ମାଟ୍ରିକ୍‌ ପରୀକ୍ଷା ଫଳ: ଶିକ୍ଷା ବିକାଶ ସମିତିର ପାସ୍‌ହାର ୯୮.୮୭% 

୨୦୧ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ

ଭୁବନେଶ୍ୱର: ୨୦୧୮ ମାଟ୍ରିକ୍‌ ପରୀକ୍ଷା ଫଳରେ ବାଜି ମାରିଛନ୍ତି ଶିକ୍ଷା ବିକାଶ ସମିତି ଅଧୀନରେ ଥିବା ବିଦ୍ୟାଳୟ। ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି। ୨୮୨ଟି ଶିଶୁ ବିଦ୍ୟାମନ୍ଦିରରୁ ୧୫,୩୫୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୫,୧୮୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୮.୮୭% ରହିଛି। ଗତବର୍ଷ ଏହି ବିଦ୍ୟାଳୟଗୁଡ଼ିକର ପାସ୍‌ହାର ୯୯.୧୪% ରହିଥିଲା। ଏଥର ମାଟ୍ରିକ୍‌ ପରୀକ୍ଷାଫଳ ପ୍ରାୟ ୯ ପ୍ରତିଶତ ହ୍ରାସ ପାଇଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଗୁଡ଼ିକରେ ବି ପାସ୍‌ହାର ସାମାନ୍ୟ କମିଛି। ଚଳିତବର୍ଷ ସମିତି ଅଧୀନରେ ଥିବା ବିଦ୍ୟାଳୟର ୭୦୬ ଜଣ ଛାତ୍ରଛାତ୍ରୀ ‘ଏ୧’ ଗ୍ରେଡ୍‌ ହାସଲ କରିଛନ୍ତି। ୩୪୦୭ ଜଣ ‘ଏ୨’, ୪୧୫୪ ଜଣ ‘ବି୧’, ୩୪୧୭ ଜଣ ‘ବି୨’, ୨୨୦୨ ଜଣ ‘ସି’, ୧୦୬୪ ଜଣ ‘ଡି’ ଏବଂ ୨୨୭ ଜଣ ‘ଇ’ ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି। ୨୦୧୭ରେ ୯୪୯ ଜଣ ‘ଏ୧’ ଗ୍ରେଡ ପାଇଥିଲେ। ୨୦୧ଟି ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। ୨୯ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ‘ବି୨’ ଗ୍ରେଡ୍‌ କିମ୍ବା ତା’ଠାରୁ ଅଧିକ ଗ୍ରେଡ୍‌ ପାଇ କୃତକାର୍ଯ୍ୟ ହୋଇଛନ୍ତି। ପାରାଦ୍ୱୀପସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜନ୍ମେଞ୍ଜୟ ପଣ୍ଡା ୬୦୦ରୁ ୫୮୦ ନମ୍ବର ରଖି ସରସ୍ୱତୀ ଶିଶୁ ବିିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟପ୍‌ର ହୋଇଛନ୍ତି। ଏହି ସଫଳତାକୁ ଆଗାମୀ ଦିନରେ ଜାରି ରଖିବା ଦିଗରେ ସମିତି ଗୁରୁତ୍ୱ ଦେଉଛି। ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ବିକାଶ ସାଙ୍ଗକୁ ଛାତ୍ରଛାତ୍ରୀଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ମିଳିପାରିବ ସେ ଦିଗରେ ପ୍ରଥମିକତା ଦିଆଯିବ ବୋଲି ସମିତିର ଉପସଭାପତି ବସନ୍ତ କୁମାର ପଣ୍ଡା ଓ ପରୀକ୍ଷା ନିୟନ୍ତ୍ରକ ଅଶ୍ୱିନୀ କୁମାର ନାୟକ ଆଜି ୟୁନିଟ୍‌-୮ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ୟୁନିଟ-୧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ୟୁନିଟ-୧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚଳିତବର୍ଷ ୯୧ଜଣ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୭୯ଜଣ କୃତକାର୍ଯ୍ୟ ହୋଇଛନ୍ତି। ସ୍କୁଲରେ ଜଣେ ଗ୍ରେଡ୍‌ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୟୁନିଟ-୧ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୨ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ହେଲେ ଛାତ୍ର ଗ୍ରେଡ ଏ-୧ରେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି।

ଭାରତୀୟ ବିଦ୍ୟାନିକେତନ ଆବାସିକ ଶିଶୁ ବିଦ୍ୟାମନ୍ଦିର
ପାଇକରାପୁର ଭାରତୀୟ ବିଦ୍ୟାନିକେତନ ଆବାସିକ ଶିଶୁ ବିଦ୍ୟାମନ୍ଦିରର ମୋଟ୍‌ ୨୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ଶତପ୍ରତିଶତ ରହିଛି। ୨ଜଣ ଏ୧ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯ଜଣ ଏ୨, ୪ଜଣ ବି୧, ୬ଜଣ ବି୨ ଗ୍ରେଡ୍‌ରେ ପାସ୍‌ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ହାଇସ୍କୁଲ
ଏଠାରେ ପରୀକ୍ଷା ଦେଇଥିବା ୬୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ ଜଣ ଫେଲ୍‌ ହୋଇଛନ୍ତି। ଜଣେ ‘ଏ୧’ ଗ୍ରେଡ୍‌ ପାଇଥିବା ବେଳେ ‘ଏ୨’ରେ ଜଣେ, ୨୧ ଜଣ ‘ବି୨’, ୧୫ ଜଣ ‘ସି’, ୭ ଜଣ ‘ଡି’, ୧୬ ଜଣ ‘ଇ’ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ଛାତ୍ରୀ ସଂଯୁକ୍ତା ମଲ୍ଲ ୫୪୬ ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି।

କ୍ୟାପିଟାଲ ହାଇସ୍କୁଲ
ରାଜଧାନୀର ଏହି ପ୍ରମୁଖ ବିଦ୍ୟାଳୟର ଜଣେ ବି ଛାତ୍ରଛାତ୍ରୀ ୯୦ ପ୍ରତିଶତ ଟପିନାହାନ୍ତି। ଚଳିତବର୍ଷ ୨୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୯୯ ଜଣ ପାସ୍‌ କରିଥିବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୋନାମିକା ରାୟ ସୂଚନା ଦେଇଛନ୍ତି।

ଖଣ୍ଡଗିରି ହାଇସ୍କୁଲ
ଏହି ବିଦ୍ୟାଳୟର ୯୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରୀ ପ୍ରୀତି ପ୍ରିୟଦର୍ଶିନୀ ପାଣି ୫୫୦ ନମ୍ବର ରଖି ‘ଏ୧’ ଗ୍ରେଡ୍‌ ହାସଲ କରିବା ସହ ବିଦ୍ୟାଳୟର ଟପର ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁବାଳା ଖଣ୍ଡୁଆଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର