୭ରୁ ମଙ୍ଗଳାଯୋଡ଼ି ଫଟୋ ପ୍ରଦର୍ଶନୀ

ଭୁବନେଶ୍ୱର: ଚିଲିକାର ପ୍ରମୁଖ ଅଂଶ ମଙ୍ଗଳାଯୋଡ଼ିର କାହାଣୀକୁ ନେଇ ଅନୁଷ୍ଠିତ ହେବାକୁ ଯାଉଛି ଫଟୋ ପ୍ରଦର୍ଶନୀ। ୭ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଖାରବେଳନଗରସ୍ଥିତ ଲଳିତ କଳା ଏକା‌ଡେମି ପରିସରରେ ମଙ୍ଗଳାଯୋଡ଼ିକୁ ନେଇ ୮୭ଟି ଫଟୋ ପ୍ରଦର୍ଶିତ ହେବ। କେବଳ ପକ୍ଷୀ ନୁହନ୍ତି ବରଂ ପ୍ରାକୃତିକ ପରିବେଶ ସହ ସଂରକ୍ଷଣ ଓ ଜନବସତିକୁ ନେଇ ସମଗ୍ର ମଙ୍ଗଳାଯୋଡ଼ିର କାହାଣୀ ଏହି ଫଟୋରେ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ ବୋଲି କହିଛନ୍ତି ସଙ୍ଗ୍‌ ଅଫ୍ ଦି ୱାଇଲ୍ଡର ମୁଖ୍ୟ ତଥା ବିଶିଷ୍ଟ ବନ୍ୟପ୍ରାଣୀ ଫୋଟୋଗ୍ରାଫର୍‌ ଅବିନାଶ ଖେମକା। ଆଜି ପ୍ରେସ୍‌କ୍ଲବ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ଏହା ସହିତ ଭାରତବର୍ଷରେ ପ୍ରଥମ ଥର ପାଇଁ ଏହି ଫଟୋଗୁଡ଼ିକ ଧାତବ ପରଦା ଉପରେ ଉପଲବ୍ଧ ହେବ। ଆମେରିକାର ଏକ ସଂସ୍ଥା ଏହାକୁ ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି। ଚିଲିକାକୁ ୟୁନେସ୍କୋର ବିଶ୍ୱ ଐତିହ୍ୟର ମର୍ଯ୍ୟାଦା ଦେବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ମଙ୍ଗଳାଯୋଡ଼ିର ସଂରକ୍ଷଣର କାହାଣୀ ସମେତ ଏହାର ଜୈବ ବିବିଧତାକୁ ନେଇ ଏହି ପ୍ରଦର୍ଶନୀ ବିଶ୍ୱରେ ପ୍ରଚାର ପ୍ରସାର ହୋଇ ପକ୍ଷୀପ୍ରେମୀଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି। ଗତ ୨୦୧୧ ମସିହାରୁ ୭ ବର୍ଷ ଧରି ସେ ଏଠାରେ ଫଟୋ ଉଠାଉଥିଲେ। ପାଖାପାଖି ୧୦ ହଜାର ଫଟୋରୁ ଏହି ୮୭ ଫଟୋ ମନୋନୀତ କରାଯାଇଛି। ଏହି ପ୍ରଦର୍ଶନୀକୁ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରୁ ଅନ୍ତେବାସୀମାନଙ୍କୁ ଅଣାଯିବା ପାଇଁ ଯୋଜନା ରହିଛି। ସାମ୍ବାଦିକ ସମ୍ମିଳନୀରେ ପକ୍ଷୀ ସଂରକ୍ଷଣ କର୍ମୀ ପଞ୍ଚମୀ ମାନୁ ଉକିଲ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର