୧୨ଟାରୁ ବରାନୁଗମନ, ୪ଟା ମଧ୍ୟରେ ବିବାହ

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ପ୍ରସ୍ତୁତି

ପୁରୁଣା ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଓ ୧୮ ତାରିଖରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ମନୋଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାତ୍ରାର ନୀତି ନିର୍ଘଣ୍ଟ, ରାସ୍ତା, ଡ୍ରେନ୍‌, ପିଇବା ପାଣି, ବିଦ୍ୟୁତ୍‌ ଯୋଗାଣ ଓ ସେବାୟତଙ୍କ ନୀତି ସମ୍ପର୍କରେ ବିସ୍ତତ ଆଲୋଚନା ହୋଇଥିଲା। ରାତି ୧୨ଟା ସୁଦ୍ଧା ବରାନୁଗମନ ଓ ରାତି ୧୨ଟାରୁ ୪ଟା ମଧ୍ୟରେ ବିବାହ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ସେହିପରି ୧୮ ତାରିଖ ରାତି ସାଢ଼େ ୯ରୁ ଶୀତଳଷଷ୍ଠୀ ଯାତ୍ରା ପାଇଁ କେଦାରଗୌରୀ ମନ୍ଦିରରୁ ନବଦମ୍ପତି ବାହାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଯାତ୍ରା ପାଇଁ କେଦାରଗୌରୀ ମନ୍ଦିରକୁ ସଫା କରିବା ଓ ବଡ଼ଦାଣ୍ଡ ଶୀତଳଷଷ୍ଠୀ ରାସ୍ତାରେ ଡ୍ରେନ୍‌ରେ ସ୍ଲାବ୍‌ ପକାଇବା, ଠାକୁରଙ୍କ ଯିବା ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ମରାମତି କରିବାକୁ ବିଏମ୍‌ସିକୁ ଚିଠି ଲେଖାଯିବ। ସେହିପରି ରାସ୍ତାରେ ଆର୍‌ଏଣ୍ଡ୍‌ବି ବିଭାଗ ପକ୍ଷରୁ ଲଗାଯାଇଥିବା ଲୁହା ବ୍ୟାରିୟରକୁ କଢ଼ାଯିବା ପାଇଁ ନିଷ୍ପତ୍ତି ହୋଇଛି। ପିଏଚ୍‌ଡି ପକ୍ଷରୁ ୪ଟି ଛକରେ ପାଣି ଟାଙ୍କି ରଖିବା, ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସେହି ଦୁଇ ଦିନ ବିଦ୍ୟୁତ୍‌ ନ କାଟିବାକୁ ସେସୁକୁ ଚିଠି ଲେଖା ଯିବ ବୋଲି ଆଲୋଚନା ହୋଇଛି। ଯାତ୍ରାରେ ଯେଉଁ ସେବାୟତମାନଙ୍କ ପାଳି ଅଛି, ତାକୁ ସୂଚାରୁରୂପେ ସଂପାଦନ କରିବାକୁ ସେବାୟତଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା। ଯାତ୍ରାର ଦୁଇ ଦିନ ଆଇନଶୃଙ୍ଖଳା ବ୍ୟବସ୍ଥା ପାଇଁ ପୁଲିସ ବିଭାଗକୁ ଚିଠି ଲେଖାଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

କପିଳନାଥଙ୍କ ଯୋଗଦେବା ନେଇ ପ୍ରୟାସ
ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ ଓ ଶୀତଳଷଷ୍ଠୀରେ କପିଳନାଥ ଯୋଗ ଦେବା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ଏନେଇ ମନ୍ଦିର ପ୍ରଶାସନ ସହ ଆଜି ଆଲୋଚନା କରାଯାଇଛି। ପୂର୍ବରୁ ପରମ୍ପରା ବଜାୟ ରଖିବାକୁ ଭୁବନେଶ୍ୱର ଶୀତଳଷଷ୍ଠୀ କମିଟି ପକ୍ଷରୁ ଦେବୋତ୍ତର ବିଭାଗକୁ ନିବେଦନ କରାଯାଇଥିଲା। ଆଜି ଦେବୋତ୍ତର ବିଭାଗ ଅତିରିକ୍ତ ଦେବୋତ୍ତର କମିସନର ଓ ସହାୟକ ଦେବୋତ୍ତର କିମସନର ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଡକାଇ ଆଲୋଚନା କରିଛନ୍ତି। ସୂଚନା ଥାଉକି କପିଳେଶ୍ୱର ମନ୍ଦିରରେ ଦୁଇ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏନେଇ ଉଭୟପକ୍ଷରୁ ହାଇକୋର୍ଟରେ ପିଟିସନ୍‌ ଦାଖଲ କରାଯାଇଛି। ହାଇକୋର୍ଟ ଏହାର ବିଚାର ପାଇଁ ଦେବୋତ୍ତର କମିସନରଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର