ମାତା ଅମୃତାନନ୍ଦମୟୀଙ୍କ ଜୟନ୍ତୀ ସମାରୋହ

ଭୁବନେଶ୍ବର: ସଦ୍‌ଗୁରୁ ମାତା ଶ୍ରୀ ଅମୃତାନନ୍ଦମୟୀ ଦେବୀଙ୍କ ୬୫ତମ ଜନ୍ମବାର୍ଷିକୀ ଆଜି ଇଡକଲ୍‌ ଅଡିଟୋରିୟମଠାରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର୍‌ ଗୋକୁଳାନନ୍ଦ ଦାସ ଯୋଗ ଦେଇ ପାରମ୍ପରିକ ଜ୍ଞାନ, ପୁରାଣ ଓ ବିଜ୍ଞାନ ସମ୍ମତ ଜ୍ଞାନ ସମ୍ପର୍କରେ ଆଲୋଚନା କରିଥିଲେ। ଜ୍ଞାନ ଦୁଇ ପ୍ରକାରର; ଗୋଟିଏ ରହସ୍ୟ ଭିତ୍ତିକ ଓ ଅନ୍ୟଟି ବିଜ୍ଞାନ ସମ୍ମତ। ଏହି ଦୁଇ ଜ୍ଞାନକୁ ମିଶାଇ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ସଭାରେ ସମ୍ମାନିତ ଅତଥି ଭାବେ ସାହିତ୍ୟିକ ଅସିତ ମହାନ୍ତି ଯୋଗଦେଇ ଅମୃତାନନ୍ଦମୟୀଙ୍କ ଜୀବନ ବିଷୟରେ ଆଲୋଚନା କରି କହିଥିଲେ, ବହୁ ସାଧୁସନ୍ଥ ଅନେକ ପ୍ରକାରର ପ୍ରବଚନ ଦେଇ ଲୋକଙ୍କୁ ମୁଗ୍ଧ କରନ୍ତି, କିନ୍ତୁ ମାତା ଅମୃତାନନ୍ଦମୟୀ ଲୋକଙ୍କ ସେବା କରିଥାଆନ୍ତି। ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଥିଲେ, ଅମୃତର କଳ୍ପନା ପୃଥିବୀର ପ୍ରଥମ ସାହିତ୍ୟରୁ। ଏହା ହେଉଛି ମୃତ୍ୟୁର ନିବାରକ। ପ୍ରାଣୀର ଶରୀରରେ ପ୍ରାଣସତ୍ତା ହେଉଛି ଅମୃତରୂପ। ମଣିଷକୁ ଯେତିକି ଆୟୁଷ ମିଳିଛି, ତା’ ମଧ୍ୟରେ ପ୍ରାଣସତ୍ତାର ଉପଯୋଗ କରିବା ‌ହେଉଛି ଅମୃତରୂପର ଲକ୍ଷଣ ବୋଲି ସେ କହିଥିଲେ। ଅମୃତା ମଠ ତରଫରୁ ସ୍ବାମୀ ବିଜୟାମୃତାନନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର