ରାତି ପାହିଲେ ମାଟ୍ରିକ୍‌ ପରୀକ୍ଷା : ରାଜଧାନୀରେ ୩ଟି ନୋଡାଲ ସେଣ୍ଟର

୩୮ ପରୀକ୍ଷା କେନ୍ଦ୍ରରେ ୧୨,୨୮୧ ପରୀକ୍ଷାର୍ଥୀ
ପରୀକ୍ଷା କେନ୍ଦ୍ରକୁ ଆଜି ପଠାଯିବ ପ୍ରଶ୍ନପତ୍ର

ଭୁବନେଶ୍ୱର : ଆଉ ମାତ୍ର ଗୋଟିଏ ଦିନ। ମାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଗଲେଣି ରାଜଧାନୀର ପରୀକ୍ଷାର୍ଥୀ। ସେମାନଙ୍କ ଅଭ୍ୟାସ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି। ନୋଡାଲ ସେଣ୍ଟରଗୁଡ଼ିକରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସିସିଟିଭି ନଜରରେ ରହିଛି ସେଣ୍ଟର। ଗୁରୁବାରଠାରୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବାକୁ ସ୍ଥିର ହୋଇଛି।

ଏଥର ଖୋର୍ଧା ଜିଲ୍ଲାର ଏଥର ୩୪୦ଟି ହାଇସ୍କୁଲରେ ୩୦ ହଜାର ୨୧୩ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରେ ୨୮,୬୦୫ ଜଣ ରେଗୁଲାର ଓ ୧,୩୩୯ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି। ଏହାବ୍ୟତୀତ ସିସି ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୫୩ ଥିବା ବେଳେ ସିସି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୫୬ ବୋଲି ଜଣାପଡ଼ିଛି। ଜିଲ୍ଲାରେ ୧୨୪ଟି ପରୀକ୍ଷା କେନ୍ଦ୍ର ହୋଇଛି। ପ୍ରଶ୍ନପତ୍ର ସୁରକ୍ଷା ଲାଗି ଏଥର ରାଜଧାନୀରେ ୩ଟି ନୋଡାଲ ସେଣ୍ଟର କରାଯାଇଛି। ୟୁନିଟ୍‌-୧ ବାଳକ ଉଚ୍ଚ ବିଦ୍ୟାଳୟ ସମେତ ୟୁନିଟ୍‌-୮ ବାଳକ ଉଚ୍ଚବିଦ୍ୟାଳୟ, କ୍ୟାପିଟାଲ ହାଇସ୍କୁଲରେ ନୋଡାଲ ସେଣ୍ଟର ହୋଇଛି। ସେଣ୍ଟରଗୁଡ଼ିକରେ କମିସନରେଟ୍‌ ପୁଲିସ ପକ୍ଷରୁ ୨୪ ଘଣ୍ଟିଆ ପୁଲିସ ପ୍ରହରା ଜାରି ରହିଛି। ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ବ୍ଲକ ଅଞ୍ଚଳରେ ରେଗୁଲାର ପରୀକ୍ଷାର୍ଥୀଙ୍କ ଲାଗି ଏଥର ୩୮ଟି ପରୀକ୍ଷା କେନ୍ଦ୍ର ହୋଇଛି। ସେଠାରେ ୧୨,୨୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବିଏମ୍‌ସିର ୨୯ଟି ପରୀକ୍ଷା କେନ୍ଦ୍ରରେ ୧୦,୫୨୪ ରେଗୁଲାର ପରୀକ୍ଷାର୍ଥୀ ରହିଥିବା ବେଳେ ଭୁବନେଶ୍ୱର ବ୍ଲକର ୯ଟି କେନ୍ଦ୍ରରେ ୧୭୫୭ ପରୀକ୍ଷାର୍ଥୀ ରହିଛନ୍ତି। ଏହାବ୍ୟତୀତ ଏକ୍ସ-ରେଗୁଲାର ଏବଂ ମଦ୍ରାସା ପରୀକ୍ଷାର୍ଥୀଙ୍କ ଲାଗି ମଧ୍ୟ ପରୀକ୍ଷା କେନ୍ଦ୍ର ହୋଇଥିବା ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଭୁବନେଶ୍ୱର ଡିପିସି ଅଧୀନରେ ୬୩ଟି ପରୀକ୍ଷା କେନ୍ଦ୍ର ରହିଛି। ତାହାକୁ ଦୃଷ୍ଟିରେ ରଖି ନୋଡାଲ ସେଣ୍ଟରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ହୋଇଛି। ସମସ୍ତ ନୋଡାଲ ସେଣ୍ଟରରେ ବନ୍ଧୁକଧାରୀ ପୁଲିସ ମୁତୟନ ହୋଇଛନ୍ତି। ସେଣ୍ଟର ଦାୟିତ୍ୱରେ ଦୁଇ ଜଣ ଲେଖାଏ ଶିକ୍ଷକ ରହିଛନ୍ତି। ପ୍ରତି ସେଣ୍ଟରରେ ସିସିଟିଭି ଲାଗିଛି। ପରିଷଦର ମୁଖ୍ୟ କାର୍ଯ୍ୟାଳୟ ସହ ସେଗୁଡ଼ିକୁ ସଂଯୋଗ କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ଗାଡ଼ିରେ ଦୁଇ ଜଣ ପୁଲିସ କର୍ମଚାରୀ ଓ ଦୁଇ ଜଣ ଶିକ୍ଷକ ସାଙ୍ଗରେ ଯିବେ। ବିଏମ୍‌ସି ଓ ଭୁବନେଶ୍ୱର ବ୍ଲକରେ ଥିବା ପରୀକ୍ଷା କେନ୍ଦ୍ରକୁ ଗୁରୁବାର ସକାଳ ୯ରୁ ପୂର୍ବାହ୍ନ ୧୧ଟା ପଠାଯିବ।

