ଚନ୍ଦ୍ରଶେଖରପୁର ଅଞ୍ଚଳରେ ଯାନ୍ତ୍ରିକ ସଫେଇ ଠପ୍‌, ପ୍ରାପ୍ୟ ନମିଳିବାରୁ ଗୋଟିଏ ସଂସ୍ଥା ସଫେଇ ବନ୍ଦ କଲା

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌ ପୂର୍ବରୁ ରାଜଧାନୀରେ ତରବରିଆ ଭାବେ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ଆରମ୍ଭ ହେଲା। ରାଜଧାନୀର ୮୦କିମି ରାସ୍ତାରେ ଏହି ଯାନ୍ତ୍ରିକ ସଫେଇ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ଦୁଇଟି ସଂସ୍ଥାଙ୍କୁ ଦୁଇଟି ପ୍ୟାକେଜ୍‌ରେ ନିୟୋଜିତ କରାଯାଇଥିଲା। ହକି ବିଶ୍ବକପ୍‌ ସମୟରେ ରାଜଧାନୀକୁ ସ୍ବଚ୍ଛ ସୁନ୍ଦର କରିବାରେ ଏହି ବ୍ୟବସ୍ଥା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏଥିପାଇଁ ବି ଭୁବେନଶ୍ବରକୁ ସବୁଆଡ଼ୁ ପ୍ରଶଂସା ମିଳିଥିଲା। କିନ୍ତୁ ଆଜି ଅଧା ରାଜଧାନୀରେ ଏହି ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ଏହା ବନ୍ଦ ହେବା ପଛରେ କାରଣ ଅତ୍ୟନ୍ତ ରୋଚକ। ବିଏମ୍‌ସି ସଫେଇ ସଂସ୍ଥାକୁ ୫ମାସ ହେଲା ସେମାନଙ୍କ ପ୍ରାପ୍ୟ ଦେଇନଥିବାରୁ ଗୋଟିଏ ସଂସ୍ଥା ସଫେଇ ବନ୍ଦ କରିଦେଇଛି। ଯଦି ଦୁଇରୁ ତିନି ଦିନ ମଧ୍ୟରେ ଆଉ ଏକ ସଂସ୍ଥାକୁ ପ୍ରାପ୍ୟ ଦିଆନଯାଏ ତେବେ ସେ ବି ଯାନ୍ତ୍ରିକ ସଫେଇ ବନ୍ଦ କରିଦେବ। ବିଏମ୍‌ସି ପକ୍ଷରୁ ପ୍ୟାକେଜ୍‌ ୧ରେ ୩୭କିମି ଏବ˚ ପ୍ୟାକେଜ୍‌-୨ରେ ୪୩.୫କିମି ରାସ୍ତାରେ ଯାନ୍ତ୍ରିକ ସଫେଇ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଅକ୍ଟୋବର ୨ତାରିଖରେ ଏହାକୁ ଉଦ୍‌ଘାଟନ କରିଥିଲେ। ଏଥିପାଇଁ ପଞ୍ଜାବର ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ଏବ˚ ଝାଡ଼ଖଣ୍ତର ୟୁନାଇଟେଡ୍‌ ଏୟାର ଏକ୍ସପ୍ରେସ୍ ସଂସ୍ଥାକୁ ନିୟୋଜିତ କରାଯାଇଥିଲା। ପଞ୍ଜାବର ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ପ୍ୟାକେଜ୍‌-୧ରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ସଫେଇ କରିଥିବାବେଳେ ପ୍ୟାକେଜ୍‌-୨ରେ ଝାଡ଼ଖଣ୍ତର ମେସର୍ସ ୟୁନାଇଟେଡ୍‌ ଏୟାର ଏକ୍ସପ୍ରେସ୍‌ ସଫେଇ କରୁଥିଲା। ମେସର୍ସ ୟୁନାଇଟେଡ୍ ‌ସଫେଇ ଠିକ୍‌ ଭାବେ କରିନପାରିବାରୁ ଜାଗୃତିକୁ ଏହି ଦାୟିତ୍ବ ଦିଆଯାଇଛି। ଦୁଇଟି ଯାକ ପ୍ୟାକେଜ୍‌ରେ ଘରୋଇ ସଂସ୍ଥା ନିୟମ ଅନୁଯାୟୀ ସଫେଇ କରୁଛନ୍ତି। କିନ୍ତୁ ୫ମାସ ହେଲା ବିଏମ୍‌ସି ସେମାନଙ୍କ ପ୍ରାପ୍ୟ ଦେଇନି। ଯାନ୍ତ୍ରିକ ସଫେଇ ପାଇଁ ବିଏମ୍‌ସି ପ୍ରଶାସନିକ ଅନୁମତି ଆଣିନଥିବାରୁ ସଫେଇ ସଂସ୍ଥାଙ୍କୁ ପ୍ରାପ୍ୟ ଦିଆଯାଉନି ବୋଲି କୁହାଯାଉଛି। ଯଦି ବିଏମ୍‌ସି ପ୍ରଶାସନିକ ଅନୁମତି ଆଣିନଥିଲା ତେବେ ଏହି ଯାନ୍ତ୍ରିକ ସଫେଇ କାହିଁକି ଆରମ୍ଭ କରୁଥିଲା? ଟେଣ୍ଡର ପୂର୍ବରୁ ଯଦି ଅନୁମତି ମିଳିନଥିଲା ତେବେ ହକି ବିଶ୍ବକପ୍‌ ପରେ ବିଏମ୍‌ସି କର୍ତ୍ତୃପକ୍ଷ କାହିଁକି ତୁରନ୍ତ ଅନୁମତି ଆଣିଲେନି ବୋଲି ପ୍ରଶ୍ନ ଉଠିଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହକି ବିଶ୍ବକପ୍‌ ସମୟରେ ଯାନ୍ତ୍ରିକ ସଫେଇ ଆରମ୍ଭ ହେବା ପୂର୍ବରୁ ଏନେଇ ପ୍ରାଶାସନିକ ଅନୁମତି ନିଆଯାଇପାରିନଥିଲା। ତେଣୁ ନଗର ଉନ୍ନୟନ ବିଭାଗରୁ ଅନୁମତି ଆଣି ଟେଣ୍ଡର ପ୍ରକ୍ରିୟା ଶେଷ କରି କାମ ‌ଆରମ୍ଭ ହୋଇଥିଲା। ଏହାପରେ ବିଏମ୍‌ସି କାଉନସିଲ୍‌ ବୈଠକରେ ଯାନ୍ତ୍ରିକ ସଫେଇ ବ୍ୟବସ୍ଥାକୁ ଅନୁମୋଦନ ମିଳିବା ପରେ ଏହାକୁ ନଗର ଉନ୍ନୟନ ବିଭାଗକୁ ପଠାଯାଇଛି। ଏବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଥିବାରୁ ଏହାକୁ ଅନୁମତି ମିଳିନି। ହେଲେ ସଫେଇ ସଂସ୍ଥାକୁ ସେମାନଙ୍କ ପ୍ରାପ୍ୟ ନ ‌େଦବାରେ ଏହା ମୁଖ୍ୟ କାରଣ ନୁହେଁ। ବିଏମ୍‌ସିର ଇଞ୍ଜିନିୟରିଂ ବିଭାଗର ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମ‌ାନେ ଏବେ ନିର୍ବାଚନ ଡ୍ୟୁଟିରେ ଯାଇଥିବାରୁ କାଗଜପତ୍ର କାମ ହୋଇପାରୁନି। ଅଧିକାରୀମାନେ ନିର୍ବାଚନ ଡ୍ୟୁଟିରୁ ଫେରିବା ପରେ ସଫେଇ ସଂସ୍ଥାଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିଯିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର