ଆଜି ଶୀତଳ ଷଷ୍ଠୀ: ମଙ୍ଗନ କାର୍ଯ୍ୟ ଆରମ୍ଭ, ରାତିରେ ହର-ପାର୍ବତୀଙ୍କର ବିବାହ

ଭୁବନେଶ୍ୱର: ବହୁ ବାଦ ବିବାଦ ପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମଙ୍ଗନ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ମନ୍ଦିର କମିଟି ଓ ସେବାୟତମାନଙ୍କ ବୈଠକ ସଫଳ ହେବା ପରେ ଭଗବାନ ଶିବ ଓ ମା’ ପାର୍ବତୀଙ୍କର ବିବାହ କାର୍ଯ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି।

ସୂଚନାଯୋଗ୍ୟ, ଶନିବାର ମହାପ୍ରଭୁଙ୍କ ଶ୍ରୀଲିଙ୍ଗରାଜଙ୍କ ଗୁରୁତ୍ୱପୂର୍ଣ୍ଣ ‘ମଙ୍ଗନ’ ନୀତି ସଂପନ୍ନ ହୋଇ ପାରିନଥିଲା। ଫଳରେ ବିବାହ କାର୍ଯ୍ୟ ସଂପନ୍ନ ନେଇ ସାଧାରଣରେ ପ୍ରଶ୍ନବାଚୀ ଉଠିଥିଲା।  ଶନିବାର ସକାଳୁ ଠାକୁରଙ୍କ ପରମ୍ପରା ବଜାୟ ରଖିବା ଓ ବିବାହ ନୀତି ସଂପନ୍ନ କରିବାକୁ କସରତ ଆରମ୍ଭ ହୋଇଥିଲା। ପୂର୍ବାହ୍ନରେ ଶୀତଳ ଷଷ୍ଠୀ କମିଟି ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲା। ମାତ୍ର ମନ୍ତ୍ରୀଙ୍କ ମା’ଙ୍କ ପରଲୋକ ହୋଇଯାଇଥିବାରୁ ଏ ସଂପର୍କରେ ବିଶେଷ ଆଲୋଚନା ହୋଇ ପାରି ନଥିଲା। କେବଳ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅପରାହ୍ଣ ୫ଟାରେ ସେବାୟତଙ୍କ ଦ୍ଵାରା ମନ୍ଦିରରେ ନୀତି ବନ୍ଦ କରାଯାଇଥିଲା। ଫଳରେ ଶନିବାର ମଙ୍ଗନ କାର୍ଯ୍ୟ ହୋଇ ପାରି ନଥିଲା।

ସାହାଣମେଲା ଦର୍ଶନ ପରେ ମହାପ୍ରଭୁଙ୍କୁ ବେଶ କରାଯାଇଥିଲା। ଆଡ଼କାଠ ଦର୍ଶନ ଚାଲୁ ରହିଥିବା ବେଳେ ବଲ୍ଲଭ, ଦ୍ଵିପ୍ରହର ଧୂପ ହେବାର ଥିଲା। ହେଲେ ସେବାୟତମାନେ ପୂର୍ବ ଘୋଷଣା ଅନୁଯାୟୀ ନୀତି କରି ନଥିଲେ। ହାଇକୋର୍ଟଙ୍କ ନିର୍ଦେଶ ପାଳନ ହେଉ ନଥିବାରୁ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସେବାୟତ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ଏଥି ପାଇଁ ଆଇନମନ୍ତ୍ରୀ ଓ ଦେବୋତ୍ତର ବିଭାଗ ଦାୟୀ ବୋଲି ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଥିଲେ। ହାଇକୋର୍ଟଙ୍କ ନିର୍ଦେଶ ପାଳନ ହୋଇ ନଥିବାରୁ ସେବାରେ ଯୋଗ ଦେଲୁ ନାହିଁ ବୋଲି ସେମାନେ କହିଥିଲେ।

ଏପଟେ ସନ୍ଧ୍ୟାରେ ଏକ ଜରୁରୀ ବୈଠକ ଡକାଯାଇଥିଲା। ଏଥିରେ ଟ୍ରଷ୍ଟ ବୋର୍ଡର ସଭ୍ୟ ଓ ଶୀତଳ ଷଷ୍ଠୀ କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ। ୩୦ ତାରିଖ ମଧ୍ୟରେ ହାଇକୋର୍ଟଙ୍କ ନିର୍ଦେଶ ପାଳନ ପାଇଁ ଉଦ୍ୟମ କରାଯିବା ସହିତ ଶିବ ବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା ହେବ ବୋଲି ଏଥିରେ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ପ୍ରଶାସନକୁ ଦାୟୀ କରି ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଧାରଣା ଜାରି ରହିଛି। ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅପାରଗତା ଯୋଗୁଁ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ବନ୍ଦ ହେବା ଆଶଙ୍କା ଦେଖା ଦେଇଛି ବୋଲି ବହୁ ସେବାୟତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକ ପ୍ରତିନିଧି କାହିଁକି ଚପ୍‌ ବସିଛନ୍ତି ବୋଲି ବରିଷ୍ଠ ସେବାୟତ ଶରତ ପଣ୍ଡା ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର