ଅଭୟମୁଖୀ ଉପସ୍ବାସ୍ଥ୍ୟକେନ୍ଦ୍ର: ପାଣି ବେସିନ୍‌ ଉପରେ ରୋଗୀଙ୍କ ବେଡ୍‌

ବାଲିପାଟଣା: ମୋ ସରକାର ଓ ୫-ଟି ଯୋଜନା ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଭୟମୁଖୀ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଫେଲ ମାରିଛି। ଗତ ଜୁଲାଇ ୨୦ ତାରିଖରୁ ଡାକ୍ତର ପଦ ଖାଲି ପଡ଼ିଥିବା ବେଳେ ଜଣେ ମାତ୍ର ଆୟୂଷ ଡାକ୍ତର ରୋଗୀ ସେବା କରୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଇଁ ଥିବା ବେଡ୍‌ ପାଣି ବେସିନ ଉପରେ ପଡ଼ିଛି। ବେଡ୍‌ ଉପରେ ରହିଛି ପାଣି ଟ୍ୟାପ୍‌। ଦୀର୍ଘ ୬ ବର୍ଷ ହେବ ଆୟୂଷ ଡାକ୍ତର ସୁକାନ୍ତି ମିଶ୍ର ରୋଗୀ ସେବା କରୁଛନ୍ତି। ତାଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ ରଂଜିତ କୁମାର ନାୟକଙ୍କ ଦ୍ବାରା ରୋଗୀ ସେବା କରାଯାଉଛି। ପ୍ରତିଦିନ ଅଭୟମୁଖୀ, ଦେଉଳିଧରପୁର, ସିରିପାରି, ଆଳୋଇ, ମାର୍ଥାପୁର ଅଞ୍ଚଳର ରୋଗୀ ଏଠାକୁ ଆସିଥାନ୍ତି। ବାତ୍ୟା ଫନିରେ ସ୍ବାସ୍ଥ୍ୟକେନ୍ଦ୍ରର ଗୃହ, ପାଚେରି ଭାଙ୍ଗି ଯାଇଥିବା ବେଳେ ଏଯାବତ୍ ମରାମତି ହୋଇ ପାରିନାହିଁ। ଝାଡ଼ା, ବାନ୍ତି ସମୟରେ ସେହି ଗୋଟିଏ ବେଡ୍‌ରେ ୪୦/୫୦ ରୋଗୀଙ୍କୁ ସାଲାଇନ ଦେବାକୁ ପଡ଼ିଥାଏ ବୋଲି ଫାର୍ମାସିଷ୍ଟ ଶ୍ରୀ ନାୟକ କହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଶୌଚାଳୟ ଥିଲେ ମଧ୍ୟ ପାଣି ସଂଯୋଗ କରାଯାଇନାହିଁ। ସରକାରଙ୍କୁ ସମସ୍ୟା ବିଷୟରେ ଅବଗତ କରାଯାଇଥିବା ବାଲିପାଟଣା ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ମନୋରଞ୍ଜନ ହାତୀ କହିଛନ୍ତି।

ସମ୍ବନ୍ଧିତ ଖବର