ମ୍ୟାଜିକ ପେନ୍‌ରେ ୧.୫ ଲକ୍ଷ ଠକେଇ ଘଟଣା, ଦେଢ଼ମାସ ପରେ ବି ପୁଲିସ ହାତ ଖାଲି

ଭୁବନେଶ୍ବର: ମ୍ୟାଜିକ ପେନ୍‌ ମାଧ୍ୟମରେ ଜଗନ୍ନାଥ ଗ୍ରାଫିକ୍ସ ମାଲିକ ରଂଜନ କୁମାର ମଲ୍ଲଙ୍କଠାରୁ ୧.୫ ଲକ୍ଷ ଟଙ୍କା ଠକେଇ ଘଟଣାକୁ ଦେଢ଼ ମାସ ବିତି ଗଲାଣି। କିନ୍ତୁ ଏଯାଏ ଲକ୍ଷ୍ମୀସାଗର ଥାନା ପୁଲିସ ଏହି ବହୁଚର୍ଚିତ ଠକେଇ ଘଟଣାର ପର୍ଦାଫସ କରିବାକୁ ସକ୍ଷମ ହୋଇ ପାରିନାହିଁ। ଓଲଟି ଏଭଳି ଠକେଇ ଗତ ଦେଢ଼ ମାସ ମଧ୍ୟରେ କମିସନରେଟ ପୁଲିସ ଅଞ୍ଚଳରେ ବଢ଼ିବାରେ ଲାଗିଛି। ଏହା ନୂଆ ପ୍ରକାର ଠକେଇ ହୋଇଥିବାରୁ ନିଜେ ଇନ୍ସପେକ୍ଟର ଦୟାନିଧି ନାୟକ ଘଟଣାର ତଦନ୍ତଭାର ନେଇଥିଲେ। ଇନ୍ସପେକ୍ଟର ଶ୍ରୀ ନାୟକ ଓ ତାଙ୍କ ଟିମ୍ ବମିଖାଲ ଛକରେ ଥିବା ଆଇଡିବିଆଇ ବ୍ୟାଙ୍କ ଓ ବାଣୀବିହାର ସତସଙ୍ଗ ମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଆୟକର କାର୍ଯ୍ୟାଳୟକୁ ଯାଇ ଛାନଭିନ୍‌ ଆରମ୍ଭ କରିଥିଲେ। ପୁଲିସ ଆଇଡିବିଆଇ ବ୍ୟାଙ୍କରେ ଲାଗିଥିବା ସିସିଟିଭି ମଗାଇବା ସହ ଠକର ପ୍ୟାନ୍‌କାର୍ଡ ଯାଞ୍ଚ କରିଥିଲା। ସେ ଜଣେ ପେସାଦାର ଠକ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଋଣ ଦେବା ନାଁରେ କାଗଜପତ୍ର ସଂଗ୍ରହ କରିବା ସହିତ କ୍ୟାନସେଲ ଚେକ୍ ନେଉଛନ୍ତି। ଯେଉଁ ଚେକ୍‌ରେ ସେମାନେ ମ୍ୟାଜିକ ପେନ୍‌ରେ ଲେଖି ପରବର୍ତୀ ସମୟରେ ତାକୁ ଲିଭାଇ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଛନ୍ତି। ଜଗନ୍ନାଥ ଗ୍ରାଫିକ୍ସ ମାଲିକ ରଂଜନ ମଲ୍ଲ ଏହି ଠକଙ୍କ ହାବୁଡ଼ରେ ପଡ଼ି ୧.୫ ଲକ୍ଷ ଟଙ୍କା ଠକେଇ ଶିକାର ହୋଇଥିଲେ। ତାଙ୍କୁ ପ୍ରଥମେ ୧୦ ଲକ୍ଷ ଟଙ୍କାର ଋଣ କରାଇ ଦେବାକୁ କହି ଏକ କ୍ୟାନସେଲ ଚେକ୍ ନେଇଥିଲେ। ଯେଉଁଥିରେ ରଂଜନ ଦସ୍ତଖତ କରିଥିଲେ। ପରେ ସେହି ସେହି ଚେକ୍‌ରୁ ୧୦ ଲକ୍ଷ ଟଙ୍କା ଲିଭାଇ ୧.୫ ଲକ୍ଷ ଟଙ୍କା ଲେଖି ବମିଖାଲ ଆଇଡିବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇଥିଲେ। ଏ ନେଇ ରଂଜନ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା।

କେବଳ ଏହି ଗୋଟିଏ ଘଟଣା କାହିଁକି ଖଣ୍ଡଗିରି ଥାନା ଅଧୀନ ଆଇଗିଣିଆରେ ଏଭଳି ସମାନ ଢଙ୍ଗରେ ୨୨ ହଜାର ଟଙ୍କା ଠକେଇ ହୋ‌ଇଥିଲା। ରଶ୍ମିତା ରାଜୁ ନାମକ ଜଣେ ମହିଳାଙ୍କୁ ଜଣେ ଠକ ୨ଲକ୍ଷ ଟଙ୍କା ଋଣ କରାଇ ଦେବାକୁ କହିଥିଲା। କଥାବାର୍ତା ମୁତାବକ ଠକଜଣଙ୍କ ରଶ୍ମିତାଙ୍କ ପାଖରେ ପହଞ୍ଚି ସମାନ ଢଙ୍ଗରେ ଆଧାର କାର୍ଡ, ପାନ୍‌କାର୍ଡ ଆଦି ନେବା ସହ ଏକ କ୍ୟାନ୍‌ସେଲ ଚେକ୍‌ ଦେବାକୁ କହିଥିଲା। ରଶ୍ମିତା ମଧ୍ୟ ୪ଟି କ୍ୟାନ୍‌ସେଲ୍‌ ଚେକ ଧରାଇଥିଲେ। ଋଣ ପାଇଁ କୋର୍ଟ ଆଫିଡେଭିଟ୍‌ ଦରକାର ବୋଲି ଠକଜଣକ କହି ସେଠାରୁ ଚାଲି ଯାଇଥିଲା। ଏହାର କିଛି ସମୟ ପରେ ରଶ୍ମିତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୨ହଜାର ଟଙ୍କା ଉଠିଥିବା ନେଇ ଏକ ଏସ୍‌ଏମ୍ଏସ୍ ଆସିଥିଲା। ଏ ନେଇ ରଶ୍ମିତା ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସେହିପରି ମଞ୍ଚେଶ୍ବର ଥାନା ଅଧୀନରେ ଏଭଳି ଏକ ଠକେଇ ହୋଇଥିଲା। ସମସ୍ତ ଘଟଣାରେ ଜଣେ ଓଡ଼ିଆ ଲୋକ ପ୍ରଥମେ ଠକେଇର ଶିକାର ହୋଇଥିବା ଲୋକଙ୍କୁ ଫୋନ୍ କରି ଋଣ କରାଇ ଦେବାକୁ କହୁଛି। ପରେ ଜଣେ ଅଣ ଓଡ଼ିଆ ଯୁବକ ନିଜକୁ ବ୍ୟାଙ୍କ ମ୍ୟାନେଜର ବୋଲି ପରିଚୟ ଦେଇ ଆଧାର କାର୍ଡ, ପାନକାର୍ଡ ଆଦି ନେବା ସହିତ ଏକ କ୍ୟାନ୍‌ସେଲ ଚେକ ନେଉଛି। ଏହାର କିଛି ସମୟ ପରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇ ଯାଉଛି। ଏଭଳି ଠକ ରୢାକେଟ ଦେଶର ପ୍ରଥମେ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁରେ ସକ୍ରିୟ ଥିଲେ। ପରେ ଏହି ଗ୍ୟାଙ୍ଗ୍ ଭୁବନେଶ୍ବର ଆସି ଠକେଇ ଆରମ୍ଭ କରିଛନ୍ତି। ଏଭଳି ଅଭିଯୋଗ ବଢ଼ିବା ପରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ପୁଲିସ କମିସନର ସତ୍ୟଜିତ ମହାନ୍ତି। କୌଣସି ଅଜଣା ବ୍ୟକ୍ତି ଋଣ କରାଇ ଦେବାକୁ କହିଲେ ତାଙ୍କୁ ଆଦୌ ବିଶ୍ବାସ କରନ୍ତୁ ନାହିଁ। ସେମାନଙ୍କ ସହ ଅଧାରକାର୍ଡ, ପାନକାର୍ଡ, ଏଟିଏମ ନମ୍ବର ସେୟାର କରନ୍ତୁ ନାହିଁ। ଏପରିକି କୌଣସି ଅଜଣା ବ୍ୟକ୍ତିଙ୍କୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ କିଛି ବି ସୂଚନା ଦିଅନ୍ତୁ ନାହିଁ। ଚେକ୍ ଦେବା ବେଳେ ନିଜ ପେନ୍‌ରେ ଚେକ୍‌ ପୂରଣ କରନ୍ତୁ। କେହି ଅଜଣା ବ୍ୟକ୍ତି ଋଣ କରାଇ ଦେବାକୁ କହି ଆପଣଙ୍କ ପାଖକୁ ଆସିଲେ ତାର ଫୋ‌ଟା ଉଠାଇବା ସହ ସନ୍ଦେହ ହେଲେ ପୁଲିସକୁ ଖବର ଦିଅନ୍ତୁ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ତେବେ ଏ ସମ୍ପର୍କରେ ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଶ୍ରୀ ନାୟକ କହିଛନ୍ତି, ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ଏହି ଠକେଇର ପର୍ଦାଫାସ ହେବ।

ସମ୍ବନ୍ଧିତ ଖବର