ଦୁର୍ଘଟଣାରେ କାଠ କାରିଗରଙ୍କ ମୃତ୍ୟୁ

ବାଲିଅନ୍ତା : ଆଜି ସନ୍ଧ୍ୟାରେ ଟଙ୍କପାଣି ବ୍ରିଜ ନିକଟରେ ବାଲିବୋଝେଇ ଡମ୍ଫର ଧକ୍କାରେ ଜଣେ କାଠ ମିସ୍ତ୍ରିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ବାଲିଅନ୍ତା ଥାନା ଅନ୍ତର୍ଗତ ହୀରାପୁର (ସାହାବାଜ) ଗ୍ରାମର ଗଣେଶ ମହାନ୍ତି (୫୮)। ତାଙ୍କ ନିଜଘର ଢେଙ୍କାନାଳ କିନ୍ତୁ ସେ ଦୀର୍ଘବର୍ଷ ହେଲା ଏଠାରେ ସ୍ଥାୟୀ ଭାବେ ରହୁଛନ୍ତି। ସ୍ଥାନୀୟ ଲୋକମାନେ ଗଣେଶଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାନୁଯାୟୀ ଗଣେଶ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ତାଙ୍କ ନିକଟରେ କାମ କରୁଥିବା ଉକ୍ତ ଗ୍ରାମର ଦୁଇଜଣ ଶ୍ରମିକଙ୍କୁ ଘରେ ଛାଡ଼ି ଦେଇ ପୁନର୍ବାର ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଡମ୍ଫର ତାଙ୍କୁ ଧକ୍କା ଦେଇ ଖସି ପଳାଇଥିଲା। ବାଳକାଟି ଫାଣ୍ଡି ପୁଲିସ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ

ବାଲିଅନ୍ତା : ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧୀନ ପ୍ରତାପଶାସନ (ପ୍ରଧାନ ସାହି) ଗ୍ରାମ ରାମଚନ୍ଦ୍ର ପରିଡ଼ାଙ୍କ ପୁଅ ଚନ୍ଦନର ମଙ୍ଗଳବାର ରାତିରେ ମୃତ୍ୟୁ ହୋଇଯାଇଛି। ଚନ୍ଦନ ବିଜେବି କଲେଜରେ +୩ ପ୍ରଥମ ବର୍ଷରେ ପଢ଼ୁଥିଲା। ମଙ୍ଗଳବାର ପ୍ରାୟ ରାତି ଦି ’ଟାରେ ଚନ୍ଦନ ହଠାତ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ଚିକିତ୍ସା ଲାଗି ତାକୁ ପରିବାର ଲୋକ ସ୍ଥାନୀୟ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଉଥିଲେ। ମାତ୍ର ବାଟରେ ହିଁ ତା’ର ମୃତ୍ୟୁ ହୋଇଯାଇଥିଲା। ଚନ୍ଦନ ଜଣେ ଭଲ ପିଲା ଭାବେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ତା ମୃତ୍ୟୁରେ ବାଳକାଟି ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର