ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲି (ବୁଧବାର)ଠାରୁ ଆରମ୍ଭ ହେଉଛି। ଏଥର ଖୋର୍ଧା ଜିଲ୍ଲାରେ ୨୮ ହଜାର ୪୬୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ଜିଲ୍ଲାରେ ମୋଟ ୧୨ଟି ନୋଡାଲ ସେଣ୍ଟର ଓ ୧୨୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ରକୁ ଜଣେ ଲେଖାଏଁ ଅବଜରଭର ଦିଆଯାଇଛି। ନୋଡାଲ ସେଣ୍ଟର୍ରେ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଅଚାନକ ଚଢ଼ଉ ଲାଗି ଓଏଏସ୍, ଓଇଏସ୍, ଓଆରଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବା ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ବନ୍ଦନା ମହାପାତ୍ର ସୂଚନା ଦେଇଛନ୍ତି।
ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଓ ଭୁବନେଶ୍ବର ବ୍ଲକ ପାଇଁ ୩ଟି ନୋଡାଲ ସେଣ୍ଟର ହୋଇଛି। ଏହି ନୋଡାଲ ସେଣ୍ଟରଗୁଡ଼ିକ ଅଧୀନରେ ୪୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ୟୁନିଟ୍-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଅଧୀନରେ ସର୍ବାଧିକ ୧୬ଟି ପରୀକ୍ଷା କେନ୍ଦ୍ର ଥିବା ବେଳେ ୟୁନିଟ୍-୧ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଅଧୀନରେ ୧୦ଟି ଓ କ୍ୟାପିଟାଲ ହାଇସ୍କୁଲ ଅଧୀନରେ ୧୫ଟି ପରୀକ୍ଷା କେନ୍ଦ୍ର ରହିଛି। ୪୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୧ ହଜାର ୯୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବରମୁଣ୍ଡା ସରସ୍ବତୀ ବିଦ୍ୟାମନ୍ଦିରରେ ସର୍ବାଧିକ ୫୪୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୟୁନିଟ୍-୮ ସରସ୍ବତୀ ବିଦ୍ୟାମନ୍ଦିର ଓ ନୀଳାଦ୍ରିବିହାର ସରସ୍ବତୀ ବିଦ୍ୟାମନ୍ଦିରରେ ୫୪୭ ଜଣ ଲେଖାଏଁ ପରୀକ୍ଷାର୍ଥୀ ରହିଛନ୍ତି। ଜିଲ୍ଲାରେ ୪୫ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇଛି। ସେହି କେନ୍ଦ୍ରଗୁଡ଼ିକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଛି। ପରୀକ୍ଷା ଦିନ ସକାଳୁ ସମସ୍ତ କେନ୍ଦ୍ରରେ ପୁଲିସ ମୁତୟନ ରହିବେ। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ଗାଡ଼ିରେ ଦୁଇ ଜଣ ପୁଲିସ କର୍ମଚାରୀ ଓ ନୋଡାଲ ସେଣ୍ଟରର ଦୁଇ ଜଣ ଶିକ୍ଷକ ରହିବେ। ନୋଡାଲ ସେଣ୍ଟରରେ ୨୪ ଘଣ୍ଟିଆ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିଛି। ବନ୍ଧୁକଧାରୀ ପୁଲିସ ମୁତୟନ ହୋଇଛନ୍ତି। କପି ରୋକିବା ଲାଗି ଏଥର ୪ସ୍ତରୀୟ ସ୍କ୍ବାଡ୍ ଗଠନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) କାର୍ଯ୍ୟାଳୟ ପକ୍ଷରୁ ୩ଟି ଫ୍ଲାଇଙ୍ଗ୍ ସ୍କ୍ବାଡ୍ ହୋଇଛି। ଏଥିସହ ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀ ଓ ଅଧ୍ୟାପକଙ୍କୁ ନେଇ ସ୍ବତନ୍ତ୍ର ସ୍କ୍ବାଡ୍, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ସ୍କ୍ବାଡ୍, ଜିଲ୍ଲାପାଳ, ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ସ୍କ୍ବାଡ୍ ଓ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ବର ଜୋନ୍ ପକ୍ଷରୁ ଡେପୁଟି ସଚିବ ଓ ଅଧ୍ୟାପକଙ୍କୁ ନେଇ ଜୋନାଲ୍ ସ୍କ୍ବାଡ୍ ଗଠନ ହୋଇଛି। ବିଦ୍ୟାଳୟଗୁଡ଼ିକ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଦୁଇଥର ଯାଞ୍ଚ କରାଯିବ। ଆଜି ସ୍କ୍ବାଡ୍ ଅଧିକାରୀମାନଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦର ଗାଇଡ୍ଲାଇନ୍କୁ ଆଧାର କରି ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ଷ୍ଟାଫ୍ମାନଙ୍କୁ ବିଭିନ୍ନ ସମୟରେ ତାଲିମ ଦିଆଯାଇଛି।
ପରୀକ୍ଷାର୍ଥୀଙ୍କୁ ପରାମର୍ଶ
ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ଆଡମିଟ୍ କାର୍ଡ ସାଙ୍ଗରେ ନେବାକୁ ଆଦୌ ଭୁଲିବେ ନାହିଁ।
ରୋଲ୍ ନମ୍ବର, ପ୍ରଶ୍ନପତ୍ର ଓ ଉତ୍ତର ଖାତାକୁ ଠିକ୍ ଭାବେ ଯାଞ୍ଚ କରିବେ।
ଉତ୍ତର ଖାତା, ପ୍ରଶ୍ନପତ୍ରରେ ନିଜର କିମ୍ବା ବିଦ୍ୟାଳୟର ନାମ ଲେଖିବେ ନାହିଁ।
ବିଭାଗ ଅନୁଯାୟୀ ପ୍ରଶ୍ନର ଉତ୍ତର ଲେଖିବେ।
ମାର୍ଜିନ୍ ଭିତରେ କିଛି ବି ଲେଖିବେ ନାହିଁ।
କଲମ ପରିବର୍ତନ ସମୟରେ ଇନ୍ଭିଜିଲେଟରଙ୍କ ଦସ୍ତଖତ ନିହାତି ଆବଶ୍ୟକ, ସେ ଦିଗରେ ଦୃଷ୍ଟି ଦେବେ।
ପରୀକ୍ଷା ଦେବେ କିସ୍ର ୧୯୫୦ ଛାତ୍ରଛାତ୍ରୀ
ଚଳିତ ବର୍ଷ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍(କିସ୍)ରୁ ୬୩ ବର୍ଗର ୧୯୫୦ ଆଦିବାସୀ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ। ଗୋଟିଏ ବିଦ୍ୟାଳୟରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଓଡ଼ିଶା ଶିକ୍ଷା ଇତିହାସରେ ଏକ ରେକର୍ଡ ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରେ ଓଡିଶାର ୩୦ ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀ ଓ ଆଦିମ ଜନଜାତି ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି। କିସ୍ର ଛାତ୍ରଛାତ୍ରୀ ଭୁବନେଶ୍ବରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ଲାଗି ଅନୁଷ୍ଠାନ ପକ୍ଷରୁ ୪୦ଟି ବସ୍ର ବନ୍ଦୋବସ୍ତ କରାଯାଇଛି। ପରୀକ୍ଷା ପୂର୍ବରୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ କଲମ ପ୍ରଦାନ କରିଛନ୍ତି। ପରୀକ୍ଷା ସମୟରେ ଆଦୌ ବିଚଳିତ ନ ହୋଇ ପରୀକ୍ଷା ଦେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Matric1.jpg)