ମାର୍କେଟ ବିଲ୍‌ଡିଂରେ ମୁଖାଧାରୀଙ୍କ ଆତଙ୍କ ଘଟଣାକୁ ସପ୍ତାହେ ପୂରିଲା : ମୁଖ୍ୟ ଅଭିଯୁକ୍ତଙ୍କ ଟେର୍ ପାଇଲାନି ପୁଲିସ

ଭୁବନେଶ୍ବର : କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌-୨ ମାର୍କେଟ ବିଲଡିଂ ନିକଟରେ ମୁଖାପିନ୍ଧା ଯୁବକମାନେ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ଘଟଣାକୁ ଏକ ସପ୍ତାହ ବିତିଗଲା। କିନ୍ତୁ ଏଯାଏ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରିଲା ନାହିଁ ପୁଲିସ। ଯାହାକୁ ନେଇ ଏବେ ବି ମାର୍କେଟ ବିଲଡିଂ ଉଠା ଦୋକାନୀଙ୍କ ମନରେ ଭୟ ଲାଗି ରହିଛି। ପୁଣିଥରେ ସେମାନଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି। ଚଳିତ ମାସ ୧୦ ତାରିଖ ସଂଧ୍ୟାରେ କେତେକ ମୁଖାପିନ୍ଧା ଯୁବକ ମାର୍କେଟ୍‌ ବିଲଡିଂରେ ଆତଙ୍କ ଖେଳାଇଥିଲେ। ଘଣ୍ଟା ଦୋକାନୀ ଅମୋଦ ଶାହାଙ୍କୁ ମାଡ଼ ମାରିବା ସହ ତାଙ୍କ ଦୋକାନ ଭଙ୍ଗାରୁଜା କରିଥିଲେ। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨୧ ଜଣଙ୍କୁ ଗିରଫ କରିବା ସହ ୫ଟି ବାଇକ୍‌ ଜବତ କରିଥିଲା। କିନ୍ତୁ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଚିଣ୍ଟୁ, ଗୋପୀ ଓ ପ୍ରୀତମ ଏଯାଏ ପୁଲିସ ହାତରେ ଧରା ପଡ଼ିନାହାନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବାକୁ କୋଲକାତା, ବିଶାଖାପାଟଣା, ହାଇଦ୍ରାବାଦ, ଛତିଶଗଡ଼ ଯାଇଥିଲେ ମଧ୍ୟ ଖାଲି ହାତରେ ଫେରି ଆସିଛି। ଚିଣ୍ଟୁ ଓ ପ୍ରୀତମ ସ୍ଥାନୀୟ ଅଞ୍ଚଳର ନାବାଳକମାନଙ୍କୁ ନିଶା ଖୁଆଇ ବିଭିନ୍ନ ଅପରାଧରେ ସଂପୃକ୍ତ କରାଉଥିବା ମଧ୍ୟ ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ତେଣୁ ପୁଲିସ ସେମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

ପ୍ରକାଶ ଥାଉ କି ଜଣେ ଯୁବତୀ ଓ ତାଙ୍କ ସାଙ୍ଗ ୟୁନିଟ-୨ ମାର୍କେଟ୍‌ ବିଲଡିଂକୁ କିଣାକିଣି କରିବାକୁ ଆସିଥ‌ିଲେ। ସେଠାରେ ଏକ ଘଣ୍ଟା କିଣାକୁ ନେଇ ଜଣେ ଉଠାଦୋକାନୀଙ୍କ ସହ ମୂଲଚାଲରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏ ନେଇ ଯୁବତୀ ଜଣକ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଉଠା ଦୋକାନୀମାନଙ୍କୁ ଛାଡ଼ି ଦେଇଥିଲା। ପରଦିନ କେତେକ ଯୁବକ ମୁହଁରେ ମୁଖା ପିନ୍ଧି ମାର୍କେଟ ବିଲ୍‌ଡିଂରେ ଉଠାଦୋକାନ ସବୁ ଭଙ୍ଗାରୁଜା କରିଥିଲେ। ଏପରିକି କେତେକ ଦୋକାନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର