ଭୁବନେଶ୍ୱର: କୁନ୍ଦୁଳି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ଇସ୍ତଫା ଦାବିରେ ଆଜି ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଅପରାହ୍ନ ସାଢ଼େ ୪ଟା ସମୟରେ ଛାତ୍ର କଂଗ୍ରେସର ଶତାଧିକ ସମର୍ଥକ ବାଣୀବିହାର ମୁଖ୍ୟଫାଟକରୁ ଏକ ଶୋଭାଯାତ୍ରାରେ ବାହାରି ଜାତୀୟ ରାଜପଥ ପର୍ଯ୍ୟନ୍ତ ଆସିଥିଲେ ଏବଂ ରାସ୍ତା ଅବରୋଧ କରିଥିଲେ। ହାଇକୋର୍ଟ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇ ପୀଡ଼ିତାଙ୍କ ମୃତ୍ୟୁର ରହସ୍ୟକୁ ଲୋକଲୋଚନକୁ ଅଣାଯିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଛାତ୍ରମାନେ ଦାବି କରିଥିଲେ। ଏହାପରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜି ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ପାଖାପାଖି ୧୫ ମିନିଟ ଧରି ରାଜପଥର ଅବରୋଧ ଯୋଗୁଁ ଯାତାୟତ ଠପ୍ ହୋଇଯାଇଥିଲା। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ଉଠାଇଥିଲା। ତେବେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ନବୀନ ନିବାସ ଘେରାଉ କରାଯିବା ସହ ଅଣ୍ଡା ମାଡ଼ କରାଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି। ଯୁବନେତା ମନୋଜ ବିଶ୍ୱାଳ, କିରଣ ସାହୁ, ନିହାର ବେହେରା, ଚେତନ ଜେନା, ଅଶୋକ ନାୟକ, ଅନନ୍ତ ସାମନ୍ତରାୟ ଓ ଦେବାଶିଷ ତାରିଣିଆ ପ୍ରମୁଖ ଆଜି ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ବନ୍ଦକୁ ସମର୍ଥନ କରି ଯୁବ କଂଗ୍ରେସର ବାଇକ୍ ଶୋଭାଯାତ୍ରା
ଭୁବନେଶ୍ୱର: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସଫଳ କରିବା ପାଇଁ ଆଜି ସନ୍ଧ୍ୟାରେ ଯୁବକଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଯୁବ କଂଗ୍ରେସ କର୍ମୀମାନେ ରାଜଧାନୀବାସୀ ତଥା ବିଭିନ୍ନ ସରକାରୀ ଓ ବେସକାରୀ କାର୍ଯ୍ୟାଳୟକୁ ଯାଇ କର୍ମଚାରୀମାନଙ୍କୁ ଆସନ୍ତାକାଲିର ବନ୍ଦକୁ ସମର୍ଥନ କରିବାକୁ ନିବେଦନ କରିଥିଲେ। ଏହି ଶୋଭାଯାତ୍ରାରେ ପୂର୍ବତନ ବିଧାୟକ ତଥା କଂଗ୍ରେସ ମୁଖପାତ୍ର ଡ. ଲଲାଟେନ୍ଦୁ ମହାପାତ୍ର, ସେକ୍ ଅମୀର ମହମ୍ମଦ, ରଣଜିତ୍ ପାତ୍ର, ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
କଳାପଟି ବାନ୍ଧି ଏବିଭିପିର ନିରବ ପ୍ରତିବାଦ
ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ଅଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରଷଦ(ଏବିଭିପି) ଭୁବନେଶ୍ୱର ଶାଖା ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏକ ନିରବ ପ୍ରତିବାଦ କରାଯାଇଛି। ଏବିଭିପିର ବହୁ ଛାତ୍ରଛାତ୍ରୀ ମୁହଁରେ କଳା ପଟି ବାନ୍ଧି ପ୍ରତିବାଦ କରିଥିଲେ। ସେମାନେ କହିଥିଲେ ଯେ, କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରି ନାହାନ୍ତି ପରୋକ୍ଷରେ ରାଜ୍ୟ ସରକାର ଏହି ହତ୍ୟା କରିଛନ୍ତି। କୁନ୍ଦୁଲି ପୀଡ଼ିତା ଓ ତାଙ୍କ ପରିବାରକୁ ଉଚିତ୍ ନ୍ୟାୟ ଦିଆଯାଉ ଏବଂ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ତୀବ୍ରରୂପ ନେବ ବୋଲି ଏବିଭିପି ଚେତାବନୀ ଦେଇଛି। ଆଜି ଏହି ପ୍ରତିବାଦରେ ରାଜ୍ୟ ସହ ସମ୍ପାଦକ ପ୍ରଶାନ୍ତ ପାଇକରାୟ, ମହାନଗର ସମ୍ପାଦକ ସଞ୍ଜୟ ମଲ୍ଲିକ, ପ୍ରିୟଙ୍କା ମଲ୍ଲିକ ପ୍ରମୁଖ ନେତୃତ୍ୱ ନେଇଥିଲେ।