ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ପ୍ରତାରଣା, ନ୍ୟାୟ ଦାବିରେ ପରିବାରଲୋଙ୍କ ଫାଣ୍ଡି ଆଗରେ ଧାରଣା

ବାଲିଅନ୍ତା: ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଗର୍ଭବତୀ କରାଇ ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତକୁ ଗିରଫ ଦାବିରେ ପୀଡ଼ିତାର ପରିବାର ଆଜି ବାଳକାଟି ଫାଣ୍ଡିରେ ଧାରଣା ଦେଇଛନ୍ତି। ପୂର୍ବାହ୍ନରୁ ସଂଧ୍ୟା‌ ପର୍ଯ୍ୟନ୍ତ ପୀଡ଼ିତା ନାବାଳିକା ସମେତ ତା’ର ବାପା, ମା’ ଫାଣ୍ଡି ଆଗରେ ବସି ରହିଛନ୍ତି। ସେମାନଙ୍କ କହିବା କଥା ହେଲା, ଦୁଇ ଦିନ ତଳେ ସେମାନେ ଏତଲା ଦେଇଥିଲେ ହେଁ ଏ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ। ତେଣୁ ନ୍ୟାୟ ନ ମିଳିଲେ ସେମାନେ ସେହିଠାରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ମାମୁଘରେ ରହି ପାଠ ପଢ଼ୁଥିବା ଅଭିଯୁକ୍ତ ଯୁବକଜଣଙ୍କ ସେଠାରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ବିବାହ କରିବାର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲା। ନାବାଳିକାଜଣକ ଗର୍ଭବତୀ ହୋଇଯିବାରୁ ଘଟଣା ପ୍ରଘଟ ହୋଇଥିଲା। ଏ ସଂପର୍କରେ ନାବାଳିକା ପରିବାର ପକ୍ଷରୁ ବାଳକାଟି ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଅପରପକ୍ଷେ ଆଜି ପୂର୍ବାହ୍ନରେ ବାଳକାଟି ଫାଣ୍ଡିର ଏକ ଟିମ୍‌ ଯୁବକଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରେ ଚଢ଼ଉ କରିଥିଲା। କିନ୍ତୁ ସେଠାରୁ ଖାଲି ହାତରେ ଫେରିଥିବା ସୂଚନା ମିଳିଛି। ସେହିପରି ଏ ଦିଗରେ ବାଲିଅନ୍ତା ଥାନା ଅଧିକାରୀଙ୍କ ସମେତ ମହିଳା ଥାନା ଓ ମହିଳା କମିସନ ଅଧ୍ୟକ୍ଷା ଓ ଚାଇଲଡ ଲାଇନ୍‌ କର୍ମକର୍ତ୍ତା ତୁରନ୍ତ ଦୃଷ୍ଟି ଦେବାକୁ ପୀଡ଼ିତାର ପରିବାର ଲୋକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର