ଭୁବନେଶ୍ୱର : ଗତକାଲି ଗିରଫ ହୋଇଥିବା ୩ ଅନ୍ତଃରାଜ୍ୟ ନିଶାବେପାରୀ ଓ କୁଖ୍ୟାତ ଡ୍ରଗ୍ସ ବେପାରୀ ଛୋଟାକୁ ମୁହାଁମୁହିଁ ଜେରା କରିବାକୁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ (ସ୍ପେସାଲ ଟାସ୍କଫୋର୍ସ) ଯୋଜନା କରିଛି। ଏଥିପାଇଁ ସମସ୍ତଙ୍କୁ ରିମାଣ୍ଡରେ ଅଣାଯିବ। ଅତିକମ୍ରେ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଏସ୍ଟିଏଫ୍ ଆବେଦନ କାଗଜପତ୍ର ପ୍ରସ୍ତୁତି କରିଛି। ଛୋଟା ସହ ଏହି ୩ ଅଭିଯୁକ୍ତଙ୍କ ସଂପର୍କ ଅଛି ବୋଲି ଏସ୍ଟିଏଫ ସନ୍ଦେହ କରୁଛି। ଏହାବ୍ୟତୀତ ରିମାଣ୍ଡ ବେଳେ ସେମାନଙ୍କଠାରୁ ନିଶା କାରବାର ସଂକ୍ରାନ୍ତରେ ଆହୁରି ତଥ୍ୟ ମିଳିବ ବୋଲି ଏସ୍ଟିଏଫ୍ ଆଶା ବାନ୍ଧିଛି।
ଏହି ତିନିଜଣ କେତେକ ଖଣି ମାଫିଆଙ୍କୁ ନିଶାଦ୍ରବ୍ୟ ଯୋଗାଉଥିବା ସ୍ବୀକାର କରିଛନ୍ତି। ସେମାନଙ୍କ ମଧ୍ୟରୁ ମଧ୍ୟ ଏସ୍ଟିଏଫ୍ କେତେକଙ୍କୁ ଠାବ କରିଛି। କିନ୍ତୁ ଗିରଫଦାରୀ ଭୟରେ ସେମାନେ ଫେରାର୍ ରହିଛନ୍ତି। ସେହି ଫେରାର୍ ମାଫିଆମାନଙ୍କ ମଧ୍ୟରୁ କେତେକ ଛୋଟା ସହ କାମ କରୁଥିବା ପ୍ରମାଣ ମିଳିଛି। ଫଳରେ ଗିରଫ ତିନି ନିଶା ବେପାରୀଙ୍କର ଛୋଟା ସହ ଲିଙ୍କ୍ ଥିବା ଏକପ୍ରକାର ନିଶ୍ଚିତ ହୋଇଛି। ତେବେ ମୁହାଁମୁହିଁ ଜେରାରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଏସ୍ଟିଏଫ୍ ଆଶା ରଖିଛି।
ଏହାଛଡ଼ା ଛୋଟାର ଏତେ ସମ୍ପତ୍ତି କିଭଳି ହେଲା? ବେଆଇନ ଖଣି, ନିଶା ବେପାର ଛଡ଼ା ଏହି ସମ୍ପତ୍ତି ପଛରେ ଆଉ କିଛି କାରଣ ଅଛି କି? ଏହା ଉପରେ ମଧ୍ୟ ଏସ୍ଟିଏଫ୍ ତଦନ୍ତ ଜାରି ରଖିଛି। ନିଶା ବେପାରର ମୂଳା କେଉଁଠି, ତାହା ମଧ୍ୟ ତଦନ୍ତର ପ୍ରମୁଖ ଦିଗ ହୋଇଛି। ରାଜ୍ୟ ବାହାରୁ ଡ୍ରଗ୍ସ ଆଣୁଥିବାରୁ ସେ ପର୍ଯ୍ୟନ୍ତ ପହଞ୍ଚିବା ଏସ୍ଟିଏଫ୍ ପାଇଁ ଚାଲେଞ୍ଜ ହୋଇଛି। ବେଆଇନ ଖଣି ଖନନ ଓ ନିଶା ବେପାରରେ ଜଡ଼ିତ ଛୋଟାର ସହଯୋଗୀ ଓ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଫେରାର୍ ରହିଥିବାରୁ ଏସ୍ଟିଏଫ୍ର ମୁଣ୍ଡବିନ୍ଧା ହୋଇଛି। ଖୋର୍ଧା ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍ଟିଏଫ୍ ଏସ୍ପି ରାହୁଲ ପି.ଆର କହିଛନ୍ତି। ଅନ୍ୟପଟେ ବେଆଇନ ଖଣି ମାଫିଆ ଓ ନିଶା ବେପାରୀଙ୍କ ଉପରେ ଲଗାତାର ଚଢ଼ଉ କୋକୁଆ ଭୟ ସୃଷ୍ଟି କରିଛି। ବେଆଇନ ଖଣି ମାଫିଆ ଖନନ ବନ୍ଦ ରଖିଥିବା ବେଳେ ନିଶା ବେପାରୀଙ୍କ ଉପରେ ଅନୁରୂପ ଢ଼ଙ୍ଗରେ ରୋକ୍ ଲଗାଯାଇ ପାରିନାହିଁ।
ସୂଚନା ମୁତାବକ, ଛୋଟା କିଛି ଦିନ ତଳେ ଗିରଫ ହୋଇଥିବା ବେଳେ ଗତକାଲି ବାଲେଶ୍ବରରୁ ସେକ୍ ଅଜ୍ବାହାର, ଖଡ଼ଗପୁର ମହେଶପୁରର ସେକ୍ ଆଜାଦ୍ ଓ ପୁରୀ ବୀରପ୍ରତାପପୁରର ରମାକାନ୍ତ ସାହୁଙ୍କୁ ଏସ୍ଟିଏଫ୍ ଗିରଫ କରିଥିଲା।