‘ମଧୁଲିତା’ର ୧୨ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ବର: ମନନଶୀଳ ପାରିବାରିକ ପତ୍ରିକା ‘ମଧୁଲିତା’ର ଦ୍ବାଦଶ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତଟ ରେଳପଥର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାନନ କାନୁନ୍‌ଗୋ ଯୋଗଦେଇ ‘ମଧୁଲିତା’ କିଭଳି ସମାଜରେ ପ୍ରଭାବ ପକାଉଛି, ସେ ଉପରେ ବକ୍ତବ୍ୟ ରଖିଥିଲେ। ପତ୍ରିକାଟି ଲୋକମାନଙ୍କ ଭିତରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ସହ ଗଠନମୂଳକ କାମ ପାଇଁ ପ୍ରେରଣା ଯୋଗାଉଥିବା ସେ କହିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଯାଜପୁର ଜିଲ୍ଲାପାଳ ରଂଜନ ଦାସ, ରାଜ୍ୟ ପ୍ରକଳ୍ପ ସଂଯୋଜକ ପିନାକୀ ମହାନ୍ତି ଏବଂ ସମାଜସେବୀ ପ୍ରୀତିଛନ୍ଦା ଧଳ ଯୋଗଦେଇ ‘ମଧୁଲିତା’ର ପ୍ରଶଂସା କରିଥିଲେ। ଏହି ଅବସରରେ ‘ବିଶେଷ ସଂଖ୍ୟା’ର ଉନ୍ମୋଚନ କରାଯାଇଥିଲା। ପରେ ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ସମାଜର ବିଭିନ୍ନ‌ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦିକା ମଧୁଲିତା ପରିଡ଼ା କା‌ର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର