓ ତ୍ରିପୁରା ହିଁ ପରଦା ଉପରେ ଦିଶୁଥିଲେ। ବନଜା ଓ ତ୍ରିପୁରା ନାୟିକା ଭିତରେ ସୀମିତ ରହିଲେ, କିନ୍ତୁ ଅନିତାଙ୍କ ଭିତରେ ଥିବା ମାତୃ ସୁଲଭ ମନ ତାଙ୍କୁ ମା’ ଚରିତ୍ରରେ ସବୁଦିନ ପାଇଁ ବାନ୍ଧିଦେଲା। ବୋଧେ ସେଇଥିପାଇଁ ଦିନେ ବୁଦ୍ଧାଦିତ୍ୟଙ୍କ ମା’ ଭୂମିକାରେ ଅଭିନୟ କରିବା ପରେ ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟ ଅନିତାଙ୍କୁ କଥା ଛଳରେ ମଜାରେ କହି ଦେଇଥିଲେ, ଅନିତା ତୁମର ମା ଭୂମିକା ସବୁଠୁ ଚମତ୍କାର। ଅନିତା ପ୍ରତ୍ୟୁତ୍ତରରେ କହିଥିଲେ, ତା’ ହେଲେ ମୁଁ ସିନେ ଇଣ୍ଡଷ୍ଟ୍ରିର ସବୁଠୁ ଭଲ ମା’। ମହାଶ୍ୱେତା କହିଥିଲେ, ୟେସ୍‌ ୟୁ ଆର୍‌…। ଆଜି ବି ଏକଥା ମନରୁ ଯାଉନି। ଏବେ ବି ବିଶ୍ୱାସ ହେଉନି, ଅନିତା ଆଉ ନାହିଁ। ଶଙ୍ଖ ମହୁରୀ, ମା ମମତା, ସ୍ୱପ୍ନ ସାଗର ଭଳି ଚଳଚ୍ଚିତ୍ରରେ ମହାଶ୍ୱେତା ଅନିତାଙ୍କ ସହ ଏକାଠି ଅଭିନୟ ବେଳେ ପାଲଟି ଯାଇଥିଲେ ସବୁଠୁ ଭଲ ସାଙ୍ଗ। ସେଇ ବନ୍ଧୁତ୍ୱ ଓ ଆତ୍ମୀୟତା ପାଇଁ ଅନିତାଙ୍କୁ ଦେଖିବା ପାଇଁ ମହାଶ୍ୱେତା ମୁମ୍ବାଇରୁ ଓଡ଼ିଶା ଚାଲି ଆସିଛନ୍ତି। ୪୨ ବର୍ଷ ଧରି ଅଭିନୟରେ ଚମତ୍କତ କରିଥିବା ଅନିତାଙ୍କ ସହ ଅଭିନୟ ଜୀବନର ଆଉ ଏକ ପୁରୁଣା ସ୍ମୃତିକୁ ଉଦ୍ଧାର କରି କୁହନ୍ତି, ଯେବେ ବି ଅନିତା ଅଭିନୟ କରୁଥିଲେ ନିଜ ଚରିତ୍ରରେ ହଜି ଯାଉଥିଲେ। ‘କି ହେବ ଶୁଆ ପୋଷିଲେ’ ଚଳଚ୍ଚିତ୍ରରେ ଅନିତା ନିଜ ସନ୍ତାନଙ୍କ ଦ୍ୱାରା ପ୍ରତାରିତ ହେବା ପରେ ଘର ଗଢ଼ିବା ପାଇଁ ନିଜ ଆଙ୍ଗୁଠିରୁ ମୁଦି କାଢ଼ିବାର ଦୃଶ୍ୟ ସୁଟିଂ ଚାଲିଥିଲା। କିନ୍ତୁ ଅନିତା ସେ ଚରିତ୍ରରେ ଏତେ ବୁଡ଼ି ଯାଇଥିଲେ ଯେ, ମୁଦି କାଢ଼ିବା ବେଳେ ପନିକିରେ ଆଙ୍ଗୁଠି କାଟି ଦେଇଥିଲେ। ‘ପୁଅ ମୋର କଳା ଠାକୁର’ ହେଉ ଅବା ‘କି ହେବ ଶୁଆ ପୋଷିଲେ’, ଭଳି ସିନେମାରେ ତାଙ୍କ ଦୁଃଖିନୀ ମା’ର ଚରିତ୍ର ଲକ୍ଷଲକ୍ଷ ଦର୍ଶକଙ୍କ ଆଖି ଛଳଛଳ କରି ଦେଉଥିଲେ ହେଁ ଅନିତା ଥିଲେ ଜଣେ ଖୁସିବାସୀ ମଣିଷ। ମା’ ଭୂମିକାରେ ତାଙ୍କର ଅଭିନୟର ସ୍ୱୀକୃତି ପାଇଁ ଓଲିଉଡ୍‌ ଆଜି ଖାଲି ଜଣେ ମା’କୁ ହରାଇନି, ବରଂ ସିନେ ଦୁନିଆରେ ତାଙ୍କର ପୁଅ ଝିଅ ସାଜିଥିବା ଅନେକ ଅଭିନେତା ଅଭିନେତ୍ରୀଙ୍କୁ ଯେମିତି ମା’ଛେଉଣ୍ଡ କରି ଦେଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ
ଭୁବନେଶ୍ୱର ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ଶ୍ରୀ ପଟ୍ଟନାୟକ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଅକାଳ ବିୟୋଗରେ ସେ ଦୁଃଖିତ। ତାଙ୍କର ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଗଲା। ଶ୍ରୀ ପ୍ରଧାନ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଓଡ଼ିଶା ବିରଳ ଅଭିନେତ୍ରୀଙ୍କୁ ହରାଇଲା
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ଅନିତା ଦାସ ୮୦ ଦଶକରୁ ସକ୍ରିୟ ଭାବେ ଅଭିନୟ ଆରମ୍ଭ କରିଥିଲେ। ଯାଯାବର ସିନେମାରୁ ଆରମ୍ଭ ହୋଇଥିବା ତାଙ୍କ ଅଭିନୟର ଜୟଯାତ୍ରା ଅନନ୍ୟ ଥିଲା। ମା’ ଚରିତ୍ର ସମେତ ନାୟିକା ଭୂମିକାରେ ୮୦ରୁ ଅଧିକ ଫିଲ୍ମରେ ତାଙ୍କର ବାସ୍ତବବାଦୀ ଅଭିନୟ ଦର୍ଶକମାନଙ୍କୁ ଆଜୀବନ ସ୍ମରଣ କରି ରଖିବ। ‘ଭକ୍ତ ସାଲବେଗ’, ‘ତପସ୍ୟା’ ସିନେମାରେ ଅଭିନୟ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ। ୧୯୮୮ରେ ସିନେ କ୍ରିଟିକ୍‌ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ବିରଳ ଅଭିନେତ୍ରୀଙ୍କୁ ହରାଇଲା।
ଦିଲ୍ଲିପ ହାଲ୍ଲୀ, ସମ୍ପାଦକ, ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ

ଓଡ଼ିଆ ସିନେମା ଜଗତରେ ଶୂନ୍ୟ ସ୍ଥାନ ହୋଇଛି
୮୦ ଦଶକରୁ ଚଳଚ୍ଚିତ୍ର ଜୀବନ ଆରମ୍ଭ କରି ଅଭିନୟରେ ନିଜ ପ୍ରତିଭା ଓ ଦକ୍ଷତାର ପରିଚୟ ଦେଇଥିଲେ। ଜଣେ ଉଚ୍ଚକୋଟୀର ଅଭିନେତ୍ରୀ ଭାବେ ତାଙ୍କର ଖ୍ୟାତି ରହିଥିଲା। ଅଗଣିତ ସିନେପ୍ରେମୀଙ୍କ ପ୍ରଶଂସାଭାଜନ ହୋଇଥିଲେ। ଅଭିନୟ ସହ ସମାଜସେବା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଭୀର ରୁଚି ରଖୁଥିବା ଅଭିନେତ୍ରୀ ଅନୀତା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସିନେମା ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।
ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ

ସମ୍ବନ୍ଧିତ ଖବର