ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଦେଖିଲେ, ପିଲାଙ୍କ ସହ ଖାଇଲେ ମନ୍ତ୍ରୀ

ବାଲିପାଟଣା : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଆଜି ଅଚାନକ ବାଲିପାଟଣା ବ୍ଲକ ଗସ୍ତରେ ଆସି ଅଙ୍ଗନବାଡ଼ି କେନ୍ଦ୍ରର ସ୍ଥିତି ପରଖି ଥିଲେ। ଏଥିସହ ‌ସେ ପିଲାଙ୍କ ପାଇଁ ରନ୍ଧା ହୋଇଥିବା ଖାଦ୍ୟ ଖାଇ ମାନ ଯାଞ୍ଚ­ କରିଥିଲେ। ଆଜି ସକାଳ ୧୦ଟାରେ ପମ୍ପାଲୋ ପଞ୍ଚାୟତ ସରାଟ ଶାସନ ଅଙ୍ଗନବାଡ଼ି କେନ୍ଦ୍ରରେ ମନ୍ତ୍ରୀ ପହଞ୍ଚି ପିଲାଙ୍କୁ ଦିଆଯାଉଥିବା ଖାଦ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ପିଲାଙ୍କୁ ଗପ, ଗୀତ ବିଭିନ୍ନ ସାଧାରଣଜ୍ଞାନ ସମ୍ପର୍କରେ ପଚାରିଥିଲେ।

ଏହି ଅବସରରେ ସରାଟ ଶାସନ ଅଙ୍ଗନବାଡ଼ି କେନ୍ଦ୍ରକୁ ଲାଗି ରହିଥିବା ପରିତ୍ୟକ୍ତ ପୋଖରୀ ପୋତିବା ପାଇଁ ଗ୍ରାମବାସୀ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଅଠାନ୍ତର, ବେଙ୍ଗବତୀ, ବଳଭଦ୍ରପୁର ଓ ବିଶ୍ୱନାଥପୁର କେନ୍ଦ୍ର ବୁଲି ଦେଖିଥିଲେ। ବିଶ୍ୱନାଥପୁର ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିବା ସମୟରେ ପିଲାମାନେ ରନ୍ଧା ଖାଦ୍ୟ ଖାଇବା ପାଇଁ ବସିଥିଲେ। ମନ୍ତ୍ରୀ ଖାଦ୍ୟର ମାନ ଯା­ଞ୍ଚ କରିବା ପାଇଁ ପିଲାଙ୍କ ସହିତ ଖାଦ୍ୟ ଖାଇଥିଲେ। ବିଶ୍ୱନାଥପୁର ଅଙ୍ଗନବାଡ଼ି କେନ୍ଦ୍ରର ସ୍ଥାୟୀ ଗୃହ ନଥିବାର ଜାଣି ସେଠାରେ ସ୍ଥାୟୀ ଗୃହ ନିର୍ମାଣ ପାଇଁ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସିଡିପିଓ ଆରତୀ ରଥ ଓ ସୁପରଭାଇଜର ଉଷାରାଣୀ ଖାଡେଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର