ମେଘ ଉତ୍ସବର ଦ୍ୱିତୀୟ ସଂଧ୍ୟା: ନୃତ୍ୟରେ, ଗୀତରେ ମେଘକୁ ସ୍ୱାଗତ

ଭୁବନେଶ୍ୱର: ନୃତ୍ୟରେ, ସଙ୍ଗୀତରେ, କବିତାରେ ପୁଣି ନୃତ୍ୟାଭିନୟରେ ଚାଲିଥିଲା ମେଘଖଣ୍ଡର ସ୍ୱାଗତ। ଅବସର ଥିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ ଓଡ଼ିଶା ଲଳିତ କଳା ଏକାଡେମିର ମିଳିତ ସହଯୋଗରେ ଆୟୋଜିତ ‘ରାଜ୍ୟସ୍ତରୀୟ ମେଘ ଉତ୍ସବ’ର ଉଦ୍‌ଯାପନୀ ସଂଧ୍ୟାର। ଏଥିରେ ପ୍ରଥମେ କବି ଗୋପାଳକୃଷ୍ଣଙ୍କ ରଚନା ‘ଏ ଘନ ଦିନ ଏକା ଦେବେ କି କରି…’ କବିତାକୁ ରାଗ ଆନନ୍ଦ ଭୈରବୀରେ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ମହାପାତ୍ର ମିନତି ଭଞ୍ଜ। ପରେ ପରେ ଓଡ଼ିଶା ଡ୍ୟାନ୍ସ ଏକାଡେମିର କଳାକାରମାନେ ‘ବର୍ଷା ଅଭିସାର’ ଏବଂ ‘ସୃଷ୍ଟି ଓ ପ୍ରଳୟ’ରେ ନୃତ୍ୟାଭିନୟ କରିଥିଲେ। ପୁଣି ରବିରତନ ସାହୁ ଓ ସାଥୀମାନଙ୍କ ଦ୍ୱାରା ବର୍ଷାକୁ ନେଇ ଲୋକନୃତ୍ୟ ମଧ୍ୟ ପରିବେଷିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ସଚିବ ଶ୍ୱେତା ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ରାମକୃଷ୍ଣ ସାହୁ ଓ ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ମାନସ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର