ସଜାଡ଼ି ହେଉଛି ମାର୍କେଟ ବିଲ୍ଡିଂ, ଆସୁଛି ସାବିତ୍ରୀ, ରଜ

ଭୁବନେଶ୍ବର: ଆସୁଛି ସାବିତ୍ରୀ ଓ ରଜ। କିନ୍ତୁ ପ୍ରତିବର୍ଷ ଭଳି ଏଥର ଚଳଚଞ୍ଚଳ ହୋଇପାରିନି ମାର୍କେଟ ବିଲ୍ଡିଂ। କିଛି ‌କିଛି ଲୋକ ଆସୁଛନ୍ତି, କିଣାକିଣି କରୁଛନ୍ତି। କିନ୍ତୁ ବଜାରରେ ଗହଳି ନାହିଁ। ସବୁ ଦୋକାନ ଭଲ ଭାବେ ଖୋଲିପାରିନି। ଫନି ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା ରାଜଧାନୀର ଏହି ପ୍ରମୁଖ ବଜାର। ଏଠାରେ ଅନେକ ଦୋ‌କାନ ଭାଙ୍ଗି ପଡ଼ିଥିବା ବେଳେ ମହଜୁଦ ଥିବା ସାମଗ୍ରୀ ବର୍ଷାରେ ନଷ୍ଟ ହୋଇଯାଇଛି। ଫଳରେ ୧୭ ଦିନ ବିତି ଯାଇଥିଲେ ବି ସ୍ବାଭାବିକ ହୋଇପାରିନାହିଁ ଏହି ବଜାର। ଆଗକୁ ବଡ଼ ବଡ଼ ଦୁଇଟି ପର୍ବ ଆସୁଥିବାରୁ ଭଲ ବ୍ୟବସାୟ ଆଶାରେ ବ୍ୟବସାୟୀ ଅଣ୍ଟା ଭିଡ଼ିଲେଣି। କେହି ‌ଦୋକାନ ମରାମତିରେ ଲାଗିଛନ୍ତି ତ’ ଆଉ କେହି କାମଚଳା ଢଙ୍ଗରେ ‌ଦୋକାନ ସଜାଡ଼ି ବ୍ୟବସାୟରେ ମନ ଦେଲେଣି। ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍‌ର ସମ୍ପାଦକ ଦୁର୍ଗାପ୍ରସନ୍ନ ପରିଜା କହିଛନ୍ତି, ଫନି ଯୋଗୁଁ ବଜାରର ବ୍ୟାପକ କ୍ଷୟକ୍ଷତି ହୋଇଛି। ମାର୍କେଟ ବିଲ୍ଡିଂ ପରିସରର ସୌନ୍ଦର୍ଯ୍ୟକରଣ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଏହାମଧ୍ୟରେ ଲାଗିଥିବା ୭/୮ଟି ଲାଇଟ୍‌ ଭାଙ୍ଗିଯାଇଛି। ସମସ୍ତ ସାଇନ୍‌ ବୋର୍ଡ ଓ ନାମ ଫଳକ ଭାଙ୍ଗିଯାଇଥିବା ବେଳେ ଅନେକ ଦୋକାନର ଆଜ୍‌ବେଷ୍ଟସ୍‌ ଉଡ଼ିଯାଇଛି। ଫଳରେ ଦୋକାନ ଭିତରେ ପାଣି ପଶି ବହୁ ମାଲ୍‌ ନଷ୍ଟ ହୋଇଯାଇଛି। ଦୋକାନ ସଜାଡ଼ିବାରେ ବ୍ୟସ୍ତଥିବାରୁ ଏଯାଏଁ କ୍ଷୟକ୍ଷତିର ଆକଳନ କରିନାହୁଁ। ପୁଣି ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ଯୋଗୁଁ ୭ ଦିନ ମାର୍କେଟ ବନ୍ଦ ରହିଲା। ଫଳରେ ବ୍ୟବସାୟୀମାନେ ଏବେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏବେ ସୁଦ୍ଧା ମାର୍କେଟରେ ଯେତେ ବ୍ୟବସାୟ ହେବା କଥା ହୋଇନାହିଁ। ଗ୍ରାହକ ପ୍ରାୟ ଆସୁନାହାନ୍ତି। ଆଉ ୪/୫ ଦିନ ଭିତରେ ସବୁ ସ୍ବାଭାବିକ ହେବ ଓ ବ୍ୟବସାୟୀମାନେ ସବୁ କ୍ଷତି ଭୁଲି ପୁଣି ବ୍ୟବସାୟ ଆରମ୍ଭ କରିବେ ବୋଲି ଆମେ ଆଶା ରଖିଛୁ ବୋଲି ଶ୍ରୀ ପରିଜା କହିଛନ୍ତି।

ସମ୍ବନ୍ଧିତ ଖବର