ତଥାପି ହାର ମାନିନି ମାମୁନି…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଗ୍ରାମର ଝିଅ ମାନିନୀ ବିଶୋଇ ଓରଫ ମାମୁନି (୧୮)। ଦୁଇ ବର୍ଷ ତଳେ ମାମୁନିଙ୍କ କ୍ଷେତ୍ରରେ ଘଟିଯାଇଛି ଏକ ଭୟଙ୍କର ଘଟଣା। ଯାହା ସେ ଆଜି ମଧ୍ୟ ଭୁଲି ପାରିନାହାନ୍ତି। ୨୦୧୬ରେ ଗାଁ ସ୍କୁଲରେ ପଢ଼ୁଥାନ୍ତି। ସେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥାଏ। ଦୁନିଆକୁ ଭଲ ଭାବେ ଦେଖିବା ଆଗରୁ ସେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ। ସେହି ଦିନଠାରୁ ସୁନ୍ଦର ମାମୁନି ସାରା ଦୁନିଆ ପାଇଁ ବିକୃତ ହୋଇଗଲେ। ସେ କହିଥିଲେ, ସେହି ସମୟରେ ଗାଁର ଜଣେ ଯୁବକ ତାଙ୍କୁ ଏକତରଫା ପ୍ରେମ କରି ବିବାହ ପ୍ରସ୍ତାବ ଦେଇଥିଲେ। ବିବାହ ବୟସ ହୋଇ ନ ଥିବାରୁ ସେ ରୋକଠୋକ୍‌ ମନା କରିଦେଇଥିଲେ। ପରିବାର ଲୋକେ ମଧ୍ୟ ମନା କରି ଦେଇଥିଲେ। କିନ୍ତୁ ଏହି ପ୍ରତ୍ୟାଖ୍ୟାନର ପରିଣାମ ଯେ ଏତେ ଭୟଙ୍କର ହେବ, ସେ ଜାଣି ନଥିଲେ। ଘଟଣାର କିଛି ଦିନ ପରେ ଦିନେ ରାତିରେ ଘରେ ଶୋଇଥିଲେ ମାମୁନି। ସମ୍ପୃକ୍ତ ଯୁବକ ରାତିରେ ଲୁଚି ଆସି ତାଙ୍କ ମୁହଁରେ ଏସିଡ୍‌ ପକାଇ ଚାଲି ଯାଇଥିଲା। ଏଥିରେ ତାଙ୍କ ମୁହଁର ପ୍ରାୟ ୭୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାରୁ ସେହି ଦିନଠାରୁ ଅଢ଼େଇ ବର୍ଷ ହେଲା କଟକସ୍ଥିତ ଏସ୍‌ସିବି ମେଡ଼ିକାଲରେ ଚିକିତ୍ସିତ ହେଉଥିଲି। ଏହି ବର୍ଷ ଫେବ୍ରୁଆରି ମାସରେ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛି। ଏଭଳି ଦୁର୍ଘଟଣା ପରେ ବି ସେ ହାରି ଯାଇନାହାନ୍ତି। ଅନ୍ୟମାନଙ୍କ ପରି ବଞ୍ଚିବାକୁ ଉଦ୍ୟମ ଜାରି ରଖିଛି। ମୋ ଭଳି ଯେଉଁମାନେ ନିର୍ଯାତନାର ଶିକାର ହେଉଛନ୍ତି, ସେମାନଙ୍କ ପାଇଁ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେଇଛି। ୨୦୧୬ରେ ମାଟ୍ରିକ୍‌ ପରେ ପାଠପଢ଼ା ଅଧା ରହିଥିବାରୁ ପୁଣି ଥରେ ପଢ଼ିବାକୁ ଚିନ୍ତା କରିଛି। ଏହା ମାଧ୍ୟମରେ ସମାଜର ସବୁ ମହିଳାଙ୍କୁ ବାର୍ତା ଦେବାକୁ ଚାହୁଛି ଯେ ମୁହଁ ସିନା ଜଳିଯାଇଛି, ହେଲେ ଆମ ଭିତରେ ଥିବା ଇଚ୍ଛା ଓ ଆଗ୍ରହ ଦବି ଯାଇନି। ଆଉ ଯେଉଁମାନେ ଏପରି କୁତ୍ସିତ ମାନସିକତା ରଖି ଅନ୍ୟ ଜୀବନ ଛାରଖାର କରୁଛନ୍ତି, ସେମାନଙ୍କୁ ଉଚିତ୍‌ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି।

ଆଜି ଗାଁଠୁ ସହର ସବୁଆଡ଼େ ନିର୍ଯାତନାର ଶିକାର ହେଉଛି ନାରୀ। ସେହି ନିର୍ଯାତନା ମଧ୍ୟରେ ଅତି ଭୟଙ୍କର ହେଉଛି ଏସିଡ୍‌ ଆକ୍ରମଣ। ସତରେ ପ୍ରେମରେ ଯଦି ଏହିଭଳି ଶାସ୍ତି ଭୋଗିବାକୁ ହେବ, ତାହା ହେଲେ ଦୁନିଆରୁ ପ୍ରେମ ଶବ୍ଦ ଉଠିଯିବ। ହଇଜା, ମହାମାରୀ ଆଉ କର୍କଟ ଭଳି ମାରାତ୍ମକ ରୋଗଠାରୁ ମଧ୍ୟ କ୍ଷୀପ୍ର ଗତିରେ ମାଡ଼ିଚାଲିଛି ଏଭଳି ବିକୃତ ମାନସିକତା। ତଥାପି ପୀଡ଼ିତା ହାର ନ ମାନି ଆଗକୁ ବଢ଼ିବାର ସ୍ୱପ୍ନ ଦେଖୁଛନ୍ତି। ଅନ୍ୟାୟ ବିରୋଧରେ ପୁଣିଥରେ ସ୍ୱର ଉତ୍ତୋଳନ କରିବାର ଶକ୍ତି ଓ ସାହାସ ସଞ୍ଚୟ କରୁଛନ୍ତି।

ସମ୍ବନ୍ଧିତ ଖବର