୨ ବର୍ଷରେ ମେକ୍ ଇନ୍ ଓଡ଼ିଶାର ୭୫% ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ

ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶାର ଦ୍ବିତୀୟ ସଂସ୍କରଣରେ ଆସିଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଆସନ୍ତା ଦୁଇ ବର୍ଷ ଭିତରେ ୭୫% ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ୨୦୧୬ର ମେକ୍ ଇନ୍ ଓଡ଼ିଶା ସଂସ୍କରଣରେ ରାଜ୍ୟକୁ ୨.୦୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଏଥର ଦୁଇ ଗୁଣା ଅଧିକ ପ୍ରସ୍ତାବ ଆସିଛି। ଏବର୍ଷ କନ୍‌କ୍ଲେଭ୍‌କୁ ଦେଶବିଦେଶର ଶିଳ୍ପ ଜଗତର ୫୦୭୪ ଜଣ ମୁଖ୍ୟ, ବରିଷ୍ଠ ଅଧିକାରୀ ଓ ପ୍ରତିନିଧି ଆସିଥିଲେ। ଏଠାରେ ଆୟୋଜନ କରାଯାଇଥିବା ଏକ୍ସପୋକୁ ୩୧,୮୦୬ ଜଣ ଲୋକ ବୁଲି ଦେଖିଥିଲେ। ମୁଖ୍ୟମନ୍ତ୍ରୀ ଏଥର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସେ ବିଷୟରେ ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା କହିଛନ୍ତି, ଏହି ଲକ୍ଷ୍ୟ ହାସଲ କରିବାକୁ ଆମେ ପ୍ରତିବଦ୍ଧ। ୨୦୧୬ରେ ଯେଉଁ ପ୍ରସ୍ତାବ ଆସିଥିଲା ତାହାର ୬୫% ଏବେ ମଞ୍ଜୁରି ଓ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଆଗାମୀ ଦୁଇ ବର୍ଷ ଭିତରେ ଆମେ ଆସିଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ ଦେବୁ। ଆଗାମୀ ୫-୧୦ ବର୍ଷ ଭିତରେ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ସବୁଠୁ ଆଗରେ ରହିବ ବୋଲି ଶ୍ରୀ ଚୋପ୍ରା କହିଛନ୍ତି।

ସମ୍ବନ୍ଧିତ ଖବର