ପଶୁଠୁ ହୀନ ଜୀବନ ଜିଉଁଛନ୍ତି, ମାନସିକ ବିକାରଗ୍ରସ୍ତ

ଭୁବନେଶ୍ବର: କେହି କ’ଣ ଜାଣିଜାଣି ପାଗଳ ହେବାକୁ ଚାହେଁ? ମଣିଷ ହୋଇ ପଶୁଠୁ ବି ହୀନ ଜୀବନ ଜିଇଁବାକୁ ଚାହେଁ? ରାସ୍ତାଘାଟରେ ମାଡ଼ଗାଳି ଖାଇ ଶୀତ କାକ‌ରରେ ପଡ଼ି ରହିବାକୁ ଚାହେଁ? ବୋଧେ ଉତ୍ତର ହେବ ନା’। ଏକଥା ସ୍ବୀକାର୍ଯ୍ୟ ଯେ ପରିସ୍ଥିତିର ତାଡ଼ନା ତାକୁ ପାଗଳ ସଜେଇଦିଏ। ଅଥଚ ଏ ସମାଜ ତାକୁ ସ୍ଥାନ ଦେଇ ବି ସାତପର ଭଳି ବ୍ୟବହାର କରେ। ମାନସିକ ବିକୃତି ଯୋଗୁଁ କେବେ ଯଦି ସେ ହିଂସ୍ର ‌ହୋଇ ଉଠେ, ତା’ ଉପରେ ବିଧା ଗୋଇଠା ବର୍ଷିଯାଏ। କାହା ପିଣ୍ଡାରେ ଶୋଇ ପଡ଼ିଲେ ଝାଡ଼ୁ ପାହାର ସହିବାକୁ ପଡ଼େ। କେବେ ପ୍ରତିବାଦ କରିପାରେନି ବୋଲି ସବୁ ଜୁଲମ ସହିବା ହିଁ ସାର ହୁଏ। ସୁସ୍ଥ ସବଳ ଭେଣ୍ଡିଆଙ୍କ ପାଇଁ ସରକାର ସିନା ଯୋଜନାର ଅମାର ଖୋଲି ଦେଉଛନ୍ତି। ମାତ୍ର ଏମାନଙ୍କ ପାଇଁ ଯେମିତି ଯୋଜନାର ମାନେ କିଛି ନାହିଁ। ଯୋଜନା ତ ଦୂରର କଥା ପୁରୁଷ ପାଗଳଙ୍କ ମୁଣ୍ଡ ଉପରେ ଛାତ ଦେବାକୁ ବି ଏପର୍ଯ୍ୟନ୍ତ ବ୍ୟବସ୍ଥା ହୋଇନାହିଁ। ନିଃସହାୟବୋଧ ଯୋଗୁଁ ବେଳେବେଳେ କୁକୁର ହିଁ ସେମାନଙ୍କ ବନ୍ଧୁ ପାଲଟିଯାଏ। କୁକୁର ସହ ସେମାନେ ଏକାଠି ଖାଆନ୍ତି, ଶୁଅନ୍ତି ଏବଂ ପର ଅଇଁଠାକୁ ଅପେକ୍ଷା କରନ୍ତି।

ହଟହଟା କରିଛି ପାଗଳଙ୍କ ହିଂସ୍ର ଆଚରଣ
ନିକଟ ଅତୀତରେ ନୟାଗଡ଼ ଓଡ଼ଗାଁର ମାନସିକ ବିକୃତ ନିରଂଜନ ମଲ୍ଲିକ ୨ଜଣଙ୍କୁ କାଠ ଫାଳିଆରେ ପିଟି ମାରିଦେବା ଏବଂ ୯ଜଣଙ୍କୁ ପିଟି ଆହତ କରିବା ଭଳି ହୃଦୟ ବିଦାରକ ଘଟଣା ଘଟିଛି। ନିମାପଡ଼ାରେ ଜଣେ ପାଗଳ ନିଜ ତଣ୍ଟି କାଟିଦେବା ଭଳି ଘଟଣା ବି ସାମ୍ନାକୁ ଆସିଛି। ଅନେକ ସମୟରେ ପାଗଳମାନେ ହିଂସ୍ର ହେଲେ ଟେକା ପଥର ଫୋପାଡ଼ିବା ଏବଂ ଗୋଡ଼େଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହା ସାଧାରଣ ଜନତାଙ୍କ ଭିତରେ ଏକ ଆତଙ୍କ ସୃଷ୍ଟି କରିଛି। ଅନେକ ଏହାଦ୍ବାରା ପ୍ରଭାବିତ ହେବାରୁ ସାଧାରଣ ଲୋକେ ମଧ୍ୟ ସେଇ ପାଗଳମାନଙ୍କୁ ମାରିବା ପାଇଁ ଗୋଡ଼ାଇଛନ୍ତି। ତେଣୁ ଏ ଦୃଷ୍ଟିରୁ ମଧ୍ୟ ସେମାନଙ୍କୁ ତୁରନ୍ତ ଥଇଥାନ କରିବାର ଆବଶ୍ୟକତା ରହିଛି। ଅଥଚ ଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ବି ପ୍ରଶାସନ କି ସରକାର ଉଚିତ୍‌ ମଣିନାହାନ୍ତି। ବେଳେବେଳେ ଯଦି କୌଣସି ସାମାଜିକ କର୍ମୀ ପାଗଳମାନଙ୍କୁ କୌଣସି ସ୍ଥାନରୁ ମୁମୂର୍ଷୁ ଅବସ୍ଥାରେ ପାଇ ମେଡିକାଲ୍‌କୁ ଆଣନ୍ତି, ତେବେ ସେଠାରେ ସେମାନଙ୍କୁ ଡେଷ୍ଟିଚ୍ୟୁଟ୍‌ ୱାର୍ଡ ଭିତରେ ଭର୍ତି କରି ଦିଆଯାଏ। ଫଳରେ ସେଠାରେ ଥିବା ସାଧାରଣ ନିରାଶ୍ରିତ ରୋଗୀଙ୍କୁ ହଟହଟା ହେବାକୁ ପଡ଼େ।

ଘୋଷଣାରେ ଅଟକିଛି ମାନସିକ ବିକାରଗ୍ରସ୍ତ ଆଶ୍ରୟସ୍ଥଳ
କିଛିଦିନ ତଳେ ଚନ୍ଦ୍ରଶେଖରପୁର ଆଶ୍ରୟସ୍ଥଳକୁ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କରି ସେଠାରେ ନିରାଶ୍ରିତ ମହିଳାମାନଙ୍କୁ ଥଇଥାନ କରି ବିଏମ୍‌ସି ଏକ ଭଲ ପଦକ୍ଷେପ ନେଲା। ଏହି ଅବସରରେ ମାନସିକ ବିକାରଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ଆଶ୍ରୟସ୍ଥଳୀ ହେବ ବୋଲି ଘୋଷଣା ବି ହେଲା। କିନ୍ତୁ ଏପର୍ଯ୍ୟନ୍ତ ଏ ବାବଦରେ କ’ଣ କାର୍ଯ୍ୟପନ୍ଥା ନିଆଯାଇଛି, ସେ ବାବଦରେ କାହା ପାଖରେ ଉତ୍ତର ନାହିଁ। ମନସ୍ତତ୍ତ୍ବବିତ୍‌ଙ୍କ କହିବା ମୁତାବକ, ଜଣେ ମାନସିକ ରୋଗୀ ସ୍ବାଭାବିକ ମଣିଷ ଅବସ୍ଥାକୁ ଫେରିପାରିବେ। ଏଥିପାଇଁ କାଉନ୍‌ସେଲିଂ, ସ୍ବତନ୍ତ୍ର ରହଣିସ୍ଥଳ, ବୁଲିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରି ଚିକିତ୍ସା ସେବା ଓ କାଉନ୍‌ସେଲିଂ କରାଇପାରିଲେ ଅଧିକାଂଶ ମାନସିକ‌ ରୋଗୀ ସାଧାରଣ ଅବସ୍ଥାକୁ ଫେରିପାରିବେ। ଯଦିଓ କିଛି ସାଧାରଣ ଆଶ୍ରୟସ୍ଥଳୀକୁ ସେମାନଙ୍କୁ ଅଣାଯାଉଛି, ମାତ୍ର ସେମାନେ ସେଠାରେ ସାଧାରଣ ଲୋକଙ୍କ ନିକଟରେ ରହୁନାହାନ୍ତି।

ଉଚ୍ଚ ନ୍ୟାୟାଳୟ ଆଦେଶକୁ ଫୁ..
୨୦୧୧ ମସିହାର ଏକ ରିପୋର୍ଟ ମୁତାବକ ତତ୍କାଳୀନ ସମୟରେ ରାଜ୍ୟରେ ୩୦ ହଜାର ମାନସିକ ରୋଗୀ ରାସ୍ତାରେ ବୁଲୁଥିଲେ। ଏନେଇ ସାମାଜିକ କର୍ମୀ ବିଷ୍ଣୁ ପ୍ରସାଦ ଦାସ ସେହି ବର୍ଷ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଅତି ଦୟନୀୟ ଅବସ୍ଥାରେ ବୁଲୁଥିବା ପାଗଳଙ୍କ ଥଇଥାନର ବନ୍ଦୋବସ୍ତ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ। ଏଇ ଆଧାରରେ ଉଚ୍ଚ ନ୍ୟାୟାଳୟ ରାୟରେ କହିଥିଲେ, ସମାଜ ଓ ପରିବାର ଦ୍ବାରା ଉପେକ୍ଷିତ ମାନସିକ ରୋଗୀଙ୍କ ଚିକିତ୍ସା ଏବଂ ଥଇଥାନ ଭାର ସରକାର ଗ୍ରହଣ କରିବେ। ସେମାନଙ୍କୁ ଚିକିତ୍ସା, ସୁରକ୍ଷା ଯୋଗାଇ ଦେବା ସହ ରହିବାର ଥଇଥାନ କରିବେ। ମାତ୍ର ଦୀର୍ଘ ୮ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ବାବଦରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଉଚ୍ଚ ନ୍ୟାୟାଳୟର ନିର୍ଦେଶକୁ ଫୁ’ କରି ସରକାର ଉଡ଼େଇ ଦେଲେ। ଏ ବାବଦରେ ସାମାଜିକ କର୍ମୀ ସୁଶାନ୍ତ ସାହୁ ମଧ୍ୟ ନିକଟରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଅବଗତ କରାଇଛନ୍ତି। କିନ୍ତୁ କିଛି ବି ପଦକ୍ଷେପ ନିଆଯାଇନାହିଁ।

ପୁରୁଷ ମାନସିକ ରୋଗୀଙ୍କୁ ସାହା ଭଗବାନ
ବହୁ ସଂଖ୍ୟାରେ ମାନସିକ ରୋଗୀ ଚିକିତ୍ସା ସେବା ଓ ସାମାଜିକ ନିରାପତ୍ତାରୁ ବଞ୍ଚିତ। ମହିଳା ମାନସିକ ରୋଗୀଙ୍କ ପାଇଁ ‘ମିଶନ ଆଶ୍ରା’ ନାମକ ଏକ ବେସରକାରୀ ସଂସ୍ଥା କାର୍ଯ୍ୟ କରୁଛି ଏବଂ ଥଇଥାନ କରୁଛି। କିନ୍ତୁ ପୁରୁଷ ମାନସିକ ରୋଗୀଙ୍କ ପାଇଁ ଥଇଥାନର କୌଣସି ବନ୍ଦୋବସ୍ତ ଏପର୍ଯ୍ୟନ୍ତ କରାଯାଇ ନାହିଁ। ରାସ୍ତାଘାଟରେ ଏମାନେ ପଶୁଙ୍କଠୁ ବି ଦୟନୀୟ ଜୀବନଯାପନ କରୁଛନ୍ତି। କେବେ କିଏ ଦୟାରେ ଦେଲେ ଖାଆନ୍ତି, ନଚେତ୍‌ ପେଟ ଚାଖଣ୍ଡଙ୍କ ପାଇଁ ଡଷ୍ଟବିନ୍‌ରେ ବଳକା ପଚା ଖାଦ୍ୟକୁ ଅଣ୍ଡାଳନ୍ତି। କୁକୁରମାନଙ୍କ ଭଳି କାହାର ବାସି ଖାଦ୍ୟ କେତେବେଳେ ରାସ୍ତାରେ ପଡ଼ିବ ତାକୁ ଚାହିଁ ରୁହନ୍ତି। ବେଳେବେଳେ କୁକୁରଙ୍କ ସହ ଖାଦ୍ୟରେ ଭାଗ ବସେଇବା ବେଳେ କୁକୁର କାମୁଡ଼ାର ଶିକାର ହୁଅନ୍ତି।

ସମ୍ବନ୍ଧିତ ଖବର