ମାର୍କେଟ୍ ବିଲ୍ଡିଂରେ ମୁଖାଧାରୀଙ୍କ ଆତଙ୍କ ଘଟଣା : ୩ ଅଭିଯୁକ୍ତଙ୍କ ନାଁରେ ଏନ୍ଏସ୍ଏ
ରେକର୍ଡ : ୫ ବର୍ଷରେ ୭ ଏନ୍ଏସ୍ଏ, ଅପେକ୍ଷାରେ ଆହୁରି ୭
ଭୁବନେଶ୍ବର : ମାର୍କେଟ ବିଲଡିଂ ଭିତରେ ମୁଖା ପିନ୍ଧି ଆତଙ୍କରାଜ ଘଟାଇବା ମହଙ୍ଗା ପଡ଼ିଛି। ୩ ମୁଖ୍ୟ ଅଭିଯୁ୍କ୍ତଙ୍କ ବିରୋଧରେ କମିସନରେଟ ପୁଲିସ ଜାତୀୟ ନିରାପତ୍ତା ଦଫା ( ଏନଏସଏ) ଲଗାଇଛି। ସେମାନେ ହେଲେ ବଡ଼ଗଡ଼ ଥାନା ଅଧୀନ ବିଜେବି ନଗରର ପ୍ରତ୍ୟୁଷ କହଁର ଓରଫ ଗୁଡୁ ଓରଫ ଅକାଳି, ବଡ଼ଗଡ଼ ଥାନା ଅଧୀନ ମଇଁଷଖାଲ ବସ୍ତିର ବିଶ୍ବନାଥ ପ୍ରଧାନ ଓ ଚନ୍ଦନ ଦାସ। ଏମାନଙ୍କ ମଧ୍ୟରୁ ଚନ୍ଦନ ଦାସ ବିରୋଧରେ ବଡ଼ଗଡ଼ ଥାନାରେ ଏକାଧିକ ମାମଲା ରହିଛି। ଘଟଣା ଦିନ ମାର୍କେଟ ବିଲଡିଂରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଏହି ୩ ଜଣ ଅଭିଯୁକ୍ତଙ୍କର ପ୍ରମୁଖ ଭୂମିକା ରହିଥିଲା। ଏଭଳି ଅଭିଯୁକ୍ତ ସମାଜ ପାଇଁ ବିପଦ। ଭବିଷ୍ୟତରେ ସେମାନେ ପୁଣି ଥରେ ଏଭଳି କାଣ୍ଡ ଘଟାଇଥାନ୍ତେ। ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ଏଭଳି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ପ୍ରକାଶଥାଉକି, ଚଳିତ ମାସ ୧୦ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାବେଳେ ମାର୍କେଟ୍ ବିଲଡିଂକୁ ପଶି ଆସିଥିଲେ କେତେକ ମୁଖା ପିନ୍ଧା ଦୁର୍ବୃତ୍ତ। କେହି କିଛି ବୁଝିବା ଆଗରୁ ଆରମ୍ଭ କରିଦେଇଥିଲେ ଆତଙ୍କରାଜ। ଆଖି ଆଗରେ ଯାହା ଦୋକାନ ପଡିଲା ମନଇଚ୍ଛା ଭାଙ୍ଗି ଚାଲିଥିଲେ। ଖାଲି ଦୋକାନ ଭାଙ୍ଗୁ ନ ଥିଲେ, ସାମ୍ନାରେ ଯିଏ ପଡିଲା ସିଏ ବି ପାଉ ନ ଥିଲା ନିସ୍ତାର। ଏପରିକି ପୁଲିସ ମଧ୍ୟ ଏମାନଙ୍କର ଆକ୍ରମଣରୁ ବର୍ତ୍ତି ପାରି ନ ଥିଲା। ଏଥିରେ ୨ ଜଣ ପୁଲିସ କର୍ମଚାରୀଙ୍କ ସହ ୧୦ରୁ ଅଧିକ ବ୍ୟବସାୟୀ ଓ ଗ୍ରାହକ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।ସେମାନଙ୍କ ମଧ୍ୟରୁ ୧୬ ଜଣ ନାବାଳକ ଥିଲେ। ତେବେ ଏ ସମ୍ପର୍କରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଦୁର୍ଦାନ୍ତ ଅପରାଧୀଙ୍କୁ ଆଉ ନିସ୍ତାର ମିଳବ ନାହିଁ। ବାରମ୍ବାର ଗଣ୍ଡଗୋଳ କରି ସହରରେ ଆତଙ୍କ ଖେଳାଉଥିବା ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଗତ ୫ ମାସ ମଧ୍ୟରେ ୭ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଏନଏସଏ ବଳରେ ଗିରଫ କରାଯାଇ ସାରିଲାଣି। ଆହୁରି ୭ ଜଣ ଅପରାଧୀଙ୍କୁ ଏନଏସଏ ବଳରେ ଗିରଫ କରାଯିବାକୁ ପ୍ରସ୍ତୁତି ଚାଲିଛି। ସେହିପରି ଏହି ୫ ମାସ ମଧ୍ୟରେ ୫ ଦୁର୍ଦାନ୍ତ ଅପରାଧୀଙ୍କୁ ବି ଏକ ବର୍ଷ ପାଇଁ ରାଜଧାନୀରୁ ତଡ଼ିପାର କରି ଦିଆଯାଇଛି। ସେମାନେ କମିସନରେଟ ପୁଲିସ ଅଞ୍ଚଳରେ ପାଦ ରଖିଲା ମାନେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାତ୍ର ୫ ମାସ ମଧ୍ୟରେ ଏତେ ସଂଖ୍ୟକ ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ପୂର୍ବ ରେକର୍ଡକୁ ଟପି ଯାଇଛି। ଯାହାକୁ ସହରବାସୀ ସମର୍ଥନ ଜଣାଇଛନ୍ତି। ଏହା ପୂର୍ବରୁ ଖଣ୍ଡଗିରି ଥାନା ପୁଲିସ ରାଜୁ ପଠାଣ, ଚନ୍ଦ୍ରଶେଖରପୁର ଥାନା ପୁଲିସ ସାଗର ପରିଡ଼ା , ଚନ୍ଦକା ଥାନା ପୁଲିସ ବାବୁ ଓରଫ ଦୀପକ ସ୍ବାଇଁ ବିରୋଧରେ ଏନଏସଏ ଲାଗୁ କରି ସାରିଛି। ପୂର୍ବରୁ ଜଟଣୀ ଥାନା ପୁଲିସ କାଳିଆ ସୁନ୍ଦରାୟ ଓ ଖଣ୍ଡିଗିରି ଥାନା ପୁଲିସ ନକୁଳ ମହାକୁଡ଼କୁ ଏନଏସଏ ବଳରେ ଗିରଫ କରିଥିଲା। ୨୦୧୫ ମସିହାରେ କଟକ ପୁଲିସ ରାଜେଶ ପାଲ ନାମକ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍ଏସ୍ଏ ବଳରେ ଗିରଫ କରିଥିଲା।