ମଙ୍ଗଳା ବସ୍ତିରେ ଅଜଣା କୀଟ ଆତଙ୍କ

ନାକେଦମ୍‌ ବସ୍ତିବାସିନ୍ଦା, ଘର ଛାଡ଼ିଲେଣି ୧୫ ପରିବାର, ପାର୍ଶ୍ୱବର୍ତୀ ଅଞ୍ଚଳକୁ ବ୍ୟାପୁଛି, ବସ୍ତି ବୁଲିଲେ ବିଧାୟକ

ଚନ୍ଦ୍ରଶେଖରପୁର: ଲୁମ୍ବିନୀବିହାର ଅଞ୍ଚଳରେ ଥିବା ମଙ୍ଗଳା ବସ୍ତିରେ ମାତିଛନ୍ତି ଅଜଣା କୀଟ। ହଜାର ହଜାର ସଂଖ୍ୟାରେ ଗୋବର ପୋକ ଭଳି ଦେଖାଯାଉଥିବା କଳା ରଙ୍ଗର ଏହି କ୍ଷୁଦ୍ରାକୃତି କୀଟ ପ୍ରଭାବରେ ସ୍ଥାନୀୟ ବସ୍ତିବାସିନ୍ଦା ଗତ ପାଞ୍ଚଦିନ ହେବ ନାହିଁ ନଥିବା ହଇରାଣ ହେଉଛନ୍ତି। ଏହି କୀଟ ଉଡ଼ିପାରୁ ନଥିଲେ ସୁଦ୍ଧା ଘର ବାହାର ଚାରି ଆଡ଼େ ଚରି ଯାଇଛନ୍ତି। କାନ୍ଥଠୁଁ ଆରମ୍ଭ କରି ରାସ୍ତା ଓ ଘର ଭିତରେ ଏହି କୀଟଗୁଡ଼ିକ ଖେଳେଇ ହୋଇ ଅଛନ୍ତି। ଭାତ ହାଣ୍ଡି, ଘରେ ଥିବା ଆସବାପତ୍ର, ବାସନକୁସନଠୁଁ ଆରମ୍ଭ କରି ଚାରିଆଡ଼େ ଏମାନେ ମାଡ଼ି ଯାଉଛନ୍ତି। ଏପରିକି ଲୋକଙ୍କ ଉପରେ ଚଢ଼ି ଅସୁବିଧାରେ ପକଉଛନ୍ତି। ଗତ ଚାରି ଦିନ ତଳେ ସାମାନ୍ୟ ସଂଖ୍ୟାରେ ଏହି କୀଟ ଦେଖାଦେଇଥିଲା। ମାତ୍ର କମିଯିବ ଭାବି ବସ୍ତିବାସିନ୍ଦା ଗୁରୁତ୍ୱ ଦେଇ ନଥିଲେ। ମାତ୍ର କ୍ରମଶଃ ଏହି ପୋକଗୁଡ଼ିକ ବୃଦ୍ଧି ପାଇବା ସହିତ ଏମାନଙ୍କର ଦୌରାତ୍ମ୍ୟରେ ବସ୍ତିବାସନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି କୀଟରୁ ଦୁର୍ଗନ୍ଧ ବାହାରୁଥିବାରୁ ବସ୍ତିରେ ରହିବା କାଠିକର ପାଠ ହୋଇପଡ଼ିଛି। ପୋକଙ୍କ ପାଇଁ ପ୍ରାୟ ୧୫ ପରିବାର ଗାଁକୁ ଚାଲିଯାଇଛନ୍ତି। ଆଜି ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ବିଧାୟକ ପ୍ରିୟଦର୍ଶୀ ମିଶ୍ର ବସ୍ତି ପରିଦର୍ଶନ କରିଛନ୍ତି। ଏହାସହିତ ବିଏମ୍‌ସି ପକ୍ଷରୁ ମଧ୍ୟ ଉକ୍ତ ବସ୍ତିରେ କୀଟମରା ଔଷଧ ସିଞ୍ଚନ କରାଯାଉଛି। ମାତ୍ର କୀଟଙ୍କ ଦାଉ ବଢ଼ୁଛି ସିନା କମିବାର ନାଁ ନଉନି। ଅପରପକ୍ଷରେ ଏହି କୀଟ ରେଲ୍‌େଓ୍ଵ କଲୋନି, ଲୁମ୍ବିନୀବିହାର କଲୋନି ଭଳି ସ୍ଥାନୀୟ ଅଞ୍ଚଳକୁ ମଧ୍ୟ ବ୍ୟାପୁଥିବା ସୂଚନା ମିଳିଛି। ଚାରି ମହଲା ଘର ଉପରକୁ ମଧ୍ୟ ଏହି ପୋକ ଚଢ଼ିଯାଉଛନ୍ତି। ଅଜଣା ପୋକ ପାଞ୍ଚ ଦିନ ହେଲା ପୂରା ବସ୍ତିକୁ ଆତଙ୍କିତ କରି ରଖିଛନ୍ତି। ପୋକ ଗନ୍ଧ କାରଣରୁ ପ୍ରାୟ ୧୫ ପରିବାର ବସ୍ତି ଛାଡ଼ି ସାରିଲେଣି। ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଅନୁରୋଧ।

ପ୍ରଭାତ କୁମାର ସେଠୀ, ସ୍ଥାନୀୟ ଯୁବନେତା
ଏ ଅଜଣା ପୋକ ଆମକୁ ରଖେଇଦବନି। ଖାଇ ପାରୁନୁ କି ଶୋଇପାରୁନୁ। ପାଞ୍ଚଦିନ ହେଲାଣି ନାକେଦମ୍‌ ହୋଇସାରିଲୁଣି। କଣ କରିବୁ ବାଟ ଦେଖାଯାଉନି। ବସ୍ତି ଛାଡ଼ି ଚାଲିଯିବାକୁ ଭାବୁଛୁ।
ଆଶାମଣି ପଢ଼ିହାରୀ, ବସ୍ତିବାସିନ୍ଦା

ଆତଙ୍କିତ ନହେବାକୁ ପ୍ରଶାସନର ପରାମର୍ଶ
ଏହି କୀଟ ସମସ୍ୟାକୁ ଆମେ ବେଶ୍‌ ଗୁରୁତର ସହିତ ନେଉଛୁ। ଓୟୁଏଟିର ଏକ କୀଟ ବିଶେଷଜ୍ଞ ଦଳ ବସ୍ତି ପରିଦର୍ଶନ କରି କୀଟର ନମୁନା ସଂଗ୍ରହ କରିଛନ୍ତି। ଏମାନେ ଆଦୌ ହାନିକାରକ ନୁହନ୍ତି। ଗରମ ଅଧିକ ହେଉଥିବାରୁ ଏମାନେ ଚାଲିଆସିଥିବା ସନ୍ଦେହ କରାଯାଉଛି। ୪-୫ ଦିନ ମଧ୍ୟରେ ପୁନଶ୍ଚ ଏମାନେ ଚାଲିଯିବେ। ତେଣୁ ଏହି ଘଟଣାରେ ବସ୍ତିବାସିନ୍ଦା ଆତଙ୍କିତ ନହେବାକୁ ଅନୁରୋଧ। ଘର ସାମ୍ନାରେ କିରାସିନି ମିଶା ପାଣି ପାତ୍ର ରଖିବାକୁ ଅନୁରୋଧ କରାଯାଉଛି।
ଶୁଭ୍ରାଂଶୁ ମିଶ୍ର, ବିଏମ୍‌ସି ଉତ୍ତର ଜୋନ୍‌ ଡେପୁଟି କମିସନର

ଜଙ୍ଗଲରେ ନିଆଁ ଲଗାଇଲା ବନ ବିଭାଗ
ବାଉଁଶ ଧାନ ଫୁଲକୁ ଖାଇବାକୁ ଏହି କୀଟମାନେ ଆସିଥିବା ବନ ବିଭାଗ କହୁଛି। ବସ୍ତିକୁ ଚନ୍ଦକା ଜଙ୍ଗଲ ଲାଗିଥିବାରୁ ଏହି ପୋକମାନେ ଜଙ୍ଗଲରୁ ବସ୍ତି ଭିତରକୁ ପଶିଆସିଥିବା ସନ୍ଦେହ କରାଯାଉଛି। ତେଣୁ ଆଜି ବନବିଭାଗ ପକ୍ଷରୁ ବସ୍ତିକୁ ଲାଗିଥିବା ଜଙ୍ଗଲରେ ନିଆଁ ଲଗାଇଛି। ନିଆଁ ପ୍ରକୋପରେ ପୋକଗୁଡ଼ିକ ଚାଲିଯିବେ ବୋଲି ବନବିଭାଗ ଆଶ୍ୱାସନା ଦେଇଛି। ମାତ୍ର ନିଆଁ ଲାଗିବା ପରେ ମଧ୍ୟ ପୋକଙ୍କ ପ୍ରଭାବ କମି ନଥିବା ବସ୍ତିବାସିନ୍ଦା କହିଛନ୍ତି।

ସମ୍ବନ୍ଧିତ ଖବର