ମିଳୁନି ରୂପଜୀବୀଙ୍କ ପରିଚୟ, ଫଟୋ ଗଲା ବାଂଲାଦେଶ ଦୂତାବାସ

ଭୁବନେଶ୍ବର : ଖାରବେଳନଗର ଥାନା ଅଧୀନ ମାଳିସାହିରେ ଗତ ୫ ଦିନ ତଳେ ଜବତ ହୋଇଥିବା ମୃତ ରୂପଜୀବୀଙ୍କ ପରିଚୟ ଏଯାଏ ମିଳନି। ଶେଷରେ ପୁଲିସ ବାଧ୍ୟ ହୋଇ ତାଙ୍କ ଫଟୋ ଓ ତଥ୍ୟ ବାଂଲାଦେଶ ଦୂତାବାସ ଓ ପଶ୍ଚିମବଙ୍ଗ ଗୃହ ବିଭାଗକୁ ପଠାଇଛି।

ପୁଲିସ ସୂଚନା ଅନୁଯାୟୀ ରୂପଜୀବୀଙ୍କ ଯେଉଁ ଠିକଣା ମିଳିଛି ତାହା ସନ୍ଦେହଜନକ। ତାଙ୍କର ପ୍ରକୃତ ନାଁ ଜଣାପଡ଼ିନାହିଁ। ତେବେ ସେ ବାଂଲାଦେଶର ବୋଲି ଆଲୋଚନା ହେଉଥିବାରୁ ତାଙ୍କ ଫଟୋକୁ ପଶ୍ଚିମବଙ୍ଗ ପୁଲିସ୍‌କୁ ପଠାଯିବା ସହିତ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯାଇଛି। ତାଙ୍କ ଫଟୋ ଏବଂ କେତେକ ତଥ୍ୟ ଦୂତାବାସ କର୍ତୃପକ୍ଷଙ୍କୁ ଦିଆଯାଇଛି।

ଅନ୍ୟପକ୍ଷରେ ପୁଲିସ ମାଳିସାହିର ‌ବିଭିନ୍ନ ମହିଳା ଗ୍ରୁପ୍‌କୁ ଡାକି ପଚରାଉଚରା ଜାରି ରଖିଛି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ୫ରୁ ଊର୍ଧ୍ବ ମହିଳା ଥାନାରେ ହାଜର ହୋଇଥିଲେ। ପାଖାପାଖି ୨ ଘଣ୍ଟାର ଜେରା ପରେ ମଧ୍ୟ ସେମାନଙ୍କଠାରୁ ସେଭଳି କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା।

ସେହିପରି ଘର ମାଲିକ ଓ ପଡ଼ୋଶୀଙ୍କ ଉପରେ ମଧ୍ୟ ପୁଲିସ ସନ୍ଦେହ କରୁଛି। କାରଣ ରୂପଜୀବୀଙ୍କ ମୃତ୍ୟୁ ପରେ ପଡ଼ୋଶୀ ଯୁବତୀ ଓ ମହିଳାମାନେ ଫେରାର୍‌ ହୋଇ ଯାଇଛନ୍ତି। ଘର ମାଲିକ ରୂପଜୀବୀଙ୍କ ପରିଚୟପତ୍ର ରଖି ନଥିବା କହୁଛନ୍ତି। ଯାହା ପୁଲିସର ତଦନ୍ତରେ ବାଧା ସୃଷ୍ଟି କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ଯିବ ବୋଲି ପୁଲିସ କହିଛି।

ଏହି ରୂପଜୀବୀଙ୍କ ମୃତ୍ୟୁ ପରେ ମାଳିସାହିରେ ବାଂଲାଦେଶୀ ଯୁବତୀମାନଙ୍କୁ ଅନୈତିକ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ସନ୍ଦେହ ଦୃଢ଼ ହୋଇଛି। ଏହି ଯୁବତୀଙ୍କ ଚାଲାଣ ପଛର ମୁଖ୍ୟ ଖଳ ନାୟକ କିଏ, ତହା ଜାଣିବାକୁ ପୁଲିସ ଉଦ୍ୟମ କରୁଛି।

ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ଆମେ ଏ ସମ୍ପର୍କରେ ବାଂଲାଦେଶ ଦୂତାବାସକୁ ଯୋଗାଯୋଗ କରିଛୁ। ଯଦି ଯୁବତୀ ଜଣଙ୍କ ବାଂଲାଦେଶର ହୋଇଥିବା ତାହା ଜଣାପଡ଼ିବ। ଏତଦବ୍ୟତୀତ ଯୁବତୀ ଚାଲାଣ ଘଟଣାର ଏକ ସ୍ବତନ୍ତ୍ର ଅନୁସନ୍ଧାନ କରାଯିବ। କିଏ ମାଳିସାହିକୁ ବାଂଲାଦେଶୀ ଯୁବତୀଙ୍କୁ ଆଣୁଥିଲା ଏବଂ ଏହି ରୢାକେଟ୍‌ ପଛର ଖଳନାୟକ କିଏ ତାକୁ ଗିରଫ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି, ୨୮ ତାରିଖ ସନ୍ଧ୍ୟାରେ ଖାରବେଳନଗର ଥାନା ପୁଲିସ ମାଳିସାହିରୁ ରୂପଜୀବୀଙ୍କ ମୃତହେଦ ଜବତ କରିଥିଲା।

ସମ୍ବନ୍ଧିତ ଖବର