ଅନ୍ୟପକ୍ଷରେ କପି ରୋକିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ୨ଟି ସ୍କ୍ଵାଡ୍‌ ଓ ବୋର୍ଡ ପକ୍ଷରୁ ୩ଟି କେନ୍ଦ୍ରୀୟ ସ୍କ୍ଵାଡ୍‌ ଜିଲ୍ଲାର ପରୀକ୍ଷା କେନ୍ଦ୍ରଗୁଡ଼ିକୁ ତଦାରଖ କରିବେ। ସ୍କ୍ଵାର୍ଡରେ ଅବସରପ୍ରାପ୍ତ ଶିକ୍ଷକଙ୍କ ବଦଳରେ ଏଥର ଅଧ୍ୟାପକ ସାମିଲ ହୋଇଛନ୍ତି। ପ୍ରତି କେନ୍ଦ୍ରକୁ ଯାଇ ସେମାନେ ଯାଞ୍ଚ କରିବେ। ୩ସ୍ତରୀୟ ସ୍କ୍ଵାଡ୍‌ ବ୍ୟତୀତ ବିଦ୍ୟାଳୟଗୁଡ଼ିକ ପକ୍ଷରୁ ଏବର୍ଷ ପରୀକ୍ଷାର୍ଥୀଙ୍କୁ ଦୁଇଥର ଯାଞ୍ଚ କରାଯିବ। ପ୍ରବେଶ ସମୟରେ ମୁଖ୍ୟ ଫାଟକ ନିକଟରେ କପି ଯାଞ୍ଚ ହେବ। ପରୀକ୍ଷା ଚାଲିଥିବା ବେଳେ ବି ଯାଞ୍ଚ ହେବ। ଏଥିପାଇଁ ବିଦ୍ୟାଳୟଗୁଡ଼ିକ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଛି। ଆଡମିଟ୍‌ କାର୍ଡ ନ ଥିଲେ ପରୀକ୍ଷାର୍ଥୀଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର