ମା’ଙ୍କର ଅଷ୍ଟମୀ ପୂଜା: ରାସ୍ତାଘାଟରୁ ଆରମ୍ଭ କରି ପୂଜା ମଣ୍ଡପ ସବୁଠି ଅସମ୍ଭାଳ ଭିଡ଼

ଭୁବନେଶ୍ବର: ରାଜଧାନୀରେ ଆଜି ଦଶହରା ଭିଡ଼ ଦେଖିବାକୁ ମିଳିଛି। ରାସ୍ତାଘାଟରୁ ଆରମ୍ଭ କରି ପୂଜା ମଣ୍ଡପ ପର୍ଯ୍ୟନ୍ତ ସବୁଠି ପ୍ରବଳ ଭିଡ଼। ଆଜି ମା’ଙ୍କର ଅଷ୍ଟମୀ ପୂଜା ଥିବାରୁ ମଣ୍ଡପଗୁଡ଼ିକରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା ଚାଲିଛି। ଏହାକୁ ଦେଖିବା ସହ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ମଣ୍ଡପ ସମ୍ମୁଖରେ ଲମ୍ବା ଧାଡ଼ି ଲଗାଇଛନ୍ତି। କେବଳ ମା’ଙ୍କ ଦର୍ଶନ ନୁହେଁ ପୂଜା ମଣ୍ଡପଗୁଡ଼ିକ ନିକଟରେ ମୀନା ବଜାର, ରାମ ଦୋଳି ପଡ଼ିଥିବାରୁ ଏହାର ମଜା ମଧ୍ୟ ରାଜଧାନୀବାସୀ ନେଉଛନ୍ତି। ଚଳିତବର୍ଷ ପାଣିପାଗ ପୂଜା ବଜାର ପାଇଁ ଅନୁକୂଳ ଥିବାରୁ ରାଜଧାନୀବାସୀ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ରାଜଧାନୀ ରାସ୍ତାକୁ ଦେଖିଦେଲେ ଏହା ଜଣାପଡ଼ୁଛି। ସେହିପରି ରାଜଧାନୀବାସୀ ଯେପରି ଦାଣ୍ଡିଆର ମଜା ଉଠାଇବେ ସେଥିପାଇଁ ବିଭିନ୍ନ ତାରକା ହୋଟେଲ, ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଦାଣ୍ଡିଆ ମହୋତ୍ସବ ଆୟୋଜନ ହେଉଛି। ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏଠାରେ ଦାଣ୍ଡିଆ ଖେଳିବାର ମଜା ଉଠାଉଛନ୍ତି। କେବଳ ଦାଣ୍ଡିଆ ଖେଳିବା ନୁହେଁ ଖେଳିବାକୁ ଆସୁଥିବା ଲୋକ ଯେପରି ମନପସନ୍ଦର ଖାଦ୍ୟ ଖାଇବେ ସେଥିପାଇଁ ବିଭିନ୍ନ ‌ଷ୍ଟଲ୍ ମଧ୍ୟ ପଡ଼ିଛି। ତିନିଦିନ ଧରି ରାଜଧାନୀବାସୀ ଯେପରି ପୂଜାର ମାହୋଲ୍‌ରେ ମଜିଯିବେ ସେଥିପାଇଁ ଭରପୂର ସୁଯୋଗ ସୃଷ୍ଟି କରାଯାଇଛି।

ପୂଜା ମଣ୍ଡପରେ ଓଲି
ହକି ବିଶ୍ବକପ୍ ମାସ୍କଟ ‘ଓଲି’ ବୁଧବାର ରାଜଧାନୀ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲା। ସେଠାରେ ରହି ବିଶ୍ବକପ୍ ଲାଗି ପ୍ରଚାର କରିଥିଲା। କଟକର କେତେକ ମଣ୍ଡପରେ ମଧ୍ୟ ଓଲି ବୁଲିଥିବା ଜଣାପଡ଼ିଛି। ଓଲିକୁ ଉଭୟ ସହରରେ ପ୍ରବଳ ଜନ ସମର୍ଥନ ମିଳିଥିଲା। ପିଲାମାନେ ତା’ ସହ ସେଲ୍‌ଫି ନେବାକୁ ନିଜ ନିଜ ଭିତରେ ଏକ ପ୍ରକାର ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଆଗକୁ ମଧ୍ୟ ଓଲିର ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣା ପଡ଼ିଛି। ପୁରୀ ବେଳାଭୂମିରେ ଓଲି ବିଶ୍ବକପର ମାସ୍କଟ ଭାବେ ଉନ୍ମୋଚନ ହେବା ପ‌େର ବିଭିନ୍ନ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇ ଆସୁଛି। ଆଗକୁ ବିଭିନ୍ନ ସ୍କୁଲ୍, କଲେଜ ବୁଲିବାର ଯୋଜନା ରହିଛି।

ପୂଜା ମଣ୍ଡପ ବୁଲିଲେ ରାଜ୍ୟପାଳ
ଭୁବନେଶ୍ବର: ମା’ଙ୍କ ମହାଷ୍ଟମୀ ପୂଜା ଆଜି ଅନୁଷ୍ଠିତ ହୋଇଛି। ଏଥିପାଇଁ ରାଜଧାନୀରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଲାଗି ରହିଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ପୂଜାର୍ଚ୍ଚନା କରିଛନ୍ତି। ୟୁନିଟ୍‌-୮ସ୍ଥିତ ରାଜ୍‌ କ୍ଲବ ସମେତ ନୟାପଲ୍ଲୀ, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର, ଜୟଦେବ ବିହାର, ସହିଦ୍‌ନଗର ଓ ଝାରପଡ଼ା ପୂଜା ମଣ୍ଡପକୁ ଯାଇ ସେଠାରେ ମା’ଙ୍କ ଦର୍ଶନ କରିଥିଲେ। ରାଜ୍ୟପାଳ ପହଞ୍ଚିବା ପରେ ପୂଜା କମିଟିର ସଦସ୍ୟମାନେ ତାଙ୍କୁ ସ୍ବାଗତ କରିବା ସହ ମଣ୍ଡପକୁ ପାଛୋଟି ନେଇଥିଲେ। ରାଜ୍ୟପାଳଙ୍କ ପୂଜା ମଣ୍ଡପ ଭ୍ରମଣ ସମୟରେ ତାଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାମଲୀଳାରେ ତରଣୀ ବଧ
ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ କସ୍ତୁରବା ଶିକ୍ଷାଶ୍ରମ ପଡ଼ିଆରେ ଅନୁଷ୍ଠିତ ରାମଲୀଳା ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଗତକାଲିିଠୁ ଆରମ୍ଭ ହୋଇଥିବା ରାମଲୀଳାରେ ଭରତ ଲୀଳା ପରେ ମଙ୍ଗଳବାର ତରଣୀ ବଧ ଅନୁଷ୍ଠିତ ହୋଇଥିଲା। ସମିତିର ଉପଦେଷ୍ଟା ନବକିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ସଭାପତି ପବିତ୍ର ମୋହନ ବେହେରା, ସମ୍ପାଦକ ‌ମହେନ୍ଦ୍ର ବଳବନ୍ତରାୟ, ଖଗେନ୍ଦ୍ର ବେହେରା, କାହ୍ନୁଚରଣ ମହାକୁଡ଼, କାର୍ତିକ ବେହେରା, ଶ୍ରୀଧର ବେହେରା ଓ ନବୀନ ବେହେରା ପ୍ରମୁଖ ଉପସ୍ଥିତ ରହି ଦ୍ବିତୀୟ ଦିବସକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର