ମାର୍କେଟ ବିଲ୍‌ଡିଂ ଆତଙ୍କରାଜ ଘଟଣା : ଉଦିତ ନାଁରେ ଲାଗିଲା ଏନ୍‌ଏସ୍‌ଏ

ଭୁବନେଶ୍ୱର : ମାର୍କେଟ ବିଲଡିଂ ଭିତରେ ମୁଖା ପିନ୍ଧି ଆତଙ୍କରାଜ ଘଟାଇଥିବା ଅନ୍ୟତମ ଅଭିଯୁକ୍ତ ଉଦିତ ନାରାୟଣ ପ୍ରଧାନ ଓରଫ କାହ୍ନା ବିରୋଧରେ କମିସନରେଟ ପୁଲିସ ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ) ଲଗାଇଛି। ସେ ରସୁଲଗଡ଼ରେ ରୁହେ। ଏହି ଆତଙ୍କରାଜ ଘଟଣାରେ ସେ ମୁଖ୍ୟ ଅଭିଯୁକ୍ତ ସହ ରହିଥିଲା। ପୂର୍ବରୁ ଏହି ମାମଲାରେ ତିନିଜଣଙ୍କ ବିରୋଧରେ କମିସନରେଟ୍‌ ପୁଲିସ ଏନ୍‌ଏସ୍‌ଏ ଦଫା ଲଗାଇଥିଲା। ସେମାନେ ହେଉଛନ୍ତି ବଡ଼ଗଡ଼ ଥାନା ବିଜେବି ନଗରର ପ୍ରତ୍ୟୁଷ କହଁର ଓରଫ ଗୁଡୁ ଓରଫ ଅକାଳି, ମଇଁଷଖାଲ ବସ୍ତିର ବିଶ୍ବନାଥ ପ୍ରଧାନ ଓ ଚନ୍ଦନ ଦାସ। ଏବେ ଏହି ମାମଲାରେ ଏନ୍‌ଏସ୍‌ଏରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଚନ୍ଦନ ଦାସ ବିରୋଧରେ ବଡ଼ଗଡ଼ ଥାନାରେ ଏକାଧିକ ମାମଲା ରହିଥିବା ବେଳେ ଉଦିତ ବିରୋଧରେ ମଞ୍ଚେଶ୍ବର ଓ ଅନ୍ୟାନ୍ୟ ଥାନାରେ ମାମଲା ରହିଛି। ମାର୍କେଟ ବିଲଡିଂରେ ଘଟିଥିବା ଗଣ୍ଡଗୋଳରେ ଏହି ୪ ଜଣ ଅଭିଯୁକ୍ତଙ୍କର ପ୍ରମୁଖ ଭୂମିକା ରହିଥିଲା। ମାର୍କେଟ ବିଲ୍ଡିଂରେ ଆତଙ୍କ ଘଟାଇଥିବା ଅଭିଯୁକ୍ତ ସମାଜ ପାଇଁ ବିପଦ। ଭବିଷ୍ୟତରେ ସେମାନେ ପୁଣି ଥରେ ଏଭଳି କାଣ୍ଡ ଘଟାଇବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ଏଭଳି ଅଭ୍ୟାସଗତ ଅପରାଧୀଙ୍କୁ ଟାର୍ଗେଟ କରାଯାଇଛି। ଗତ ୫ ମାସ ମଧ୍ୟରେ ୭ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଏନ୍‌ଏସ୍‌ଏ ବଳରେ ଗିରଫ କରାଯାଇଥିବା ବେଳେ ଏହି ତାଲିକାରେ ଆହୁରି ୬ ଜଣ ଟାର୍ଗେଟ୍‌ରେ ଅଛନ୍ତି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର