ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ବିଶ୍ବ ଭିନ୍ନକ୍ଷମ ଦିବସ

0

ଭୁବନେଶ୍ୱର : ମହାବୋଧି ସୋସାଇଟି ଅଫ୍‌ ଇଣ୍ଡିଆ ପକ୍ଷରୁ ‘ବିଶ୍ବ ଭିନ୍ନକ୍ଷମ ଦିବସ’ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଛି। ଏହି ଅବସରରେ ‘ଏମ୍‌ପାୱାରିଂ ପର୍ସନ୍‌ସ୍‌ ୱିଥ୍ ଡିଜାବିଲିଟି ଏନ୍‌ସିଓରିଂ ଇନ୍‌କ୍ଲୁଜିଭ୍‌ନେସ୍‌ ଆଣ୍ଡ ଇକ୍ବାଲିଟି’ ଶୀର୍ଷକ ଆଲୋଚନାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଯୋଗଦେଇ ଦିବ୍ୟାଙ୍ଗମାନେ ଅକ୍ଷମ ନୁହନ୍ତି, ବରଂ ସକ୍ଷମଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି। ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଇମ୍ରାନ୍‌ ଅଲ୍ଲୀ ଯୋଗଦେଇ କହିଛନ୍ତି, ପ୍ରତ୍ୟେକ ରେଳ ଷ୍ଟେସନ୍‌ରେ ବଡ଼ ବଡ଼ ଫୁଟ ଓଭର ବ୍ରିଜ୍‌ ଚଢ଼ିବାକୁ ଦିବ୍ୟାଙ୍ଗମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ମାନସିକ ରୋଗୀ ଆଜି ବି ଅବହେଳିତ। ଆଉ କେତେ ଦିନ ଭିନ୍ନକ୍ଷମ ଦିବସ ପାଳନ କଲେ ଏହି ଅବ‌ହେଳା ଦୂର ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଜଗବନ୍ଧୁ ଜରାଶ୍ରମ, ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲଫେୟାର ଓ ଈଶ୍ବର ପ୍ରମୁଖଙ୍କ ସହାୟତାରେ ଏହି ଶିବିର ପରିଚାଳିତ ହୋଇଛି। ଏହି ଅବସରରେ ରାଜା ମିଶ୍ର ଓ ପ୍ରଭାତ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହାବୋଧି ସୋସାଇଟି ଓଡ଼ିଶା ଶାଖାର ସଭାପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ଡ. ସୌରେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ନମ୍ରତା ଚଢ଼ା, ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରଶାସନିକ ଅଧିକାରୀ ସନ୍ୟାସୀ ବେହେରା, ଡ. ବଦ୍ରିନାଥ ପଟ୍ଟନାୟକ, ଜଗତବନ୍ଧୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଦୀପ ଜଳାଇ ନୁହେଁ, ବରଂ ଗଛରେ ପାଣି ଦେଇ ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଏକ ମାଗଣା ଅକ୍ଷମତା ପରୀକ୍ଷଣ ଶିବିରରେ ଶତାଧିକ ଦିବ୍ୟାଙ୍ଗଙ୍କୁ ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.