ମଧ୍ୟ ଓ ଉତ୍ତରରେ ଲଢ଼େଇ ଚିତ୍ର ସ୍ପଷ୍ଟ ମଧ୍ୟ ଟିକେଟ୍ ହାତେଇଲେ ଅନନ୍ତ

ଉତ୍ତରର ତୃତୀୟ ପାଳିରେ ସୁଶାନ୍ତ ନୂଆ ମୁହଁ, ଅମରେଶ ଜେନା ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି

ଭୁବନେଶ୍ବର: ବହୁ ଆଶା ଆଶଙ୍କାର ଅନ୍ତ ଘଟିଛି। ଭୁବନେଶ୍ବର ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ଏହି ଦୁଇଟି ଆସନରେ ବର୍ତ୍ତମାନର ଦୁଇ ବିଧାୟକଙ୍କ ଟିକେଟ୍‌ କଟିଥିବା ବେଳେ ଏଠାରେ ବିଜେଡି ଦୁଇଟି ନୂଆ ମୁହଁ ଦେଇଛି। ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ବର ମଧ୍ୟ ଟିକେଟ୍‌ ମିଳିଥିବାବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦଳ ଭୁବନେଶ୍ବର ଉତ୍ତର ପାଇଁ ସୁଶାନ୍ତ କୁମାର ରାଉତଙ୍କୁ ଟିକେଟ୍‌ ଦେଇଛି। ବିଜେଡି ଏହି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ଏଠାରେ ଲଢ଼େଇ ଚିତ୍ର ଏକରକମ ସ୍ପଷ୍ଟ ହୋଇଛି। ଗତ କିଛି ଦିନ ହେଲା ଭୁବନେଶ୍ବର ମଧ୍ୟ ଓ ଉତ୍ତର ଆସନରେ କିଏ ପ୍ରାର୍ଥୀ ହେବେ ସେନେଇ ବହୁ କଳ୍ପନଜଳ୍ପନା ଲାଗିଥିଲା। ବର୍ତ୍ତମାନର ଦୁଇ ବିଧାୟକ ଏବଂ ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ମଧ୍ୟରୁ କାହାକୁ ଟିକେଟ୍‌ ଦିଆଯିବ, କାହାର ଟିକେଟ୍‌ କଟିବ ସେନେଇ ବହୁ ଆଲୋଚନା ଚାଲିଥିଲା। କାହାକୁ କେଉଁଠି ଟିକେଟ୍‌ ଦିଆଯିବ, ଟିକେଟ୍‌ କଟୁଥିବା ନେତାଙ୍କୁ କିପରି ସନ୍ତୁଷ୍ଟ କରାଯିବ, ବିଦ୍ରୋହୀଙ୍କୁ କିପରି ଦଳ ଭିତରେ ବୁଝାଇ ରଖି ହେବ ସେନେଇ ବହୁ କସରତ ହେବା ପରେ ବିଜେଡି ଆଜି ଏହି ଦୁଇଟି ଆସନ ପାଇଁ ଟିକେଟ୍‌ ଘୋଷଣା କରିଛି। କିଛି ଦିନ ତଳେ ଅନନ୍ତଙ୍କୁ ଭୁବନେଶ୍ବର ବିଡିଏ ଅଧ୍ୟକ୍ଷ ପଦବି ମିଳିଥିଲା। କିନ୍ତୁ ବିଧାୟକ ହେବାକୁ ଆଶା ବାନ୍ଧିଥିବା ଅନନ୍ତ ଏଥିରେ ଖୁସି ନଥିଲେ। ସେ ଖୋଲାଖୋଲି ବିରୋଧ କରିନଥିଲେ ବି ଦଳ ମୁଖିଆଙ୍କ ନିକଟରେ ଅସନ୍ତୋଷ ଜଣାଇଥିଲେ। ଏହାପରେ ଦଳ ଅନନ୍ତଙ୍କୁ ଭୁବନେଶ୍ବର ମଧ୍ୟ ପାଇଁ ବାଛିଥିଲେ ହେଁ ତାଙ୍କୁ ଯେପରି ଦଳ ଭିତରେ ବିରୋଧ ନହେବ ସେଥିପାଇଁ ସବୁ ପ୍ରକାରର ଉଦ୍ୟମ କରାଯାଇଛି।

ଦଳ ଅନନ୍ତଙ୍କୁ ଭୁବନେଶ୍ବର ମଧ୍ୟ ଟିକେଟ୍‌ ଦେବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଦୁଇ ଦିନ ତଳେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ୨୦ ଜଣ ପୂର୍ବତନ କର୍ପୋରେଟର ବିଜୟ ମହାନ୍ତିଙ୍କୁ ପୁଣି ଟିକେଟ୍‌ ଦେବାକୁ ନବୀନଙ୍କୁ ଭେଟି କହିଥିଲେ। ଏହାପରେ ଅନନ୍ତଙ୍କ ଅଡ଼ୁଆ ବଢ଼ିଥିଲା। ଭୁବନେଶ୍ବରରେ ଅନନ୍ତଙ୍କର ସଂଗଠନ ଭଲ ଥିବାରୁ ଏବଂ ତାଙ୍କର ନିଜସ୍ବ ଭୋଟ୍‌ ବ୍ୟାଙ୍କ ଥିବାରୁ ଦଳ ତାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲା। କିନ୍ତୁ ୨୦ ପୂର୍ବତନ କର୍ପୋରେଟରଙ୍କ ମେଳି ଦେଖିବା ପରେ ଦଳ ଠୋସ୍‌ କିଛି ନିଷ୍ପତ୍ତି ନେଇପାରିନଥିଲା। ଏହାପରେ ଭୁବନେଶ୍ବର ମଧ୍ୟର ପ୍ରଭାବଶାଳୀ ନେତା ତଥା ପୂର୍ବତନ କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। କିଛି ମାସ ତଳେ ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଥିଲେ ହେଁ ସମସ୍ତ ପୂର୍ବ ନିର୍ଦ୍ଦେଶନାମାକୁ ବାତିଲ୍‌ କରି ଦଳ ମୁଖିଆ ଅମରେଶଙ୍କୁ ଏହି ଦାୟିତ୍ବ ଦେଇ ଖୁସି କରିଛନ୍ତି। ସେହିପରି ବିଧାୟକ ବିଜୟ ମହାନ୍ତିଙ୍କୁ ଆଗକୁ ଭଲ ସୁଯୋଗ ଦିଆଯିବ ବୋଲି ଦଳ ଆଶ୍ବାସନା ଦେଇଛି। ଅନନ୍ତ ଯେପରି ବିଜୟ ହାସଲ କରିବେ ସେଥିପାଇଁ ବିଜୟ ଓ ଅମରେଶଙ୍କୁ ମଧ୍ୟ ଦଳ ତରଫରୁ ଦାୟିତ୍ବ ଦିଆଯାଇଛି। ଭୁବନେଶ୍ବର ମଧ୍ୟରେ ବିଜେଡି ପ୍ରାର୍ଥୀ ଚୟନ କରିବାରେ ବିଳମ୍ବ କରିଥିବାବେଳେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଏଠାରେ ବିଜେପି ଉଭା ହୋଇଛି। ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ପ୍ରାର୍ଥୀ ହେବେ ବୋଲି ବହୁ ପୂର୍ବରୁ ଜାଣିଥିବାବେଳେ ସେନେଇ ପ୍ରଚାର ଆରମ୍ଭ କରିଥିଲେ। ବିଭିନ୍ନ ଜନସମ୍ପର୍କ ଶୋଭାଯାତ୍ରା ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିଥିଲେ। ଏପରିକି ବିଜେପି ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ବହୁ ଆଗରୁ ଘୋଷଣା କରିଦେଇଥିବାରୁ ସେ ମଧ୍ୟ ଜୋରଦାର୍ ପ୍ରଚାର କରି ଲୋକଙ୍କ ନିକଟରେ ପହଞ୍ଚିଛନ୍ତି। ଅନନ୍ତଙ୍କ ବିଜୟ ପାଇଁ ଜଗନ୍ନାଥ ଯେତିକି ପ୍ରତିବନ୍ଧକ ନୁହେଁ ବିଜୟ ତା’ଠାରୁ ବଡ଼ ପ୍ରତିବନ୍ଧକ ପାଲଟିବାର ଆଶଙ୍କା ଥିବାରୁ ଦଳ ପକ୍ଷରୁ ଏହାକୁ ସୂଚାରୁ ରୂପେ ମ୍ୟାନେଜ୍ କରାଯାଉଥିବା କୁହାଯାଉଛି।

ଅପର ପକ୍ଷେ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ଗଠନ ହେବା ପରେ ଲଗାତର ତୃତୀୟ ଥର ପାଇଁ ପ୍ରାର୍ଥୀ ବଦଳିଛନ୍ତି। ବିଧାୟକ ପାଇଁ ଆଦୌ ଚର୍ଚ୍ଚାରେ ନ ଥିବା ସୁଶାନ୍ତ କୁମାର ରାଉତ ଏଥର ଟିକେଟ୍‌ ହାତେଇଛନ୍ତି। ପୂର୍ବରୁ ବିଜେଡିର ଯେଉଁ କେତେକ ଆଶାୟୀ ଥିଲେ ସମସ୍ତଙ୍କୁ ମାତ୍‌ ଦେଇଛନ୍ତି ସୁଶାନ୍ତ। ଏପରିକି ବର୍ତ୍ତମାନର ବିଧାୟକ ପ୍ରିୟଦର୍ଶୀଙ୍କୁ ଟିକେଟ୍‌ ଦେବା ପାଇଁ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ କିଛି ପୂର୍ବତନ କର୍ପୋରେଟର ଦଳ ମୁଖିଆଙ୍କ ନିକଟରେ ଦାବି କରୁଥିଲେ। ପ୍ରିୟଦର୍ଶୀ ବି ଗତ କିଛି ଦିନ ହେଲା ନବୀନ ନିବାସରେ ଡେରା ପକାଇଥିଲେ। ହେଲେ ଶେଷରେ ତାଙ୍କୁ ଟିକେଟ୍‌ ମିଳିଲାନି। ଦଳ ସୁଶାନ୍ତଙ୍କୁ ଟିକେଟ ଦେବା ପୂର୍ବରୁ ତାଙ୍କୁ ଯେପରି ଦଳ ଭିତରୁ ବିରୋଧ ନ ହେବ ସେଥିପାଇଁ ସତର୍କତାର ସହ ପଦକ୍ଷେପ ନିଆଯାଇଛି। ପ୍ରିୟଦର୍ଶୀଙ୍କୁ ନବୀନ ନିବାସ ଡାକି ତାଙ୍କୁ ବୁଝା ଯାଇଛି। ଏଠାରେ ଆଶାୟୀ ଥିବା ଛାତ୍ର ନେତା ଚିନ୍ମୟ ସାହୁଙ୍କୁ ବି ଅନନ୍ତଙ୍କ ମାଧ୍ୟମରେ ବୁଝାଇ ଦିଆଯାଇଛି। ଅନ୍ୟତମ ଆଶାୟୀ ସୁବାସ ପାତ୍ରଙ୍କୁ ଭୁବନେଶ୍ବର ସାଂଗଠନିକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଭୁବନେଶ୍ବର ଉତ୍ତରରେ ଅନନ୍ତଙ୍କ ସପକ୍ଷରେ କିଛି ପୂର୍ବତନ କର୍ପୋରେଟର ଥିବାରୁ ସେମାନଙ୍କୁ ବି ସୁଶାନ୍ତଙ୍କୁ ସମର୍ଥନ କରିବାକୁ ଅନନ୍ତଙ୍କୁ କୁହାଯାଇଛି। ଏହିପରି ଭାବେ ଦଳ ଅସନ୍ତୁଷ୍ଟ ନେତାଙ୍କୁ ମ୍ୟାନେଜ୍ କରି ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଅପରପକ୍ଷେ ଭୁବନେଶ୍ବରର ବିଭିନ୍ନ ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ ଗୁରୁବାର ହୋଇଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ଭୁବନେଶ୍ବର ମଧ୍ୟ ଓ ଉତ୍ତର ପାଇଁ ପ୍ରାର୍ଥୀ ଘୋଷଣା କରିପାରିନି।

ସମ୍ବନ୍ଧିତ ଖବର