ମାଟ୍ରିକ୍‌ ପରୀକ୍ଷା: ଭୁବନେଶ୍ବର ଜୋନ୍‌ରେ ୬୯ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌, ମଧ୍ୟମା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ପୁରୀ, ଖୋର୍ଧା ଏବ˚ ନୟାଗଡ଼ ଜିଲ୍ଲାକୁ ନେଇ ଗଠିତ ଭୁବନେଶ୍ବର ଜୋନ୍‌ରେ ପ୍ରସ୍ତୁତି ଶେଷ ହୋଇଛି। ଏଥର ଜୋନ୍‌ରେ ରେଗୁଲାରରେ ୬୪,୪୬୪, ଏକ୍ସ-ରେଗୁଲାରରେ ୨୪୩୫, ପତ୍ରମାଧ୍ୟମ ରେଗୁଲାରରେ ୧୯୭ ଓ ଏକ୍ସ-ରେଗୁଲାରରେ ୨୯ ଏହିପରି ମୋଟ ୬୯,୧୨୫ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ୩ଟି ଯାକ ଜିଲ୍ଲାରେ ୩୧୭ଟି ପରୀକ୍ଷା କେନ୍ଦ୍ର, ୩୦ଟି ନୋଡାଲ ସେଣ୍ଟର ଓ ପ୍ରଶ୍ନପତ୍ରକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ୩୯ଟି ଟିମ୍‌ ଗଠନ ହୋଇଛି। ଖୋର୍ଧା ଜିଲ୍ଲାରେ ୨୯,୫୫୯ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେବେ। ରେଗୁଲାରରେ ୨୮,୨୫୮ ଓ ଏକ୍ସ-ରେଗୁଲାରରେ ୧୧୬୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏଥିପାଇଁ ଜିଲ୍ଲାରେ ୧୨୫ଟି ପରୀକ୍ଷା କେନ୍ଦ୍ର ଓ ୧୨ଟି ନୋଡାଲ ସେଣ୍ଟର ହୋଇଛି। ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ନେବା ପାଇଁ ୧୨ଟି ଟିମ୍‌ ହୋଇଛି।

ନୋଡାଲ ସେଣ୍ଟରରେ ପହଞ୍ଚିଲା ପ୍ରଶ୍ନପତ୍ର
ଶୁକ୍ରବାର ପରୀକ୍ଷା ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି। ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ଗାଡ଼ିରେ ଦୁଇ ଜଣ ପୁଲିସ କର୍ମଚାରୀ ଓ ନୋଡାଲ ସେଣ୍ଟରର ଦୁଇ ଜଣ ଶିକ୍ଷକ ରହିଥିଲେ। ପରୀକ୍ଷା ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରରେ ୨୪ ଘଣ୍ଟିଆ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିଛି। ବନ୍ଧୁକଧାରୀ ପୁଲିସ ମୁତୟନ ହୋଇଛନ୍ତି। ୫ସ୍ତରୀୟ ସ୍କ୍ବାଡ୍‌: କପି ରୋକିବା ଲାଗି ଏଥର ୫ସ୍ତରୀୟ ସ୍କ୍ବାଡ୍‌ ଗଠନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ହୋଇଛି। ଏଥିସହ ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀ ଓ ଅଧ୍ୟାପକଙ୍କୁ ନେଇ ସ୍ବତନ୍ତ୍ର ସ୍କ୍ବାଡ୍‌, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ସ୍କ୍ବାଡ୍‌, ଜିଲ୍ଲାପାଳ, ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ସ୍କ୍ବାଡ୍‌ ଓ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ବର ଜୋନ୍‌ ପକ୍ଷରୁ ଡେପୁଟି ସଚିବ ଓ ଅଧ୍ୟାପକଙ୍କୁ ନେଇ ଜୋନାଲ୍‌ ସ୍କ୍ବାଡ୍‌ ଗଠନ ହୋଇଛି। ବିଦ୍ୟାଳୟଗୁଡ଼ିକ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଦୁଇଥର ଯାଞ୍ଚ କରାଯିବ।
ଡିଇଓ ବୁଲିଲେ: ପରୀକ୍ଷାର ସୁପରିଚାଳନା ପାଇଁ ଆଜି ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ନୋଡାଲ ସେଣ୍ଟର ପରିଦର୍ଶନ କରିଛନ୍ତି। ଭୁବନେଶ୍ବରରେ ଥିବା ୩ଟି ନୋଡାଲ ସେଣ୍ଟର ସମେତ ଜିଲ୍ଲାର ଅଧିକାଂଶ କେନ୍ଦ୍ର ବୁଲିଥିଲେ। ଅନ୍ୟ ଅଧିକାରୀମାନେ ମଧ୍ୟ ଜିଲ୍ଲାର ବିଭିନ୍ନ ସେଣ୍ଟର ବୁଲିଛନ୍ତି। ପରୀକ୍ଷାର ସୁପରିଚାଳନା ପାଇଁ ଗତ ୧୯ ତାରିଖରେ ଜିଲ୍ଲାସ୍ତରୀୟ ବୈଠକ ହୋଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦର ଗାଇଡ୍‌ଲାଇନ୍‌କୁ ଆଧାର କରି ଗତ ୨୦ ତାରିଖରେ ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ଷ୍ଟାଫ୍‌ମାନଙ୍କୁ ତାଲିମ ଦିଆଯାଇଛି। କପି ରୋକିବା ଓ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି ବୋଲି କ୍ୟାପିଟାଲ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୋନାମିକା ରଏ କହିଛନ୍ତି।

ପରୀକ୍ଷାର୍ଥୀଙ୍କୁ ପରାମର୍ଶ
ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ଆଡମିଟ୍‌ କାର୍ଡ ବାଧ୍ୟତାମୂଳକ
ରୋଲ୍‌ ନମ୍ବର, ପ୍ରଶ୍ନପତ୍ର ଓ ଉତ୍ତର ଖାତାକୁ ଠିକ୍‌ ଭାବେ ଯାଞ୍ଚ କରିବେ
ଉତ୍ତର ଖାତା, ପ୍ରଶ୍ନପତ୍ରରେ ନିଜ କିମ୍ବା ବିଦ୍ୟାଳୟ ନାମ ଲେଖିବେନି
ବିଭାଗ ଅନୁଯାୟୀ ପ୍ରଶ୍ନର ଉତ୍ତର ଲେଖିବେ
ମାର୍ଜିନ୍‌ ଭିତରେ କିଛି ବି ଲେଖିବେ ନାହିଁ
କଲମ ପରିବର୍ତନ ସମୟରେ ଇନ୍‌ଭିଜିଲେଟରଙ୍କ ଦସ୍ତଖତ ଆବଶ୍ୟକ

ସମ୍ବନ୍ଧିତ ଖବର