‘ମହାନଦୀ ମହାନାଟକ’ ଉନ୍ମୋଚିତ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ଲିଖିତ ପୁସ୍ତକ ‘ମହାନଦୀ ମହାନାଟକ’ ଆଜି ଉନ୍ମୋଚିତ ହୋଇଯାଇଛି। ଏନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ରୋଟାରି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଶ୍ରୀ ମିଶ୍ର କହିଲେ ଯେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଯେଉଁ କଥା କହୁଛନ୍ତି, ତାହା ବିଭ୍ରାନ୍ତିକର। ୩୦ ପ୍ରତିଶତ ପାଣି ସମୁଦ୍ରକୁ ନ ଗଲେ ନଦୀର ସ୍ଥିତି ଖରାପ ହୋଇଯିବ। ଛତିଶଗଡ଼ ଯେତେବେଳେ ମହାନଦୀ ଉପରେ ଏକାଧିକ ପ୍ରକଳ୍ପ ନିର୍ମାଣ କରୁଥିଲା, ସେତେବେଳେ ରାଜ୍ୟ ସରକାର ଶୋଇଥିଲେ। ୨୦୧୬ରୁ କଂଗ୍ରେସ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛି। ସବୁ ରାଜନୈତିକ ଦଳ ଏକାଠି ହୋଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଉପରେ ଚାପ ପକାଇବାକୁ କହିଥିଲି। କିନ୍ତୁ ସେତେବେଳେ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେଇ ନ ଥିଲେ। ଏବେ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି ବୋଲି ସେ କହିଥିଲେ। ପୁସ୍ତକର ଲେଖକ ଶ୍ରୀ ମହାନ୍ତି କହିଲେ, ଓଡ଼ିଶା ସରକାର ଚାଷୀ ବିରୋଧୀ। ଶିଳ୍ପକୁ ପାଣି ଦେଉଛନ୍ତି। କିନ୍ତୁ ଚାଷୀଙ୍କ ଜମିରେ କିଭଳି ପାଣି ପହଞ୍ଚିବ, ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ମହାନଦୀର ବର୍ତ୍ତମାନର ସ୍ଥିତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ଛତିଶଗଡ଼ ସରକାର ଯେତେବେଳେ ପ୍ରକଳ୍ପ ତିଆରି କରୁଥିଲା, ସେତେବେଳେ କ’ଣ ଓଡ଼ିଶା ସରକାର ଜାଣି ନ ଥିଲେ କି ବୋଲି ସେ ପ୍ରଶ୍ନ କରିଥିଲେ। ପୁସ୍ତକର ସମୀକ୍ଷା କରି ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଲେ ‘ମହାନଦୀ ମହାନାଟକ’ ଏକ ସମୟ ଉପଯୋଗୀ ପୁସ୍ତକ। ସରକାର ନିଜର ଦାୟିତ୍ୱ ତୁଲାଇବା ଆବଶ୍ୟକ। କେବଳ ମହାନଦୀ ନୁହେଁ, ଆଉ ୧୧ଟି ପ୍ରମୁଖ ନଦୀର ସୁରକ୍ଷା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସକ ସୁରେଶ ମନ୍ତ୍ରୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର