ମେକ୍‌ ଇନ୍ ଓଡ଼ିଶାରେ ୪,୧୯,୫୭୪ କୋଟି ନିବେଶର ପ୍ରତିଶ୍ରୁତି, ସ୍ମାର୍ଟ ସିଟି ପାଇଁ ଟଙ୍କାଟେ ନାହିଁ

ଅନିଶ୍ଚିତତାରେ ସ୍ମାର୍ଟ ସିଟିର ପିପିପି ପ୍ରକଳ୍ପ, ୨୫୬୩କୋଟି ଟଙ୍କାର ପ୍ରକଳ୍ପ, ୧୬୮୫କୋଟିର ପ୍ରକଳ୍ପ ପାଇଁ ଯୋଜନା ନାହିଁ

ଭୁବନେଶ୍ବର(ବିଶ୍ବଜିତ ଦାଶ): ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଆଗାମୀ ଦିନରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ସଂସ୍ଥା ୪,୧୯,୫୭୪କୋଟି ଟଙ୍କାର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସ୍ମାର୍ଟ ସିଟି ଭୁବ‌େନଶ୍ବରରେ ପୁଞ୍ଜିନିବେଶ କରିବା ପାଇଁ କେହି ବି ଆଗ୍ରହ ଦେଖାଇନାହାନ୍ତି। ସ୍ମାର୍ଟ ସିଟି ଭୁବନେଶ୍ବରରେ ୪୫୩୭କୋଟି ଟଙ୍କାର ପ୍ରକଳ୍ପ ହେବାକୁ ଥିବାବେଳେ ଏଥିରେ ପିପିପି ମୋଡ୍‌ରେ ୨୫୬୩କୋଟି ଟଙ୍କାର ପ୍ରକଳ୍ପ ହେବ। ଯାହା ମୋଟ୍ ପ୍ରକଳ୍ପର ୫୬.୫% ଅଂଶ। ଆଶ୍ଚର୍ଯ୍ୟର ବିଷୟ ଏଥିପାଇଁ ରାଜ୍ୟ ସରକାରଙ୍କ ପାଖରେ ଟଙ୍କାଟିଏ ବି ନାହିଁ। ସ୍ମାର୍ଟ ସିଟି ଯୋଜନାକୁ ସାଢ଼େ ତିନି ବର୍ଷ ପୂରିବାକୁ ଥିବାବେଳେ ଏତେ ଟଙ୍କାର ପ୍ରକଳ୍ପ କିପରି ହେବ ସେନେଇ ବି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ କିଛି ଯୋଜନା ହୋଇନି। ଫଳରେ ପିପିପି ମୋଡ୍‌ରେ ହେବାକୁ ଥିବା ଏହି ପ୍ରକଳ୍ପ ନେଇ ଅନିଶ୍ଚିତତା ଦେଖାଦେଲାଣି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସ୍ମାର୍ଟ ସିଟିରେ ମୋଟ୍‌ ୪୫୩୭କୋଟି ଟଙ୍କାର ପ୍ରକଳ୍ପ କରିବାକୁ ଯୋଜନା ହୋଇଥିବାବେଳେ ଏଥିରୁ ୨୫୬୨.୮୦କୋଟି ଟଙ୍କାର ପ୍ରକଳ୍ପ ପିପିପି ମୋଡ୍‌ରେ ହେବ। ଏଥିରୁ ୮୪୦କୋଟି ଟଙ୍କାରେ ମିସନ୍ ଆବାସ୍‌ ଗୃହ ପ୍ରକଳ୍ପ (ବାପୁଜୀ ନଗର, ଖାରବେଳ ନଗର, ଶାନ୍ତି ନଗର, ସହିଦ ନଗର ଆବାସ ଯୋଜନା), ୮୪୫କୋଟିର ରେଳ ଷ୍ଟେସନ ମଲ୍ଟି ମୋଡାଲ ହବ୍‌ (ଦୁଇଟି ପର୍ଯ୍ୟାୟରେ, ଯଥା ଫେଜ୍-୧ରେ ୨୪୫କୋଟି, ଫେଜ୍-୨ରେ ୬୦୦କୋଟି) ହେବାକୁ ଥିବାବେଳେ ବାକି ପ୍ରକଳ୍ପଗୁଡ଼ିକ ଉଣା ଅଧିକେ ଆରମ୍ଭ ହୋଇଗଲାଣି। ଏଥିରେ ରାଜମହଲ ଓ ସହିଦନଗରରେ ବହୁତଳ କାର୍ ପାର୍କିଂ କାମ ଚାଲିଥିବାବେଳେ କମନ୍ ପେମେଣ୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ ହୋଇଗଲାଣି। କିନ୍ତୁ ଦୁଇଟି ବଡ଼ ପିପିପି ପ୍ରକଳ୍ପରେ ୧୬୮୫କୋଟି ଟଙ୍କା ପୁଞ୍ଜିନିବେଶ ହେବାକୁ ଥିବାବେଳେ ଏଥିପାଇଁ କର୍ତ୍ତୃପକ୍ଷ ଟଙ୍କାଟେ ଯୋଗାଡ଼ ନକରିବା ଚକିତ କରିଛି।

ବଜାର ସର୍ଭେ କାମ ହୋଇନି
ଭୁବନେଶ୍ବର ଟାଉନ ସେଣ୍ଟର ହେଲେ ଏଠାରେ ବଜାର ମୂଲ୍ୟ କିପରି ବଢ଼ିବ, କେଉଁ ପ୍ରକାରର ବ୍ୟବସାୟିକ ସ˚ସ୍ଥାକୁ ସୁଯୋଗ ଦିଆଯିବ, କିପରି ଏହି ପ୍ରକଳ୍ପର ବ୍ରାଣ୍ତି˚ କରାଯିବ, ପ୍ରକଳ୍ପକୁ କିପରି ଅଧିକ ସ˚ସ୍ଥାକୁ ଆକର୍ଷିତ କରିହେବ, ବିଏସ୍‌ସିଏଲ୍‌ ପକ୍ଷରୁ କ’ଣ ସୁବିଧା ସୁଯୋଗ ମିଳିବ, ଯେଉଁ ସ˚ସ୍ଥା ପୁଞ୍ଜି ଖଟାଇବ ତା’ର କେତେ ଭାଗ ଓ ବିଡିଏର କେତେ ଭାଗ ରହିବ, ଦୋକାନଗୁଡ଼ିକୁ ଭଡ଼ାରେ ଦିଆଯିବ କି ବିକ୍ରି କରାଯିବ ସେନେଇ ଏକ ମାର୍କେଟି˚ ଆସେସମେଣ୍ଟ କନସଲଟାଣ୍ଟକୁ କାର୍ଯ୍ୟ ଦିଆଯିବ। କିନ୍ତୁ ଏମ୍‌ଓୟୁ ପାଇଁ ଏହା ବି ଅଟକିଛି। କର୍ତ୍ତୃପକ୍ଷ କହିଛନ୍ତି ଯେ, ପ୍ରକଳ୍ପର କନସେପ୍ଟ ଡିଜାଇନ୍‌ ପ୍ରସ୍ତୁତ ହୋଇଯାଇଛି।

ଅଶୋକା ମାର୍କେଟ ଉଚ୍ଛେଦ ‌େଶଷ ହେଉନି
ଏହି ପ୍ରକଳ୍ପରେ ସବୁଠୁ ବଡ଼ ପ୍ରତିବନ୍ଧକ ସାଜିଛି ଅଶୋକା ମାର୍କେଟ। ଏଠାରେ ଥିବା ବ୍ୟବସାୟୀଙ୍କୁ ଥଇଥାନ କରି ମାର୍କେଟ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାହା ହେବା ପରେ ‌ଏକ ଘରୋଇ ସଂସ୍ଥା ମାଧ୍ୟମରେ ଏହାକୁ ୬ ମାସ ହେଲା ଭଙ୍ଗା ଯାଉଛି। କିନ୍ତୁ ବିଲ୍‌ଡିଂର ଗୋଟିଏ ପାର୍ଶ୍ବ ଦୀର୍ଘ ମାସେ ହେଲା ଭଙ୍ଗା ଯାଇପାରୁନି। ଗୋଟିଏ ଦୋକାନ ଘର ଭଙ୍ଗା ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ ଥିବାରୁ ଏବେ ଅଶୋକା ମାର୍କେଟ୍ ଅଧାଭଙ୍ଗା ହୋଇ ପଡ଼ିଛି।

କାହିଁକି କେହି ପୁଞ୍ଜିନିବେଶ କରୁନାହାନ୍ତି
ପିପିପି ମୋଡ୍‌ରେ ପ୍ରାୟ ୧୬୮୫କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିଲେ ହେଁ ଏଥିପାଇଁ ଭୁବ‌େନଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌) କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ଯୋଜନା ପ୍ରସ୍ତୁତ ହୋଇନି। କିଛି ଯୋଜନା ପ୍ରସ୍ତୁତ ହୋଇ ନଥିବାରୁ ଏବଂ ଦୁଇଟି ଯାକ ପ୍ରକଳ୍ପର ପୂରା ଡିପିଆର୍‌ ଏବେବି ପାଖରେ ନଥିବାରୁ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଏନେଇ ବିଏସ୍‌ସିଏଲ୍ ପକ୍ଷରୁ କିଛି ବି ଆଗ୍ରହ ଦେଖାଗଲାନି। ରେଳ ଷ୍ଟେସନ୍ ମଲ୍ଟି ମୋଡାଲ୍ ହବ୍‌ରେ ୮୪୫କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ବିଏସ୍‌ସିଏଲ୍ ପକ୍ଷରୁ ଏନେଇ ଏକ ଏସ୍‌ପିଭି ଗଠନ ହୋଇଛି। ହେଲେ ଏହି ଏସ୍‌ପିଭି (ସ୍ପେଶାଲ ପରପୋଜ୍ ଭେଇକିଲ୍‌) ବି କିଛି କଲାନି। ପୂରା ପଙ୍ଗୁ ପାଲଟିଗଲା। କିପରି ଅର୍ଥ ଆସିବ, ଡିପିଆର୍‌ ପ୍ରସ୍ତୁତ ହେବ, ସଂସ୍ଥାଗୁଡ଼ିକ କିପରି ଅଧିକ ଆକର୍ଷିତ ହେବେ ସେନେଇ କିଛି ଯୋଜନା କଲାନି। ଏସ୍‌ପିଭିର ମୁଖ୍ୟ କହୁଛନ୍ତି ରେଳ ଷ୍ଟେସନ୍ ମଲ୍ଟି ମୋଡାଲ୍ ହବ୍ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହେବାର ଅଛି। ଏମ୍ଓୟୁ ସ୍ବାକ୍ଷର ହେବା ପରେ ଯାହା ପଦକ୍ଷେପ ନିଆଯିବ। ଏମ୍‌ଓୟୁ ସ୍ବାକ୍ଷର ହେବା ପରେ ପ୍ରକଳ୍ପ ଡିପିଆର୍‌ ପ୍ରସ୍ତୁତ କରି ବିଭିନ୍ନ ସଂସ୍ଥା ସହ ଆଲୋଚନା କରି ପୁଞ୍ଜିନିବେଶ କରିବାକୁ ମନାଇଲା ବେଳକୁ ଅତି କମ୍‌ରେ ବ‌େର୍ଷ ଲାଗିବ। ତାହା ପୁଣି ନିଶ୍ଚିତ ନୁହେଁ ଯେ, ଆବଶ୍ୟକୀୟ ପୁଞ୍ଜି ଯୋଗାଡ଼ ହୋଇଯିବ। ଅପରପକ୍ଷେ ମିସନ୍ ଆବାସ କ୍ଷେତ୍ରରେ ବି ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଆଖିଦୃଶିଆ ଆଗେଇ ପାରିନାହାନ୍ତି। ଏଥିରେ ଶାନ୍ତିନଗର, ବାପୁଜୀଗନର, ଖାରବେଳ ନଗର ଓ ସହିଦନଗରରେ ପ୍ରାୟ ୧୦ହଜାର ଘର ନିର୍ମାଣ ହେବାକୁ ଥିବାବେଳେ ୮୪୦କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଅଛି। କିନ୍ତୁ ଶାନ୍ତି ନଗରରେ କର୍ତ୍ତୃପକ୍ଷ ଆଣ୍ଠେଇଛନ୍ତି। ଏଠାରେ ବସ୍ତି ବାସିନ୍ଦା ସଂପୂର୍ଣ୍ଣ ସହଯୋଗ କରୁନଥିବାରୁ ପ୍ରକଳ୍ପ ବି ଆଗେଇ ପାରୁନି। ନିର୍ବାଚନ ବର୍ଷ ଆସୁଥିବାରୁ ପ୍ରଶାସନ ବି କଠୋର ପଦକ୍ଷେପ ନେଇପାରୁନି। ବାପୁଜୀନଗର, ଖାରବେଳ ନଗର ଓ ସହିଦନଗରରେ ତ କେବଳ ଯୋଜନାରେ ଅଟକିଛି। କେଉଁଠି ହେବ, କେମିତି ଲୋକଙ୍କୁ ସ୍ଥାନାନ୍ତର କରାଯିବ ସେନେଇ କିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇନି। ଏଠାରେ ଗୃହ ପ୍ରକଳ୍ପ ପାଇଁ ହାତରେ ଜମି ନଥିବାରୁ ବିଏସ୍‌ସିଏଲ୍‌ ବି କୌଣସି ପୁଞ୍ଜିନିବେଶକାରୀ ସଂସ୍ଥା ସହ ଆଲୋଚନା କରିପାରୁନି।

ଏମ୍‌ଓୟୁ କେବଳ ବାହାନା
ଅପରପକ୍ଷେ ଏମ୍‌ଓୟୁ ସ୍ବାକ୍ଷର ଦୁଇଥର ବାତିଲ୍ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଠାଯାଇଥିବା ସଂଶୋଧିତ ଏମ୍‌ଓୟୁ ଅନୁଯାୟୀ ସ୍ବାକ୍ଷର କରିବାକୁ ରେଳ ମନ୍ତ୍ରଣାଳୟ ଅଗଷ୍ଟ ୩୦ରୁ ସହମତି ଜଣାଇଲାଣି। ଯଦି ଏମ୍ଓୟୁ ପାଇଁ ରେଳ ଷ୍ଟେସନ୍ ମଲ୍‌ଟି ମୋଡାଲ୍ ହବ୍ ପ୍ରକଳ୍ପ ଆଗେଇ ପାରୁନି ତେବେ ରାଜ୍ୟ ସରକାର କାହିଁକି ତିନି ମାସ ପକାଇ ରଖିବା ପରେ ଏମ୍ଓୟୁ ସ୍ବାକ୍ଷର ପାଇଁ ସହମତି ଜଣାଇଲେ ବୋଲି ପ୍ରଶ୍ନ ଉଠିଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ, ଏସ୍‌ପିଭିରେ ଥିବା ଅଧିକାରୀ ଏହା ଜାଣିକି ବି କାହିଁକି ଏହାକୁ ତ୍ବରାନ୍ବିତ କରିବାକୁ ପଦକ୍ଷେପ ନେଲେନି? ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ହେବ ବୋଲି ବର୍ଷକ ତଳୁ ସରକାର ପ୍ରଚାର କରୁଛନ୍ତି। ଏଥିରେ କେଉଁ କ୍ଷେତ୍ରରେ ପୁଞ୍ଜିନିବେଶ ହୋଇପାରିବ ସେନେଇ ବିଭିନ୍ନ ସଂସ୍ଥା ସହ ଆଲୋଚନା କରିବା ଏବଂ ଡିପିଆର୍ ପ୍ରସ୍ତୁତ କରିବାକୁ ବିଭିନ୍ନ ବିଭାଗକୁ କୁହାଯାଇଥିଲା। ହେଲେ ଏମ୍ଓୟୁକୁ ବାହାନା କରି ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଏବଂ ଏସ୍‌ପିଭିର ଅଧିକାରୀ ବସି ପଡ଼ିଲେ। ଫଳ ହେଲା ଟଙ୍କାଟିଏ ବି ପୁଞ୍ଜିନିବେଶ କରିବାକୁ କେହି ଆସିଲେନି।

ସମ୍ବନ୍ଧିତ ଖବର