ରାଜନୀତିରେ ଆଦର୍ଶ ନାହିଁ, କେବଳ ପ୍ରବଞ୍ଚନା: ମାନିକ୍‌ ସରକାର୍‌

‘ପରିପୂର୍ଣ୍ଣତାର ପ୍ରତିଷ୍ଠା: ରାଜନୀତିରେ ମୂଲ୍ୟବୋଧ’ ଶୀର୍ଷକ ବକ୍ତତା

ଭୁବନେଶ୍ୱର: ରାଜନୀତିରେ ଆଦର୍ଶ ନାହିଁ କେବଳ ପ୍ରବଞ୍ଚନା। ଭୋଟ ନେବା ପାଇଁ ନେତା ଦେଉଥିବା ପ୍ରତିଶ୍ରୁତି ଜିତିବା ପରେ ଭୁଲି ଯାଉଛନ୍ତି। ବିରୋଧୀ ଦଳରେ ଥିଲା ବେଳେ ଯାହା କହୁଛନ୍ତି, ଶାସନକୁ ଆସିଲେ ତାହାର ବିପରୀତ କଥା କହୁଛନ୍ତି। ଏଭଳି ରାଜନୀତି ଗଣତନ୍ତ୍ର ପ୍ରତି ବିପଦ। ଏମିତି କହିଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧୀ ଦଳ ନେତା ମାନିକ୍‌ ସରକାର୍‌। ରାଜକିଶୋର ନାୟକ ଜାତୀୟ ଫାଉଣ୍ଡେସନ୍‌ ପକ୍ଷରୁ ପାଟକୁରା ଗାନ୍ଧୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ରାଜକିଶୋର ନାୟକଙ୍କ ଜୀବନୀ ପୁସ୍ତକ ‘ସାୟାହ୍ନର ସ୍ମୃତି’ ପୁସ୍ତକ ଆଜି ଜୟଦେବ ଭବନରେ ଉନ୍ମୋଚିତ ହୋଇଛି। ସ୍ୱର୍ଗତ ନାୟକଙ୍କ ପତ୍ନୀ ନିର୍ମଳପ୍ରଭା ନାୟକଙ୍କ ଦ୍ୱାରା ରଚିତ ଏହି ପୁସ୍ତକକୁ ଶ୍ରୀ ସରକାର ଉନ୍ମୋଚନ କରିଥିଲେ। ଏହି ଅବସରରେ ‘ପରିପୂର୍ଣତାର ପ୍ରତିଷ୍ଠା : ରାଜନୀତିରେ ମୂଲ୍ୟବୋଧ’ ଶୀର୍ଷକ ବକ୍ତତା ପ୍ରଦାନ କରି ଶ୍ରୀ ସରକାର ସିଧାସଳଖ ଟାର୍ଗେଟ କରିଥିଲେ କେନ୍ଦ୍ର ସରକାରଙ୍କୁ। କହିଥିଲେ, ଦୁର୍ବଳ ରାଜନେତାଙ୍କ ଅପାରଗତା ଯୋଗୁଁ ବ୍ରିଟିସ୍‌ ଭାରତରେ ପ୍ରବେଶ କରିଥିଲେ ଏବଂ ଦେଶ ଛାଡ଼ିବା ପର୍ଯ୍ୟନ୍ତ ଲୁଣ୍ଠନ କରିଥିଲେ। ଦେଶ ସ୍ୱାଧୀନ ହେବାର ୭୧ ବର୍ଷ ବିତିଛି। ହେଲେ ପରାଧୀନ ଭାରତର ସ୍ଥିତି ଜାରି ରହିଛି। ଦିନକୁ ୨୫ ଟଙ୍କା ଖର୍ଚ କରି ପାରୁ ନ ଥିବା ୭୦ ପ୍ରତିଶତ ଜନସାଧାରଣ ଭାରତବର୍ଷରେ ବାସ କରୁଥିବା ବେଳେ ୫୫ ପ୍ରତିଶତରୁ ଊର୍ଧ୍ୱ ଶିଶୁ ନିର୍ଧାରିତ ଓଜନଠାରୁ କମ୍‌ ଅଛନ୍ତି। ସମଗ୍ର ବିଶ୍ୱରେ ଭାରତବର୍ଷର ସ୍ଥିତି ଦୟନୀୟ ରହିଛି। ୪୫ କୋଟି ନିରକ୍ଷର ଥିବା ବେଳେ ୫୫ ପ୍ରତିଶତ ମହିଳା ଦୁଇବେଳା ଦୁଇମୁଠା ଖାଇବାକୁ ନ ପାଇ ରକ୍ତହୀନତାର ଶିକାର ହୋଇଛନ୍ତି। ବଡ଼ ସମସ୍ୟା ହୋଇଛି ଯୁବଶକ୍ତି କାମରେ ଲାଗୁନି। କେନ୍ଦ୍ର ସରକାର ୨ କୋଟି ଯୁବକଙ୍କୁ ଚାକିରି ଦେବେ ବୋଲି କହିଥିଲେ। ହେଲେ ଗୋଟିଏ ପ୍ରତିଶତ ଏଯାବତ୍‌ ଚାକିରି ପାଇ ନାହାନ୍ତିି। ୩ ମାସରେ ଥରେ ମାର୍କେଟ ସର୍ଭେ କରି ଚାକିରି ସୁଯୋଗ ସୃଷ୍ଟି କରିବା କଥା। କେନ୍ଦ୍ର ସରକାର ୪ ବର୍ଷ ହେଲା ଏହି ରିପୋର୍ଟ ଉପସ୍ଥାପନ କରିନାହାନ୍ତି। ଦରଦାମ ବୃଦ୍ଧି ଏବେ ଏକ ଜାତୀୟ ସମସ୍ୟା ହୋଇଛି।

ଶ୍ରୀ ସରକାର୍‌ କହିଥିଲେ, ଚାଷୀ ପାଇଁ ଚାଷ ଘୋଡ଼ା ଛ’ ଟଙ୍କାକୁ ଦାନା ନ’ ଟଙ୍କା ହୋଇଛି। ଫଳରେ ଚାଷୀ ଆତ୍ମହତ୍ୟା କରୁଛି। ମୁଦ୍ରାସ୍ଫୀତିରେ ନିୟନ୍ତ୍ରଣ ନାହିଁ। ପ୍ରତ୍ୟେକ ଦିନ ମୁଦ୍ରାର ମୂଲ୍ୟ କମି କମି ଯାଉଛି। ବଡ଼କଥା ହେଉଛି ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ ବ୍ୟବସ୍ଥାକୁ ସରକାର ଘରୋଇକରଣ କରି ଦେଉଛନ୍ତି। ଆଦର୍ଶ ରାଜନୀତି ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟର ଭୂମିକା ମୁଖ୍ୟ ହୋଇଥିବା ବେଳେ ଏହା ଗୁରୁତ୍ୱହୀନ ହୋଇଛି। ଭାରତବର୍ଷ ପ୍ରାକୃତିକ ଓ ମାନବ ସମ୍ବଳରେ ଭରପୂର ରହିଛି। ହେଲେ ଏହାର ଶତପ୍ରତିଶତ ବିନିଯୋଗ ହୋଇ ନାହିଁ। ଅର୍ଥନୈତିକ ଉନ୍ନତି ପାଇଁ ଯେଉଁ ତାଲିକା ପ୍ରସ୍ତୁତ କରାଯାଉଛି କେନ୍ଦ୍ରୀୟ, ରାଜ୍ୟ ଓ ଯୁଗ୍ମ ତାଲିକାରେ ଫାଙ୍କ ରହିଥିବାରୁ ଏହାର ସୁଫଳ ମିଳିପାରୁ ନାହିଁ ବା ଉଦ୍ଦେଶ୍ୟ ପୂରଣ ହେଉନାହିଁ। ଅନ୍ୟପଟେ ୭୦ରୁ ୭୨ ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରନ୍ତି। ହେଲେ ଗ୍ରାମାଞ୍ଚଳରେ ଗମନା ଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି ଅପହଞ୍ଚ ହୋଇଛି।

ବିମୁଦ୍ରାକରଣ, ଜିଏସ୍‌ଟି ଭଳି ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କର ଅଦୂରଦର୍ଶିତାର ପ୍ରମାଣ ଦେଇଛି, ଯାହା ଫଳରେ ସମଗ୍ର ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଳା ଟଙ୍କା ଫେରସ୍ତ କରି ଜନସାଧାରଣଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଘୋଷଣା ହୋଇଥିଲେ ମଧ୍ୟ ଜଣେ ହେଲେ ଏହାକୁ ପାଇ ନାହାନ୍ତି। ୩୦ ଜଣଙ୍କ ଭୋଟ୍‌ରେ ସରକାର ଶହେ ଜଣଙ୍କୁ ଶାସନ କରୁଛନ୍ତି। କେମିତି ଭୋଟ୍‌ ଆସିବ ସେ ନେଇ ନିର୍ବାଚନ ପୂର୍ବରୁ ଇସ୍ତାହାର ତିଆରି ହେଉଛି। ଇସ୍ତାହାରରେ ଯାହା ରହୁଛି ତାହାର ଗୋଟିଏ ପ୍ରତିଶତ ମଧ୍ୟ କାର୍ଯ୍ୟକ୍ଷମ ହେଉନି। ଯଦି ବାସ୍ତବରେ କାର୍ଯ୍ୟକାରୀ କରାଯାଇପାରିବ ନାହିଁ, ତେବେ ଏଭଳି ଇସ୍ତାହାର ପ୍ରକାଶନର କାରଣ କଣ ? ମିଛ ପ୍ରତିଶ୍ରୁତିରେ କେବଳ ଭୋଟରଙ୍କୁ ଭୂଆଁ ବୁଲାଯାଉଛି। ଧର୍ମ, ସମ୍ପ୍ରଦାୟ, ଗୋ ରକ୍ଷା ପ୍ରଭୃତି ପ୍ରସଙ୍ଗରେ ଜନସାଧାରଣଙ୍କୁ ଭାଗ ଭାଗ କରାଯାଉଛି। ସଂଖ୍ୟାଲଘୁଙ୍କ ଉପରେ ସ୍ୱତନ୍ତ୍ର ଢ଼ଙ୍ଗରେ ଚାପ ପ୍ରୟୋଗ କରାଯାଇ ଭୋଟ ପାଇଁ ସେମାନଙ୍କୁ ନିୟନ୍ତ୍ରଣ କରାଯାଉଛି। ଏଠାରେ ଆଦର୍ଶ ଆସିବ କୁଆଡୁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ତେବେ ଗଣତନ୍ତ୍ର ଶକ୍ତିଶାଳୀ କରିବାକୁ ହେଲେ ଆମ ସମ୍ପଦ ଓ ସମ୍ବଳର ସୁବିନିଯୋଗ, ଛୋଟ ଛୋଟ ବ୍ୟବସାୟୀଙ୍କ ସମେତ ଶ୍ରମିକ, ଚାଷୀ, ସଂଖ୍ୟାଲଘୁ, କର୍ମଚାରୀଙ୍କୁ ସଂଗଠିତ କରିବାକୁ ପଡ଼ିବ। ମା’ ଭଳି ମାତୃଭୂମିକୁ ଭଲ ପାଇବାର ବାର୍ତା ବାଣ୍ଟିବାକୁ ପଡ଼ିବ। ଏକତା ଓ ସଂହତି ପ୍ରତିଷ୍ଠା କରିବାକୁ ହେବ। ନୂଆ ଭାରତ ପାଇଁ ନୂଆ ଆଦର୍ଶବାନ୍‌ ମଣିଷ ତିଆରି କରିବାକୁ ପଡ଼ିବ ବୋଲି କହିଛନ୍ତି।

ଏହି ପୁସ୍ତକର ସମୀକ୍ଷା କରିବା ସହ ମୁଖବନ୍ଧ ଲେଖିଛନ୍ତି ‘କଥା’ର ସମ୍ପାଦକ ତଥା ବିଶିଷ୍ଟ ଲେଖକ ଡ. ଗୌରହରି ଦାସ। ସଭାର ପ୍ରାରମ୍ଭରେ ପୁସ୍ତକ ସମ୍ବନ୍ଧରେ ସମ୍ୟକ ସୂଚନା ଦେଇ ଡ. ଦାସ କହିଥିଲେ, ନିର୍ମଳପ୍ରଭାଙ୍କର ଏହା ବ୍ୟକ୍ତିଗତ ଅନୁଭୂତି ହେଲେ ମଧ୍ୟ ଏଥିରେ ଉତ୍କଣ୍ଠାପୂର୍ଣ ବିଶ୍ଳେଷଣ ରହିଛି। ସାର୍ଥକ ଦାମ୍ପତ୍ୟ ଜୀବନ ପାଇଁ ବାରମ୍ବାର ପ୍ରେମରେ ପଡ଼ିବାର ଯେଉଁ ଅନୁଭୂତି ଏଥିରେ ବର୍ଣନା କରାଯାଇଛି, ତାହା ପ୍ରତ୍ୟେକ ପାଠକକୁ ନିଶ୍ଚୟ ବହି ଭିତରେ ବାନ୍ଧି ରଖିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସ୍ୱର୍ଗତଃ ରାଜକିଶୋର ନାୟକଙ୍କ ପୁତ୍ର ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଜଣେ ରାଜନୈତିକ ନେତା ଭାବରେ ବାପାଙ୍କର ନିରାଡ଼ମ୍ବର ଜୀବନ ଶୈଳୀ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଯୋଗ ଦେଇଥିଲେ। ଲେଖିକା ନିର୍ମଳପ୍ରଭା ନାୟକଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର