ମହାବୀରଙ୍କ ନାଁରେ ରାଜୀବ ଆବାସ

ଭୁବନେଶ୍ୱର: ଛାତ ଟିଣରେ, କାନ୍ଥ ବି ଟିଣରେ। ଘର କହିଲେ, ୫ଫୁଟରେ ୪ ଫୁଟ। ଘରେ ନିଜ ନାଁ ବି ଲେଖିଛନ୍ତି। ଅଥଚ ସେ ଘରେ ସେ ନୁହଁ, ରହୁଛନ୍ତି ମହାବୀର। ଫରକ ଏୟା ଯେ, ଏହି ଘରଟି ରାଜୀବ ଆବାସ ଯୋଜନା(ରେ)ରେ ଅନ୍ତର୍ଭୁକ୍ତ। ‘ରେ’ ଯୋଜନାରେ ଘର ହାତେଇବା ପାଇଁ ପ୍ରଭୁ ବି କେମିତି ମାଧ୍ୟମ ପାଲଟି ଯାଇପାରନ୍ତି ତା’ର ଏଇ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଘାଟିକିଆରେ। ଟିଣ ଘର ସମ୍ମୁଖରେ ଲେଖାଯାଇଛି ‘ମହାବୀର କୁଡ଼ିଆ’। ଏକ ଘର ସାମ୍ନାରେ ଥିବା ଏହି କୁଡ଼ିଆରେ ‘ରେ’ ବୋଲି ବି ଉଲ୍ଲେଖ ରହିଛି। ଏଥିସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ମଧ୍ୟ ନାଲି ଅକ୍ଷରରେ ଲେଖାଯାଇଚି। ତେବେ ସେଠାରେ ସମ୍ପୃକ୍ତ ବ୍ୟକ୍ତି ରହୁନାହାନ୍ତି। ବରଂ ସେଠାରୁ କିଛି ଦୂରରେ ଆଉ ଏକ ସ୍ଥାନରେ ରହୁଥିବା ବେଳେ ସେଇ ନିର୍ଦିଷ୍ଟ ଟିଣ ଘରଟିକୁ ସଂରକ୍ଷିତ ରଖିଛନ୍ତି। ‘ରେ’ ଯୋଜନାରେ ଯେ ଘର ମିଳିବ, ତାହା କାହାକୁ ଅଛପା ନାହିଁ। ନିୟମ ମୁତାବକ ସମ୍ପୃକ୍ତ ବ୍ୟକ୍ତି ବି ଏହି ଯୋଜନାରେ ଘର ପାଇପାରନ୍ତି। ମାତ୍ର ବାସ୍ତବ କଥା ହେଉଛି, ଏହା ଏକ ଉଦାହରଣ ମାତ୍ର। ରାଜଧାନୀର ଏଇଭଳି ଅନେକ ତିଆରି ହୋଇଛି ଯାହା, ସମ୍ପୃକ୍ତ ଘର ମାଲିକଙ୍କ ପ୍ରକୃତ ଠିକଣା ନୁହେଁ। ଅର୍ଥାତ ଘରଟିଏ ତୋଳି ଦେଇଛନ୍ତି ସତ, କିନ୍ତୁ ଆଉ ସେଠାରେ ରହୁନାହାନ୍ତି। ଭଡ଼ା ଲଗେଇ ଦେଇଛନ୍ତି, ନଚେତ୍‌ ଘରକୁ ‘ରେ’ ଯୋଜନାର ଅନ୍ତର୍ଭୁକ୍ତ କରାଇ ଅନ୍ୟ ସ୍ଥାନରେ ରହୁଛନ୍ତି। ଏମିତି କି ଗୋଟିଏ ପରିବାରର ସଦସ୍ୟତା ଭିତ୍ତିରେ ଦୁଇଦୁଇ ଜଣ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ‘ରେ’ ଯୋଜନାରେ ଘର ଦେବା ପାଇଁ ସରକାର ଅଭିଯାନ ଆରମ୍ଭ କରିବା ପରଠୁ ଯେମିତି ‘ରେ’ ରେସ୍‌ରେ ଲାଗିପଡ଼ିଥିଲେ ଅନେକ। ଆପାର୍ଟମେଣ୍ଟ୍‌ରେ ଘର ପାଇବାର ସୁଯୋଗ ସାଙ୍ଗକୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଥିବାରୁ ଏହାର ଫାଇଦା ନେବା ପାଇଁ ପ୍ରତିଯୋଗିତା ଚାଲିଥିଲା। ବସ୍ତିବାସିନ୍ଦା ସର୍ବେକ୍ଷଣ ଭିତ୍ତିରେ ଯେନତେନ ‘ରେ’ରେ ସାମିଲ୍‌ ହେବା ପରେ ଏବେ କିନ୍ତୁ ଅନେକ ସେଇ ଘରେ ଆଉ ରହୁନାହାନ୍ତି।

ଏନେଇ ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ୨୦୧୩ ଜୁନ୍‌ ୩୦ ସୁଦ୍ଧା ଯେଉଁ ବସ୍ତିବାସିନ୍ଦାମାନଙ୍କର ଭୋଟର ପରିଚୟପତ୍ର, ଆଧାରା କାର୍ଡ, ରେସନ୍‌ କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟପତ୍ର ଥିବ ଏବଂ ସେମାନେରେ ଯୋଜନା ଅନ୍ତର୍ଭୁକ୍ତ ହୋଇଥିବେ ସେମାନଙ୍କୁ ଘର ଯୋଗାଇ ଦିଆଯିବ। ଏହାକୁ ବିଚାରକୁ ନେଲେ, ସଂପ୍ରତି ସହରରେ ପାଖାପାଖି ୫ଶହ ବସ୍ତିରେ ଲକ୍ଷେରୁ ଊର୍ଧ୍ୱ ପରିବାର ଏହି ‘ରେ’ ଯୋଜନାରେ ଅନ୍ତର୍ଭୁକ୍ତ। ତେବେ ମେୟର ଶ୍ରୀ ଜେନା କହିଛନ୍ତି ଯେ, ‘ରେ’ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରକୁ ଘର ଦେବା ପୂର୍ବରୁ ପୁଣି ଯାଞ୍ଚ କରାଯିବ। ସତ୍ୟାସତ୍ୟ ଜଣାପଡ଼ିଲେ ହିଁ ସମ୍ପୃକ୍ତ ପରିବାର ଘର ପାଇପାରିବେ ବୋଲି ସେ କହିଛନ୍ତି। ଯଦି ଏପରି ହୁଏ ଅନେକ ପରିବାର ଏହି ସୁବିଧାରୁ ବଞ୍ଚିତ ହେବେ।

ସମ୍ବନ୍ଧିତ ଖବର