ଆତ୍ମବିଶ୍ଳେଷଣ, ଆତ୍ମବିଶ୍ୱାସ ମଦ୍ୟପ ବ୍ୟକ୍ତିକୁ ସୁଧାରିପାରିବ

‘ଆଲ୍‌କୋହୋଲିକ୍ସ ଆନୋନିମୋସ୍‌’ର ସମ୍ମିଳନୀ

ଭୁବନେଶ୍ୱର: ମଦ୍ୟପାନ ଏକ ସାମାଜିକ ବ୍ୟାଧି। ଏହା ଏହା କେବଳ ମଦ୍ୟପ ବ୍ୟକ୍ତି ଓ ପରିବାରକୁ ଦୁର୍ଦଶା ଆଡ଼କୁ ଟାଣି ନିଏନି ବରଂ ସମାଜ ଓ ଦେଶକୁ ପ୍ରଭାବିତ କରିଥାଏ। ମଦ୍ୟପାନ ଛାଡ଼ିବା କଷ୍ଟ ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ। ଆତ୍ମ ବିଶ୍ଳେଷଣ, ଆତ୍ମବିଶ୍ୱାସ ଏବଂ ମଦ୍ୟପାନ ଛାଡ଼ିବାର ମୂଲ୍ୟବାନ ଅଭିଜ୍ଞତାର ଆଦାନ ପ୍ରଦାନ ମଦ୍ୟପ ବ୍ୟକ୍ତିକୁ ସୁଧାରିପାରିବ। ‘ଆଲ୍‌କୋହୋଲିକ୍ସ ଆନୋନିମୋସ୍‌’ ଇଣ୍ଟର ଗ୍ରୁପ୍‌ ଖଡ଼ଗପୁର ପକ୍ଷରୁ ଆଜି ପାନ୍ଥ ନିବାସରେ ଅନୁଷ୍ଠିତ ଓଡ଼ିଶା ସମ୍ମିଳନୀରେ ଏଭଳି ବକ୍ତବ୍ୟ ରଖିଛନ୍ତି ଅତିଥିବୃନ୍ଦ। ଖଡ଼ଗପୁର ସେଣ୍ଟ୍‌ ଆନ୍ଥୋନିସ୍‌ ଚର୍ଚର ଫାଦର ଷ୍ଟିଫେନ୍‌ ରାଫେଲ୍‌ ମଦ୍ୟପାନରୁ ମୁକ୍ତ ରହିବା ପାଇଁ ନୈତିକତା ଓ ଆତ୍ମବିଶ୍ୱାସର କଥା କହିଥିଲେ। ମନୋବ୍ୟାଧି ଚିକିତ୍ସକ (ସାଇକିଆଟ୍ରିଷ୍ଟ୍‍) ଡ.ଆଶିଷ ଦେଶପାଣ୍ଡେ, ଡ.ରାଜୀବ ଏନ୍‌ ଜେରାଜାନି କହିଥିଲେ, ମଦ୍ୟପାନର ୩ଟି ସମସ୍ୟା ହେଉଛି ବାୟୋଲୋଜିକାଲ୍‌, ସାଇକୋଲୋଜିକାଲ୍‌ ଓ ସୋସିଆଲ୍‌। ତେଣୁ କୌଣସି ଆଣ୍ଟି ଡ୍ରଗ୍‌ ଅପେକ୍ଷା ପରିବର୍ତିତ ଜୀବନ ଶୈଳୀ ଏହି ବ୍ୟାଧିରୁ ମୁକ୍ତ କରିପାରିବ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୁଲିସ୍‌ ମହାନିର୍ଦେଶକ ମନମୋହନ ପ୍ରହରାଜ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାଁରେ ମଦ୍ୟପାନ ହାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଗୁରୁତ୍ୱ ଦେବାକୁ ସଂଗଠନକୁ ପରାମର୍ଶ ଦେଇଥିଲେ। ଏଥିସହିତ ଅନେକ କିଭଳି ମଦ୍ୟପାନରୁ ନିଜକୁ ଦୂରେଇ ରଖିପାରିଥିଲେ ସେ ସମ୍ପର୍କରେ ସଫଳ ଯାତ୍ରାର ବ୍ୟାଖ୍ୟା କରିଥିଲେ। ଫ୍ରାନ୍‌ସିସ୍କୋ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଭୁ ପଟେଲ୍‌ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର