ଉଦୟଗିରି ଜୈନ କୀର୍ତ୍ତିସ୍ଥଳୀରେ ଟିକେଟ୍‌ କଳାବଜାର ଅଭିଯୋଗ

ପୁରୁଣା ଭୁବନେଶ୍ବର: ଉଦୟଗିରିସ୍ଥିତ ଜୈନ କୀର୍ତ୍ତିସ୍ଥଳୀରେ ଚାଲିଛି ଟିକେଟ୍‌ କଳାବଜାର। ଟିକେଟ୍‌ ବାବଦକୁ ଯେଉଁ ଟଙ୍କା ନିଆଯାଉଛି, ତାହା ମିଳିମିଶି ଲୁଟ୍‌ କରୁଛନ୍ତି ଟୁରିଷ୍ଟ୍‌ ଗାଇଡ୍‌, ସିକ୍ୟୁରିଟି କର୍ମଚାରୀ ଓ ପ୍ରତ୍ନତତ୍ତ୍ବ ବିଭାଗ କର୍ମଚାରୀ। ପର୍ଯ୍ୟଟକମାନେ କିଣୁଥିବା ଟିକେଟ୍‌କୁ ନ ଚିରି ପୁଣି ବିକ୍ରି କରାଯାଉଥିବା ଓ ସେହି ଟଙ୍କା ସିଧାସଳଖ ତାଙ୍କ ପକେଟ୍‌କୁ ଯାଉଥିବାରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବହାନି ହେଉଛି। ଏଭଳି ଅଭିଯୋଗ କରି ଆଜି ଏକାମ୍ର ଜନଜାଗରଣ ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକଙ୍କ ନେତୃତ୍ବରେ ସାମନ୍ତରାପୁରସ୍ଥିତ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ସଂପର୍କରେ ଜଣେ ଏଏସ୍ଆଇ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ପୂର୍ବରୁ ପ୍ରତିଦିନ ୪୦ ହଜାରରୁ ଊର୍ଧ୍ବ ଟଙ୍କା ଆଦାୟ ହେଉଥିବା ବେଳେ ଏବେ ଦିନକୁ ମାତ୍ର ୨୦ହଜାର ଟଙ୍କା ଆଦାୟ ହେଉଛି। ଏଏସ୍ଆଇ ଭୁବନେଶ୍ବର ସଂଗ୍ରାଧିକ୍ଷକ ନିର୍ମଳ ମହାପାତ୍ର କହିଛନ୍ତି, ଏନେଇ ପଦକ୍ଷେପ ଆରମ୍ଭ କରିଛୁ। ସେଠାରେ ଥିବା ସବୁ କର୍ମଚାରୀଙ୍କୁ ବଦଳି କରିବା ପାଇଁ ନିର୍ଦେଶ ଦିଆଯାଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, ଏଥିରେ ସତ୍ୟତା ଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର