ନନ୍ଦନକାନନରେ ମେଘା-ସାହିଲର ପ୍ରେମ କାହାଣୀ : ମିଳନ ପାଇଁ ଦୁହେଁ ବ୍ୟାକୁଳ

ବାରଙ୍ଗ: ମେଘା ଚାହୁଁଛି ସାହିଲକୁ। ଆପଣାର କରିବାକୁ ଆପ୍ରାଣ ଉଦ୍ୟମ କରୁଛି। ମିଳନ ପାଇଁ ଉଭୟ ବ୍ୟାକୁଳ ହେଉଛନ୍ତି, ମାତ୍ର ବାଧକ ସାଜିଛି ତାରଜାଲି। ତାରଜାଲି ସେପଟେ ମେଘା ଆଉ ଏପଟେ ସାହିଲ। ପଞ୍ଝା ମାରି ତାରଜାଲିକୁ ଭାଙ୍ଗି ଦେବାକୁ ବି ଉଦ୍ୟମ କରିଛି ମେଘା, ହେଲେ ଏଥିରେ ସେ ସଫଳ ହୋଇ ପାରିନି। ପାଣିକୁ ଲମ୍ଫ ମାରି ସାହିଲ ପାଖକୁ ଚାଲି ଯିବାକୁ ଚେଷ୍ଟା ବି କରିଛି। ହେଲେ ସିବୁଠି ବାଧକ ସାଜିଛି ଶକ୍ତ ଲୁହାର ତାରଜାଲି। ଖାଲି ଯାହା ଜାଲିର ଉଭୟ ପାର୍ଶ୍ୱରେ ପରସ୍ପରକୁ ଦେଖିବା ଓ ମୁହଁକୁ ମୁହଁରେ ଘଷି ପ୍ରେମର ଆଦାନପ୍ରଦାନ କରିଛନ୍ତି। ନନ୍ଦନକାନନରେ ଉଭୟଙ୍କ ମଧ୍ୟରେ ଏହି ପ୍ରେମ କାହାଣୀ ଆଜି ପର୍ଯ୍ୟଟକ ଓ କର୍ମଚାରୀଙ୍କ ମଧ୍ୟରେ ଚର୍ଚାର ବିଷୟ ହୋଇଥିବା ବେଳେ ମନୋରଂଜନର ଖେରାକ ମଧ୍ୟ ଯୋଗାଇଛି। ଯାହାର କିଛି ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ୍‌ ହୋଇଛି।

ନନ୍ଦନକାନନର ସାଧାରଣ ରଙ୍ଗ ବାଘୁଣୀ ମେଘା(୮) ରହୁଛି ୩୨(କ) ଖୁଆଡ଼ରେ। ସାହିଲ ରହୁଛି ୩୨(ଖ) ଖୁଆଡ଼ରେ। ଉଭୟ ରହୁଛନ୍ତି ନିକଟରେ। ହେଲେ ଉଭୟଙ୍କୁ ପୃଥକ କରିଛି ତାରବାଡ଼। ଏହା ମଧ୍ୟରେ ସାହିଲ ପ୍ରତି ମେଘାର ଆକର୍ଷଣ ବଢ଼ି ଯାଇଛି। ମେଘା ମିଳନ ପାଇଁ ବ୍ୟାକୁଳ ହୋଇଛି। ସହିଲ ଆଡ଼କୁ ଚାହିଁ ଘୁମୁରି ଘୁମୁରି ଡାକୁଛି। ତାରଜଲିର ଉଭୟ ପାର୍ଶ୍ୱରେ ରହି ପରସ୍ପରକୁ ଚାହୁଁଛନ୍ତି, ମୁହଁକୁ ମୁହଁ ଘଷୁଛନ୍ତି। ଶେଷରେ ଆଜି ମେଘା ବ୍ୟାକୁଳ ହୋଇ ଖୁଆଡ଼ ମଧ୍ୟରେ ଥିବା ପାଣି ନାଳ ଭିତରକୁ କୁଦା ମାରିଥିଲା। ସାହିଲ ମଧ୍ୟ ଖୁଆଡ଼ ମଧ୍ୟରେ ଥିବା ପାଣିରେ ପହଁରି ନିକଟତର ହୋଇଥିଲା। ମେଘା ବାରମ୍ବାର ଜାଲିକୁ ନଖ ମାରି ତାଡ଼ିଦେବାକୁ ଚେଷ୍ଟା ବି କରିଥିଲା। ମେଘା ସାହିଲକୁ ହାସଲ କରିବା ପାଇଁ କରୁଥିବା ବିଭିନ୍ନ ନଖରାମିର ଦୃଶ୍ୟକୁ ଆଜି ସମସ୍ତେ ଉପଭୋଗ କରିଥିଲେ।

ମନୀଷ ପୁଣି ଅସୁସ୍ଥ, ରକ୍ତ ସଂକ୍ରମଣ ପରେ ବାନ୍ତି

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସାଧାରଣ ରଙ୍ଗର ମହାବଳ ବାଘ ମନୀଷ(୧୦) ପୁଣି ଅସୁସ୍ଥ ହୋଇ ପଡ଼ିଛି। ତାର ବାରମ୍ବାର ବାନ୍ତି ହେଉଛି। ସେ ଖାଉଥିବା ମାଂସ ବାନ୍ତିରେ ବାହାରି ଆସୁଛି। ଆଜି ନନ୍ଦନକାନନ ନିର୍ଦ୍ଦେଶକ ଉଷା ମାକ୍ରେ ଝୁଲେ, ଓୟୁଏଟିର ବିଶେଷଜ୍ଞ ପ୍ରଫେସର ନିରଂଜନ ସାହୁଙ୍କ ସମେତ ଏକ ଡାକ୍ତରୀ ଦଳ ମନୀଷର ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ କରିଥିଲେ। ଅଢ଼େଇ ମାସେ ହେବ ମନୀଷ ରକ୍ତ ସଂକ୍ରମଣ ରୋଗରେ ପୀଡ଼ିତ। ତାକୁ ନନ୍ଦନକାନନ ପରିସରରେ ଚିକିତ୍ସା କରାଯାଉଛି। ପୂର୍ବରୁ ସେ ଖୁଆଡ଼ ନମ୍ବର ୩୦ରେ ରହୁଥିଲା। ଏବେ ତାକୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର ପଛପାଖ ୧୮ ନମ୍ବର ଖୁଆଡ଼ରେ ରଖାଯାଇଛି। ତାକୁ ନିୟମିତ ଭାବେ ଖାଦ୍ୟରେ ରୋଗ ପ୍ରତିଷେଧକ ଓ ଆଣ୍ଟିଷ୍ଟ୍ରେସ୍‌ ଔଷଧ ଦିଆଯାଉଛି। କିଛିଦିନ ହେଲା ତାର ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା। ମାତ୍ର ସେ ପୁଣି ବାନ୍ତି କରୁଥିବା ଦେଖାଯାଇଛି। ଯାହା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ମନୀଷ ଗତ ୨୦୦୮ ଫେବ୍ରୁଆରି ମାସ ୨୮ ତାରିଖରେ ସାଧାରଣ ରଙ୍ଗର ମହାବଳ ବାଘ ରୋହିତ ଓ ବାଘୁଣୀ ଶୈଳଜାଙ୍କ ମିଳନରୁ ଜନ୍ମ ଲାଭ କରିଥିଲା।

ସମ୍ବନ୍ଧିତ ଖବର