୧୦ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି

ହତଭାଗା ଡା. ଅଭିନ ଚନ୍ଦ୍ର ହସ୍ପିଟାଲ ମିନି ଫାର୍ମାସି

ଭୁବନେଶ୍ୱର,: ବିଲ୍ଡିଂ ନିର୍ମାଣ ସହ ଯନ୍ତ୍ରପାତି କିଣା ପାଇଁ କେନ୍ଦ୍ର ସରକାର ଅର୍ଥ ଦେଲେ। ଲକ୍ଷାଧିକ ଟଙ୍କା ଖର୍ଚ କରି ବିଲ୍ଡିଂ ଠିଆ କରିଦେଲେ। ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ କିଣାଗଲା। ଏହା ଭିତରେ ୧୦ବର୍ଷ ବିତି ଗଲାଣି। ଫାର୍ମାସିରେ ଥିବା ଅତ୍ୟାଧୁନିକ ମେସିନ୍‌ଗୁଡ଼ିକର ଅବଧି ସୀମା ବା ଏକ୍ସପାରି ଶେଷ ହେବାକୁ ବସିଲାଣି। କିନ୍ତୁ ଡା. ଅଭିନ ଚନ୍ଦ୍ର ହୋମିଓପାଥି କଲେଜ ଏଣ୍ଡ ହସ୍ପିଟାଲରେ ନିର୍ମାଣାଧୀନ ମିନି ଫାର୍ମାସି ଖୋଲି ପାରିଲାନି। ଫାର୍ମାସି ଚାଲିବା ପାଇଁ ୩-ଫେଜ୍‌ ବିଦ୍ୟୁତ୍‌ ସଂଯୋଗ ପାଇଁ ଦିନ ଗଡ଼ି ଚାଲିଛି। ଗୋଟିଏ ପଟେ ରାଜ୍ୟ ସରକାର ଡା. ଅଭିନ ଚନ୍ଦ୍ର ହୋମିଓପାଥି କଲେଜରେ ରାଜ୍ୟର ପ୍ରଥମ ହୋମିଓପାଥି ଔଷଧ ପରୀକ୍ଷାଗାର ନିର୍ମାଣ ପାଇଁ ଘୋଷଣା କରିଛନ୍ତି। ମାତ୍ର ଦୀର୍ଘ ବର୍ଷ ପୂର୍ବରୁ ନିର୍ମାଣ ସରିଥିବା ମିନି ଫାର୍ମାସିକୁ ଭୁଲି ଯାଇଛନ୍ତି। ଏହା ଭିତରେ ରାଜ୍ୟ ଆୟୁଷ ନିର୍ଦେଶାଳୟର ଅନେକ ନିର୍ଦେଶକ ଗଲେଣି, କିନ୍ତୁ ମିନି ଫାର୍ମାସି କିଭଳି ଚାଲିବ ଓ ଏଥିରୁ ଔଷଧ ପ୍ରସ୍ତୁତ ହେବ, ତାହାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଏଥିରୁ ରାଜଧାନୀର ଏକମାତ୍ର ଓ ରାଜ୍ୟର ପ୍ରମୁଖ ହୋମିଓପାଥି ମେଡିକାଲ କଲେଜ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ସ୍ପଷ୍ଟ ବାରି ହୋଇପଡ଼ୁଛି। ୨୦୦୮ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡା. ଅଭିନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜରେ ଏକ ମିନି ଫାର୍ମାସି ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦିଆଯାଇଥିଲା। ରାଜ୍ୟ ଶିଳ୍ପ ନିଗମ ଜରିଆରେ ଏହାର ନିର୍ମାଣ କରାଯାଇଥିଲା। ଏଥିପାଇଁ ନିଗମକୁ ମିଳିଥିବା ୧ କୋଟି ୮୮ ଲକ୍ଷ ଟଙ୍କାରୁ ୭୮ଲକ୍ଷ ଟଙ୍କା ବିଲ୍ଡିଂର ନିର୍ମାଣ ଓ ବଳକା ୧ କୋଟି ୧୦ଲକ୍ଷ ଟଙ୍କାରେ ଆବଶ୍ୟକ ମେସିନ୍‌ ଓ ଉପକରଣ କିଣା ଯାଇଥିଲା। ଏହିସବୁ ମେସିନ୍‌ଗୁଡ଼ିକର ଏକ୍ସପାରି ବା ଅବଧି ସୀମା କିଛି ମାସ ପରେ ଶେଷ ହୋଇଯିବ। କିନ୍ତୁ ଗୋଟିଏ ଦିନ ପାଇଁ ଏହି ମେସିନ୍‌ ଚାଲି ପାରିଲାନି। ନିର୍ମାଣର ଦୀର୍ଘ ଦିନ ଧରି ମିନି ଫାର୍ମାସି ବନ୍ଦ ହୋଇପଡ଼ିବା ପରେ ଏବେ କିଛି ମାସ ଏହାକୁ ଖୋଲା ଯାଇଛି। ମାତ୍ର କିଛି କାମ ହେଉନାହିଁ।

ସୂଚନା ଅନୁଯାୟୀ, ଔଷଧ ପ୍ରସ୍ତୁତି ପାଇଁ ମିନି ଫାର୍ମାସିକୁ ଉତ୍ତମ ଉତ୍ପାଦନ ପ୍ରକ୍ରିୟା ବା ଜିଏମ୍‌ପି ସାର୍ଟିଫିକେଟ୍‌ର ଆବଶ୍ୟକତା ରହିଛି। ଏହି ସାର୍ଟିଫିକେଟ୍‌ ପାଇବାକୁ ହେଲେ ଫାର୍ମାସି କାର୍ଯ୍ୟକ୍ଷମ ହେବା ସହ ଏହା ଭିତରେ ଅନ୍ୟାନ୍ୟ ଜିନିଷଗୁଡ଼ିକୁ ମଧ୍ୟ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ମିନି ଫାର୍ମାସି ମଧ୍ୟରେ ଏକାଧିକ ଏସି ସମେତ ଏସି ହ୍ୟାଣ୍ଡେଲିଂ ୟୁନିଟ୍‌ ବା ଏସିଏଚ୍‌ଓ ଲାଗିଛି। ତେଣୁ ଅତ୍ୟାଧୁନିକ ମେସିନ୍‌ ଚଳାଇବା ପାଇଁ ମିନି ଫାର୍ମାସିକୁ ୩-ଫେଜ୍‌ ବିଦ୍ୟୁତ ସଂଯୋଗର ଆବଶ୍ୟକତା ରହିଛି। ମାତ୍ର ତାହା ଆଜି ପର୍ଯ୍ୟନ୍ତ ସଂଯୋଗ ହୋଇପାରି ନାହିଁ। ଏହାସହ ଜଣେ ଇଲେକ୍ଟ୍ରିସିଆନ୍‌ ଓ ଆଉ ଜଣେ ମେକାନିକାଲ ଟେକ୍‌ନିସିଆନ୍‌ଙ୍କ ଆବଶ୍ୟକତା ରହିଛି। ତାହା ମଧ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇନାହିଁ। ଫଳରେ ଫାର୍ମାସି କାର୍ଯ୍ୟକ୍ଷମ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଡା. ଅଭିନ ଚନ୍ଦ୍ର ହୋମିଓପାଥି କଲେଜରେ ଥିବା ପୁରୁଣା ଫାର୍ମାସିରେ ଏବେ ବି ଔଷଧ ତିଆରି ଚାଲିଛି। ସେଠାରେ ୨୦ଟି ଡାଏଲ୍ୟୁସନ୍‌ ଓ ମଦର ଟିଂକଚର ପ୍ରସ୍ତୁତ କରାଯାଉଛି। ଏଥିପାଇଁ ୩ଜଣ ମେଡିକାଲ ଅଧିକାରୀ ଓ ୧୧ଜଣ ପ୍ରଡକସନ୍‌ ଆସିଷ୍ଟାଣ୍ଟ ରହିଛନ୍ତି। ପ୍ରସ୍ତୁତ ହେଉଥିବା ଔଷଧକୁ ରାଜ୍ୟର ବିଭିନ୍ନ ଡିସପେନସାରି ଓ ୪ଟି ସରକାରୀ ହୋମିଓପାଥି କଲେଜକୁ ଯୋଗାଇ ଦିଆଯାଉଛି। ୨୦୧୭/୧୮ ଆର୍ଥିକ ବର୍ଷରେ ୩୧ ଲକ୍ଷ ଟଙ୍କାର ଔଷଧ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯଦି ମିନି ଫାର୍ମାସି କାର୍ଯ୍ୟକ୍ଷମ ହୁଏ, ତେବେ ଏଠାରେ ୧ କୋଟିରୁ ଅଧିକ ଟଙ୍କାର ଔଷଧ ପ୍ରସ୍ତୁତ ହୋଇପାରିବ। ଫଳରେ ରାଜ୍ୟ ସରକାରଙ୍କୁ ରାଜ୍ୟ ବାହାରରୁ ହୋମିଓପାଥି ଔଷଧ କିଣିବାକୁ ପଡ଼ିବ ନାହିଁ। ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟକୁ ମଧ୍ୟ ଔଷଧ ଯୋଗାଣ ହୋଇପାରିବ ବୋଲି କୁହାଯାଉଛି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ବିଶେଷ ଗୁରୁତ୍ୱ ଦିଆଯାଉନାହିଁ।

ଡା. ଅଭିନ ଚନ୍ଦ୍ର ହୋମିଓପାଥି କଲେଜ ଏଣ୍ଡ ହସ୍ପିଟାଲର ଅଧ୍ୟକ୍ଷ ଡା. ସୁଧୀର ଦାସଙ୍କ କହିବାନୁଯାୟୀ, ମିନି ଫାର୍ମାସିକୁ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ। ଏଥିପାଇଁ ୩-ଫେଜ୍‌ ବିଦ୍ୟୁତ୍‌ର ଆବଶ୍ୟକତା ଥିବାରୁ ସ୍ୱତନ୍ତ୍ର ଭାବେ ଟ୍ରାନସଫର୍ମର୍‌ ବସା ଯାଇଛି। ୭୦ କିଲୋଓ୍ଵାଟ୍‌ର ବିଦ୍ୟୁତ୍‌ ସଂଯୋଗ କରାଯିବ। ଏଥିପାଇଁ ଜିଇଡିର ଇଲେକ୍ଟ୍ରିକାଲ ଇନ୍‌ସପେକ୍ଟର ଏହାର ତଦାରଖ କରିଛନ୍ତି। ସାର୍ଟିଫିକେଟ୍‌ ମିଳିବା ପରେ ସେସ୍କୋରେ ଏଥିପାଇଁ ଟଙ୍କା ପଇଠ କରାଯିବ। ମାତ୍ର ଏଥିପାଇଁ ଅନୁମୋଦନ ମିଳି ନ ଥିବାରୁ ବିଦ୍ୟୁତ ସଂଯୋଗର ବାଧା ଉପୁଜିଛି। ଜିଏମ୍‌ପି ସାର୍ଟିଫିକେଟ୍‌ ମିଳିବା ପରେ ମିନି ଫାର୍ମାସିରେ ଔଷଧ ତିଆରି ଆରମ୍ଭ ହେବ। ଅପରପକ୍ଷରେ ରାଜ୍ୟ ଆୟୁଷ ନିର୍ଦେଶାଳୟର ନିର୍ଦେଶକଙ୍କ ଏ ସଂପର୍କରେ ମତାମତ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର