ବିରୋଧ ସତ୍ତ୍ବେ ଭାଙ୍ଗିଲା ତାରିଣୀ ମନ୍ଦିର, ଅଫିସ୍‌ରେ ରହିଲେ ତାରିଣୀ

ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଆଜି ପୁଣି ଜବରଦଖଲ ଉଚ୍ଛେଦ କରାଯାଇଥିଲା। ମନ୍ଦିର ଦକ୍ଷିଣଦ୍ବାର ନିକଟ ତାରିଣୀ ମନ୍ଦିର, ଶୌଚାଳୟ, ତଳ ବଜାର, ଇଲେକ୍ଟ୍ରି ଅଫିସ୍‌ ଛକ, କୋଟି ତୀର୍ଥେଶ୍ବର ଗଳିରୁ ବିଭିନ୍ନ ସରକାରୀ ଜମିରେ ଉଚ୍ଛେଦ କରାଯାଇଥିଲା। ଏହି ଉଚ୍ଛେଦ ବେଳେ ଚାପା ଉତ୍ତେଜନା ଦେଖା ଦେଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଘୋଷଣା ଅନୁଯାୟୀ ଆଜି ମନ୍ଦିର ଦକ୍ଷିଣ-ଉତ୍ତର କୋଣ ଓ ଉତ୍ତର ପଶ୍ଚିମରେ ଥିବା ସବୁ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ବିଡିଏ, ବିଏମ୍‌ସି, ସାଧାରଣ ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବାହ୍ନ ସାଢ଼େ ୧୦ଟାରେ ଉଚ୍ଛେଦ ଆରମ୍ଭ ହୋଇଥିଲା। ୨୦ଟି କ୍ୟାବିନ୍‌, ୩ଟି ଛାତ ଘର, ୧୧ଟି ଦୋକାନ ଓ ଘରର ଆଗକୁ ଆସିଥିବା ପାହାଚକୁ ମିଳିତ ସ୍କ୍ବାଡ୍‌ ଭାଙ୍ଗିଥିଲେ। ତେବେ ଲିଙ୍ଗରାଜ ହାଟ ନିକଟରେ ତାରିଣୀ ମନ୍ଦିର ଉଚ୍ଛେଦ କରିବା ବେଳେ କିଛି ଲୋକ ଏହାର ତୀବ୍ର ବିରୋଧ କରିଥିଲେ। ଏପରିକି ଯିଏ ମନ୍ଦିର ଭାଙ୍ଗିବ, ତା’ର ଅନିଷ୍ଟ ହେବ ବୋଲି କହିଥିଲେ। କିନ୍ତୁ ଉଚ୍ଛେଦକାରୀ ଦଳ ସେମାନଙ୍କ କଥାକୁ ଖାତିର୍‌ ନକରି ଆଗକୁ ବଢ଼ିଥିଲେ। ଠାକୁରାଣୀ(ତାରିଣୀ ଓ ମା’ କାଳୀ)ଙ୍କ ମୂର୍ତିକୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜିମା ଦିଆଯିବା ପରେ ବୁଲ୍‌ଡୋଜର୍‌ ସାହାଯ୍ୟରେ ମନ୍ଦିରକୁ ମାଟିରେ ମିଶାଇ ଦିଆଯାଇଥିଲା। ମନ୍ଦିର କାର୍ଯ୍ୟାଳୟରେ ପୂର୍ବରୁ ଏକ ମା’ଙ୍କ ମୂର୍ତିକୁ ବିନ୍ଦୁସାଗରରୁ ଉଦ୍ଧାର ହୋଇ ରଖାଯାଇଥିବା ବେଳେ ଆଜି ଏହି ଦୁଇ ମୂର୍ତି ରଖାଯାଇଛି।

ଅପରପକ୍ଷେ ହାଟ ନିକଟ ଶୌଚାଳୟ, ମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ସରକାରୀ ଜମି, ତଳ ବଜାରରେ ଥିବା ସରକାରୀ ଜମି, କୋଟି ତୀର୍ଥେଶ୍ବର ଗଳି ଓ ଇଲେକ୍ଟ୍ରି ଅଫିସ୍‌ ନିକଟ ସରକାରୀ ଜମିରେ ଥିବା ଦୋକାନଗୁଡ଼ିକ ଉଚ୍ଛେଦ କରାଯାଇଥିଲା। ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଛୋଟ ଶିବଲିଙ୍ଗ ମନ୍ଦିର ଭଙ୍ଗା ଯାଇଥିଲା।

ସମ୍ବନ୍ଧିତ ଖବର