ସୁରେଶ ବଳବନ୍ତରାୟ ଫାଉଣ୍ଡେସନ ପକ୍ଷରୁ ସମାବେଶ, ସୁବୋଧ ପଟ୍ଟନାୟକଙ୍କୁ ‘ସୁରେଶ ସୃଜନ ସମ୍ମାନ’

ଭୁବନେଶ୍ବର: ଲେଖକ, ଗବେଷକ, ନାଟ୍ୟକର୍ମୀ ଓ ସଂସ୍କୃତି ବିଶେଷଜ୍ଞ ସୁରେଶ ବଳବନ୍ତରାୟଙ୍କ ବ୍ୟକ୍ତିତ୍ବ ଥିଲା ବର୍ଣ୍ଣିଳ ଇନ୍ଦ୍ରଧନୁ ସଦୃଶ। ତାଙ୍କର ବୃତ୍ତି ଅପେକ୍ଷା ପ୍ରବୃତ୍ତି ବଡ଼ ଥିବା ଯୋଗୁଁ ସେ ଓଡ଼ିଆ ଭା‌ଷା, ସାହିତ୍ୟ ଓ ସଂସ୍କୃତି ପାଇଁ ଅନେକ ସ୍ମରଣୀୟ କାର୍ଯ୍ୟ କରି ପାରିଥିଲେ। ସେ ବଞ୍ଚିଥିଲେ ଆମ ସଂସ୍କୃତି ପାଇଁ ଅଧିକ ଦାନ ଦେଇ ପାରିଥାନ୍ତେ ବୋଲି କହିଛନ୍ତି ବିଜ୍ଞାନ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଆଜି ସଂଧ୍ୟାରେ ଗୀତଗୋବିନ୍ଦ ସଦନରେ ‘ସୁରେଶ ବଳବନ୍ତରାୟ ଫାଉଣ୍ଡେସନ’ ପକ୍ଷରୁ ଆୟୋଜିତ ‘ସୁରେଶ ସମାବେଶ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ବଳବନ୍ତରାୟଙ୍କ ସ୍ମୃତିଚାରଣ ପୂର୍ବକ ତାଙ୍କ ବ୍ୟକ୍ତିତ୍ବ ଗୋଟିଏ ଇନ୍ଦ୍ରଧନୁ ପରି ଆମ ସମସ୍ତଙ୍କୁ ଆକର୍ଷିତ କରି ରଖିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମିର କାର୍ଯ୍ୟକ୍ରମ ଅଧିକାରୀ ତଥା ଗବେଷକ ମିହିର କୁମାର ସାହୁ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ। ଫାଉଣ୍ଡେସନ୍‌ର ସଭାପତି ହରେକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭା ପ୍ରାରମ୍ଭରେ ସମସ୍ତେ ସ୍ବର୍ଗତ ବଳବନ୍ତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାସହ ତାଙ୍କ ଦ୍ବାରା ଅନୁଦିତ ବଙ୍ଗଳା ନାଟକ ‘ନ୍ୟୁ ରୟାଲ୍‌ କିସ୍‌ସା’ ଏବଂ ତାଙ୍କ ସ୍ମୃତିରେ ପ୍ରକାଶିତ ସ୍ମରଣିକାକୁ ଉନ୍ମୋଚନ କରିଥିଲେ। ପୁସ୍ତକର ପ୍ରକାଶକ ସୁଧୀର ମଉଡ଼ମଣି ଏଥିରେ ଉପସ୍ଥିତ ଥିଲେ। ଏହି ଅବସରରେ ‘ନାଟ୍ୟଚେତନା’ର ପ୍ରତିଷ୍ଠାତା ତଥା ନାଟ୍ୟକାର ସୁବୋଧ ପଟ୍ଟନାୟକଙ୍କୁ ‘ସୁରେଶ ସୃଜନ ସମ୍ମାନ’ରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିଜ୍ଞାନୀ ଦେବାଶିଷ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଫାଉଣ୍ଡେସନ୍‌ର ସମ୍ପାଦିକା ଅଧ୍ୟାପିକା ଅନ୍ୟା ଅନୁରୂପା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର