ଭୁବନେଶ୍ୱର : ବିଭିନ୍ନ ଦୋକାନ ସାମ୍ନାରେ ଆଜି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଷ୍ଟେସନ୍ ବଜାର, ବାପୁଜୀନଗର ଷ୍ଟାର ୱାଇନ୍ ଓ ଡମଣା ଛକରେ ଥିବା ଦୋକାନ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଶହଶହ ସଂଖ୍ୟାରେ ଗ୍ରାହକ ଜମି ଯିବାରୁ ଦୋକାନୀର ଅକଲ ଗୁଡ଼ୁମ୍ ହୋଇଥିଲା। ଶେଷରେ ପୁଲିସ ପହଞ୍ଚି ଘଉଡ଼ାଇଥିଲା। ଜୟଦେବବିହାର ଅଞ୍ଚଳରେ ଥିବା ଏକ ଦୋକାନରେ ଗ୍ରାହକଙ୍କ ମଧ୍ୟରେ ହାତାହାତି ହୋଇଥିଲା। କିଏ ଆଗ ମଦ ନେବ, ତାହାକୁ ନେଇ ଦୁଇ ଗ୍ରାହକ ହାତାହାତି ହେବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଏହି ଦୋକାନ ସମ୍ମୁଖରେ ଜଣେ ଯୁବତୀ ଯାଉଥିବା ବେଳେ ଗ୍ରାହକ ଜଣେ କମେଣ୍ଟ ମାରିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯୁବତୀଙ୍କ ସହ ସେଠାରୁ ଥିବା ଗ୍ରାହକ ସମ୍ପୃକ୍ତ ଯୁବକକୁ ପିଟିଥିଲେ। ଶେଷରେ ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ଯୁବକଙ୍କୁ ଅଟକ ରଖିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମଦୁଆଙ୍କୁ ମାଡ଼
ଅନ୍ୟପକ୍ଷରେ ଆଜି ସକାଳେ ଡ଼ମଣା ଛକରେ ଥିବା ମଦ ଦୋକାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ମଦ ଦୋକାନ ଖୋଲିଥିବା ସୂଚନା ପାଇ ଶହ ଶହ ଲୋକ କାଉଣ୍ଟର୍ ନିକଟକୁ ଆସି ଲମ୍ବା ଧାଡ଼ି ଲଗାଇଥିଲେ। ଦୋକାନୀ ଜଣଙ୍କ ସଟର୍ ଖୋଲି ୧୦ଜଣ ଲେଖାଏଁ ଲୋକଙ୍କୁ ଭିତରେ ଭର୍ତି କରି ସଟର୍ ବନ୍ଦ କରି ଦେଉଥିଲା। ଏଭଳି ଚାଲିଥିବାର ଦେଖି ଲୋକଙ୍କ ଗହଳି ଲାଗି ଯାଇଥିଲା। ପାଖାପାଖି ୨୦୦ ଲୋକ ଲମ୍ବା ଧାଡ଼ିରେ ଛିଡ଼ା ହୋଇଯାଇଥିଲା। ପୂର୍ବାହ୍ନ ସାଢ଼େ ଦଶଟା ପର୍ଯ୍ୟନ୍ତ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଗ୍ରାହକଙ୍କ ଲମ୍ବା ଲାଇନ୍ କାନନବିହାର ଛକ ପର୍ଯ୍ୟନ୍ତ ଲମ୍ବିଯିବା ସହ ରାସ୍ତା ବି ଜାମ୍ ହୋଇଯାଇଥିଲା। ମଦ ଦୋକାନ ଆଗରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଡ଼ମଣା ଛକରେ ଟ୍ରାଫିକ୍ ସମସ୍ୟା ଦେଖାଯାଇଥିଲା। ସୂଚନାପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅମାନିଆ ମଦୁଆଙ୍କୁ ମାଡ଼ ମାରି ସାବାଡ଼ କରିଥିଲା। ପୁଲିସ୍ ମାଡ଼ ଦେଖି ଧାଡ଼ିରେ ଛିଡ଼ା ହୋଇଥିବା ଲୋକେ ଛତ୍ରଭଙ୍ଗ ଦେଇ ସେଠାରୁ ଚାଲିଯାଇଥିଲେ। ଏହାପରେ ପୁଲିସ୍ ମଦ ଦୋକାନକୁ ବନ୍ଦ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ସେହିପରି ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନା ଅଧୀନରେ ଥିବା କିଛି ବାର୍ ସମ୍ମୁଖରେ ବି ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଖବରପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସଂଧ୍ୟା ପର୍ଯ୍ୟନ୍ତ ପାଟ୍ରୋଲିଂ କରିଥିଲା।
ମୋବାଇଲ ଦେଖିବାକୁ ବେଳ ନାଇଁ
ଅନ୍ଲାଇନ୍ରେ ମଦ ବିକ୍ରି କରିବାରେ କୌଣସି ବ୍ୟବସାୟୀ ଅଭ୍ୟସ୍ତ ନୁହନ୍ତି। ଅନ୍ଲାଇନ୍ରେ ମଦ ବିକ୍ରି ହେବା ପାଇଁ ଦୋକାନୀଙ୍କ ନମ୍ବର ଜାରି ହେବା ପରେ ହ୍ବାଟ୍ସ୍ ଆପ୍ରେ ଅର୍ଡର ଗଦା ହୋଇଥିଲା। ଗୋଟିଏ ଗୋଟିଏ ନମ୍ବରରେ ପାଖାପାଖି ୨୫୦ ଅର୍ଡର ଆସିଯିବାରୁ ମୋବାଇଲ ଦେଖି ଅର୍ଡର ପ୍ରସ୍ତୁତ କରିବା ଦୋକାନୀଙ୍କ ପାଇଁ ଅସମ୍ଭବ ପାଲଟି ଯାଇଥିଲା। ଏତେ ପରିମାଣରେ ମଦ ଅପରାହ୍ଣ ୨ଟାରୁ ୬ଟା ଭିତରେ ଯୋଗାଇବା ମଧ୍ୟ ସମ୍ଭବ ନଥିଲା। ଅନ୍ଲାଇନ୍ରେ ଠକେଇ ହେଉଥିବାରୁ ଆଗୁଆ ପଇସା ପୈଠ କରିବା ପାଇଁ ମଧ୍ୟ ଗ୍ରାହକ ଚାହିନଥିଲେ। ଫଳରେ ବ୍ୟବସାୟୀ ଏକ ବିଚିତ୍ର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନେକ ଗ୍ରାହକ ହ୍ବାଟ୍ସ୍ ଆପ୍ ଓ ଅନ୍ଲାଇନ୍ ବ୍ୟବସ୍ଥା ଜାଣି ନଥିବାରୁ ଦୋକାନରେ ପହଞ୍ଚି ମଦ ଦେବା ପାଇଁ ହଲ୍ଲା ପକାଇଥିଲେ। ପୁଲିସ ଉପସ୍ଥିତିରେ ମଧ୍ୟ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା।
ଚୋରା ସହ ଅସଲି ଦର ସମାନ
ଲକ୍ଡାଉନ୍ ବେଳେ ଚୋରାରେ ମଦ ମିଳୁଥିଲା। ଶହେ ଟଙ୍କାର ମଦ ୩ଶହରେ କିଣିବାକୁ ପଡ଼ୁଥିଲା। ଏବେ କୋଭିଡ୍ କର ସହ ଡେଲିଭରି ଚାର୍ଜ ମିଶିବା ପରେ ମଦର ଦର ମଧ୍ୟ ଅନୁରୂପ ହୋଇଥିଲା। ଜଣେ ଗ୍ରାହକ କହିଥିଲେ, ଚୋରାରେ ଭଲ ଥିଲା। କେହି କାହାକୁ ଚିହ୍ନୁ ନଥିଲେ। ରାତିରେ କାରବାର ହେଉଥିଲା। ଏଠି ଦିନରେ ଆସି ବେଜିତ୍ ହୋଇ ଚୋରା ଦରରେ କିଣିବା କଷ୍ଟ ଲାଗୁଛି। ତେବେ ମାସ୍କ ବାଧ୍ୟତାମୂଳକ ଥିବାରୁ ତାହା କେତେକାଂଶରେ ଚିହ୍ନା ପଡ଼ିବାରୁ ବଞ୍ଚାଇ ଦେଉଛି।