ବିଳମ୍ବରେ ନିଲାମ ହେଲା ମରିଚୀ କୁଣ୍ଡ ପାଣି : ୧୧,୧୫୦ ଟଙ୍କାରେ ପ୍ରଥମ କଳସ ନେଲେ ଜଲି

ପୁରୁଣା ଭୁବନେଶ୍ୱର: ପରମ୍ପରା ଅନୁଯାୟୀ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଦିନକ ପୂର୍ବରୁ ଆଜି ମଧ୍ୟରାତି୍ରରେ ମରିଚୀ କୁଣ୍ଡ ପାଣି ନିଲାମ ସମ୍ପନ୍ନ ହୋଇଛି। ସନ୍ତାନ ସୁଖରୁ ବଞ୍ଚିତ ମହିଳାମାନେ ଏହି ପବିତ୍ର ପାଣିରେ ସ୍ନାନ କଲେ ସନ୍ତାନ ସମ୍ଭବା ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଚଳିତ ବର୍ଷ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ବେଶ୍‌ କିଛି ମହିଳା ଆସିଥିଲେ ମଧ୍ୟ ଉଚ୍ଚ ଦରରେ ନିଲାମ ଧରିବାକୁ ସେମାନଙ୍କ ମଧ୍ୟରେ ଏତେଟା ଆଗ୍ରହ ପ୍ରକାଶ ପାଇନାହିଁ। ଫଳରେ ଆଜି ନିଲାମ ପ୍ରକ୍ରିୟା ଘଣ୍ଟାଏରୁ ଅଧିକ ସମୟ ବିଳମ୍ବିତ ହୋଇଛି।

ବିଧି ଅନୁଯାୟୀ ଆଜି ରାତିରେ ପ୍ରଥମେ ମରିଚୀ କୁଣ୍ଡର ପାଣି ବାହାର କରାଯାଇ ରୁକୁଣା ରଥ ପ୍ରତିଷ୍ଠା ପାଇଁ ଯାଇଥିଲା। ଏହା ପରେ ରାତି ପ୍ରାୟ ସାଢ଼େ ୧୨ଟାରେ ବଡ଼ୁ ନିଯୋଗ ପକ୍ଷରୁ ନିଲାମ ଡକା ଯାଇଥିଲା। ପ୍ରଥମ କଳସ ପାଣି ପାଇଁ ପ୍ରଥମେ ସରକାରୀ ଡାକ ୧୫, ୫୦୦ ଟଙ୍କାରୁ ଆରମ୍ଭ ହୋଇଥିଲେ ମଧ୍ୟ ଉପସ୍ଥିତ କୌଣସି ମହିଳା ନିଲାମ ଧରିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ପ୍ରାୟ ଘଣ୍ଟାଏ ଅପେକ୍ଷା କରିବା ପରେ ସରକାରୀ ଭାବେ ନିଲାମ ରାଶିର ପରିମାଣ ୧୧, ୧୦୦ଟଙ୍କାକୁ କମାଇ ଦିଆଯାଇଥିଲା। ପରେ ରାତି ପ୍ରାୟ ୧ଟା ୪୦ରେ ନିଆଳି ଅଞ୍ଚଳର ତିହୁଡ଼ି ଗ୍ରାମର ଜିତୁ ଲେଙ୍କାଙ୍କ ପତ୍ନୀ ଜଲି ଲେଙ୍କା ୧୧,୧୫୦ଟଙ୍କାରେ ପ୍ରଥମ କଳସ ପାଣି ନିଲାମ ଧରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ପ୍ରଥମ କଳସ ପାଣି ୧ ଲକ୍ଷ ୫ ହଜାର ଟଙ୍କାରେ ନିଲାମ ହୋଇଥିଲା। ଅନ୍ୟପକ୍ଷରେ ଆଜି ଦ୍ୱିତୀୟ କଳସ ପାଇଁ ସରକାରୀ ଭାବେ ୭୫୦୦ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ପଟିଆ ଅଞ୍ଚଳର ମହେଶ୍ୱର ବେହେରାଙ୍କ ପତ୍ନୀ ସ୍ୱର୍ଣ୍ଣଲତା ବେହେରା ୭୬୦୦ଟଙ୍କାରେ ଏହାକୁ ନିଲାମ ଧରିଥିଲେ। ସେହିପରି ତୃତୀୟ କଳସ ପାଇଁ ସରକାରୀ ଭାବେ ୫୫୦୦ ଟଙ୍କା ନିଲାମ ଦର ଧାର୍ଯ୍ୟ ହୋଇଥିବାବେଳେ ପୁରୀ ଚାରିଶ୍ରୀ ଅଞ୍ଚଳର ସୁଶାନ୍ତ ଦାସଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଦାସ ୫୬୦୦ ଟଙ୍କାରେ ଏହାକୁ ନିଲାମ ଧରିଥିଲେ।

ସମ୍ବନ୍ଧିତ ଖବର