ଗଣମାଧ୍ୟମ ସର୍ବଦା ସତ୍ୟ ଖବର ପରିବେଷଣ କରିବା ଦରକାର

ଭୁବନେଶ୍ୱର: ସମାଜର ବିକାଶରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାନବ ଜାତିର ହିତ ସାଧନ ଲାଗି ଗଣମାଧ୍ୟମ ସର୍ବଦା ସତ୍ୟ ଖବର ପରିବେଷଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଗଣମାଧ୍ୟମ ପ୍ରତିନିଧି ଜ୍ଞାନ ଆହରଣ ପାଇଁ ବିଭିନ୍ନ ବିଷୟର ବହି ଓ ପତ୍ରପତ୍ରିକା ଅଧ୍ୟୟନ କରିବା ଉଚିତ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ପିଜି କାଉନସିଲ୍‌ ହଲ୍‌ରେ ଆୟୋଜିତ ଜାତୀୟସ୍ତରୀୟ କର୍ମଶାଳା ‘ଗଣମାଧ୍ୟମ ଓ ସମାଜ’ରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଓଡ଼ିଶାରେ ଗଣମାଧ୍ୟମର ଅଭ୍ୟୁଦୟ ଓ ଇତିହାସ ସମ୍ପର୍କରେ ଆଲୋଚନା କରିବା ସହିତ ସାମାଜିକ ବିକାଶରେ ଗଣମାଧ୍ୟମରେ ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ଲୋକପ୍ରଶାସନ ବିଭାଗ ମୁଖ୍ୟ ପ୍ରଫେସର ପଦ୍ମାଳୟା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସି ନିର୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ, ଇଂରାଜୀ ବିଭାଗ ମୁଖ୍ୟ ଅସୀମ ରଞ୍ଜନ ପାଢ଼ୀ, ବରିଷ୍ଠ ସାମ୍ବାଦିକ ଅଶୋକଚନ୍ଦ୍ର ପଣ୍ଡା, ରାଜାରାମ ଶତପଥୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସାମ୍ବାଦିକ ଓ ଗଣଯୋଗାଯୋଗ ସଂଯୋଜିକା ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର