ମଞ୍ଚେଶ୍ୱର ରେଲେଓ୍ଵ କଲୋନିରେ ଅବ୍ୟବସ୍ଥା : ଦୁର୍ଗନ୍ଧ ଶୁଂଘୁଛନ୍ତି କଲୋନି ବାସିନ୍ଦା

ଭୁବନେଶ୍ୱର : ମଞ୍ଚେଶ୍ୱର ରେଳ କଲୋନିରେ ଦୀର୍ଘଦିନ ହେବ ଅବ୍ୟବସ୍ଥା ଜାରି ରହିଛି। କାରଖାନାର ୭୨୪ ଓ ପୂର୍ବତଟ ରେଳବାଇ ମୁଖ୍ୟାଳୟର ଅଧିକାଂଶ ବାସଭବନକୁ ନେଇ ଗଢ଼ିଉଠିଥିବା ମଞ୍ଚେଶ୍ୱର ରେଲ୍‌େଓ୍ଵ କଲୋନିରେ ବହୁ ମୌଳିକ ସମସ୍ୟାର ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ।

ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ରେଳ ଶ୍ରମିକମାନେ ଏହି କଲୋନିରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପ୍ରତିି ଧ୍ୟାନ ଦିଆଯାଉ ନାହିଁ। କଲୋନି ନିକଟରେ ବିଏମ୍‌ସିର ଡମ୍ପିଂୟାର୍ଡ ରହିଥିବାରୁ କଲୋନିବାସିନ୍ଦା ରାଜଧାନୀବାସୀଙ୍କ ଦ୍ୱାରା ନିର୍ଗତ ମଇଳା ପାଣି ଓ ଆବର୍ଜନାର ଦୁର୍ଗନ୍ଧ ଶୁଙ୍ଘୁଛନ୍ତି। କଲୋନିବାସୀ ବାରମ୍ବାର ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରୁଥିଲେ ହେଁ କେହି ତାଙ୍କ କଥା ଶୁଣୁ ନାହାନ୍ତି।

ସୂଚନା ଅନୁଯାୟୀ, ରେଲ୍‌ଓ୍ଵ ଡାକ୍ତରଖାନାରୁ ଓମ୍‌ଫେଡ୍‌ ଛକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇନାହିଁ। କଲୋନିବାସୀ ବିଏମ୍‌ସି ପକ୍ଷରୁ ବାରମ୍ବାର ଏ ସଂପର୍କରେ ଅଭିଯୋଗ କରାଯାଇଥିଲେ ହେଁ କେହି ଶୁଣ ନାହାନ୍ତି। ସେହିପରି କଲୋନି ପରିସରରେ ଥିବା ସରକାରୀ ରେଳବାଇ ପୁଲିସ ଫାଣ୍ଡିକୁ ଉଠାଇ ନିଆଯାଇଛି। ଏବେ ଏହି ଅଞ୍ଚଳ ମଞ୍ଚେଶ୍ୱର ଥାନା ଅଧୀନରେ ରହିଥିବାରୁ ପିସିଆର ଭ୍ୟାନ୍‌ କାଁ ଭାଁ ଚକ୍କର କାଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିମାନେ କଲୋନିରେ ଆଡ୍ଡା ଜମାଉଛନ୍ତି। ଅଧିକାଂଶ ସମୟରେ ଗାଡ଼ି ଚୋରି ଓ ମହିଳାଙ୍କ ବେକରୁ ଚେନ୍‌ ଲୁଟ୍‌ ପରି ଘଟଣା ଦେଖିବାକୁ ମିଳୁଛି।

କଲୋନିକୁ ଲାଗି ପାଚେରି ନ ଥିବାରୁ କଲୋନି ମଧ୍ୟକୁ ବସ୍ତି ବାସିନ୍ଦାଙ୍କର ଅବାଧ ପ୍ରବେଶ ଲାଗି ରହୁଛି। କଲୋନି ପରିସରରେ ଉଠା ମାଛ ମାର୍କେଟ ରହିଥିବାରୁ ଲୋକମାନେ ମନଇଚ୍ଛା ଗାଡ଼ି ରଖୁଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। କଲୋନିରେ ଥିବା ଶିଶୁ ଉଦ୍ୟାନର ଅବସ୍ଥା ମଧ୍ୟ ଖରାପ ହୋଇପଡ଼ିଛି। ରକ୍ଷଣାବେକ୍ଷଣା ହେଉ ନାହିଁ କି ଆଲୋକର ବ୍ୟବସ୍ଥା ନାହିଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଅନୈତିକ କାର୍ଯ୍ୟ ଚାଲୁଛି। ଯାହାକି ସ୍ଥାନୀୟ ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ଅଫିସର୍‌ କ୍ଲବ୍‌ ଓ ପ୍ରେକ୍ଷାଳୟ ସହ କଲୋନି ସଂଲଗ୍ନ ରହିଥିବାରୁ କଲୋନିବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ଉଠିଛି।

ସମ୍ବନ୍ଧିତ ଖବର